‘ଆମ କଥା ଆମ ଭବିଷ୍ୟତ’ର ଡିଜିଟାଲ ସଂସ୍କରଣ ଲୋକାର୍ପଣ

ଶେଷ ଧାଡିରେ ଥିବା ମଣିଷର ସ୍ୱର ହେବ ‘ଆମ କଥା ଆମ ଭବିଷ୍ୟତ’

ଡିଜିଟାଲ ମେଡ଼ିଆ କ୍ଷେତ୍ରରେ ନୂଆ ପଦକ୍ଷେପ ସ୍ୱରୂପ ‘ଆମ କଥା ଆମ ଭବିଷ୍ୟତ’ର ଡିଜିଟାଲ ସଂସ୍କରଣ ଭୁବନେଶ୍ୱର ଲୋହିଆ ଏକାଡେମୀ ଠାରେ ପ୍ରଫେସର ସ୍ୱାଧୀନ ପଟ୍ଟନାୟକଙ୍କ ଦ୍ଵାରା ଲୋକାର୍ପଣ କରାଯାଇଛି। ଏହି ଲୋକାର୍ପଣ ସନ୍ଧ୍ୟାରେ ପ୍ରଫେସର ଧନେଶ୍ୱର ସାହୁ, ଲୋହିଆ ଏକାଡେମୀର ସମ୍ପାଦକ ଦେବପ୍ରସାଦ ରାୟ, ଛାଇର ସମ୍ପାଦକ ସତୀଶ ମିଶ୍ର ପ୍ରମୁଖ ଅତିଥି ଯୋଗଦେଇ ସମ୍ବାଦ, ଇତିହାସ, ଅର୍ଥନୀତି, ଖେଳ, ସାହିତ୍ୟ ପରି ସମାଜର ବିଭିନ୍ନ ଦିଗକୁ ଏହା ଅଧିକ ଆଲୋକିତ କରିବ ବୋଲି ମତବ୍ୟକ୍ତ କରିଥିଲେ।

ଏଠାରେ ଉଲ୍ଲେଖଯୋଗ୍ୟ ଯେ, ଗତ କୋଭିଡ ମହାମାରୀର କାଳ ସ୍ପର୍ଶରେ ଜନ୍ମ ନେଇଥିବା “ଆମ କଥା ଆମ ଭବିଷ୍ୟତ” ଏକ ଲୋକପକ୍ଷର ମଞ୍ଚ, ଯାହା ଜାତିର ଜନକ ମହାତ୍ମା ଗାନ୍ଧୀଙ୍କ ସାମ୍ବାଦିକତା ଦୃଷ୍ଟିକୋଣର ଏକ ଜୀବନ୍ତ ଓ ପ୍ରେରଣାଦାୟକ ଉଦାହରଣ। ମହାତ୍ମା ଗାନ୍ଧୀ ସାମ୍ବାଦିକତାକୁ କେବଳ ଖବର ପ୍ରସାରଣର ମାଧ୍ୟମ ଭାବରେ ନୁହେଁ, ବରଂ ଏହାକୁ ଜନମଙ୍ଗଳ, ସତ୍ୟ ପ୍ରତି ନିଷ୍ଠା ଓ ନୈତିକ ଜାଗରଣର ଉପକରଣ ଭାବେ ଦେଖୁଥିଲେ। ସେ ତାଙ୍କର ପତ୍ରିକା ‘ଇଣ୍ଡିଆନ ଓପିନିଅନ’, ‘ହରିଜନ’ ଓ ‘ୟଙ୍ଗ ଇଣ୍ଡିଆ’ ମାଧ୍ୟମରେ ଶେଷ ଧାଡିରେ ଥିବା ମଣିଷଙ୍କ ଦୁଃଖ, ଅନ୍ୟାୟ ଓ ଦାୟିତ୍ୱବୋଧକୁ ସାମ୍ବାଦିକତା ଭାଷାରେ ସ୍ପଷ୍ଟ ଭାବରେ ଉପସ୍ଥାପନ କରିଥିଲେ। “ଆମ କଥା ଆମ ଭବିଷ୍ୟତ” ମହାତ୍ମା ଗାନ୍ଧୀଙ୍କ ଅହିଂସା, ସତ୍ୟ, ସ୍ୱାବଲମ୍ବନ ଓ ସମାଜସେବା ଆଦର୍ଶକୁ ଆଧାର କରି, ଲୋକଙ୍କର ବିଭିନ୍ନ ସମସ୍ୟା ଓ ଏହାର ସମାଧାନ ଉପରେ ଆଲୋଚନା, ସମାଲୋଚନା ଆଧାରରେ କାର୍ଯ୍ୟକ୍ଷମ ହେବ ବୋଲି ମତ ଦେଇଛନ୍ତି ଏହାର ପ୍ରତିଷ୍ଠାତା ସମ୍ପାଦକ ମାନସ ପଟ୍ଟନାୟକ।

ଲୋକାର୍ପଣ କାର୍ଯ୍ୟକ୍ରମରେ ସମଦୃଷ୍ଟିର ସମ୍ପାଦକ ସୁଧୀର ପଟ୍ଟନାୟକ, ଶ୍ରମିକ ନେତା ମହେନ୍ଦ୍ର ପରିଡ଼ା, ବରିଷ୍ଠ ସାମ୍ବାଦିକ ବିଘ୍ନେଶ୍ୱର ସାହୁ, ସାମାଜିକ କର୍ମୀ ଅଭିରାମ ମଲ୍ଲିକ, ଡ଼. ସୁମିତ୍ରା ପଟେଲ, ବିଜୟ ମହାନ୍ତି, ଅଶୋକ କୁମାର ସାହୁ, ପ୍ରଶାନ୍ତ ଶତପଥି, ସର୍ବୋଦୟ କର୍ମୀ ରାବେୟା ବେଗମ, ସଚ୍ଚିକାନ୍ତ ପ୍ରଧାନ, ଆଲୋକ ମହାନ୍ତି ପ୍ରମୁଖ ଉପସ୍ଥିତ ରହି ମତ ପ୍ରକାଶ କରିଥିଲେ।

Leave a Reply

Your email address will not be published. Required fields are marked *