“ପରିବେଶ ଓ ନାରୀ” ବିଷୟ ବସ୍ତୁକୁ ନେଇ ରମାଦେବୀ ମହିଳା ବିଶ୍ଵବିଦ୍ୟାଳୟରେ ହେବ ଓଡ଼ିଶା ପରିବେଶ କଂଗ୍ରେସ

ଚଳିତ ବର୍ଷ ଓଡ଼ିଶା ପରିବେଶ କଂଗ୍ରେସର ୧୬ତମ ଅଧିବେଶନ ଭୁବନେଶ୍ୱର ସ୍ଥିତ ରମାଦେବୀ ମହିଳା ବିଶ୍ଵବିଦ୍ୟାଳୟରେ ଅନୁଷ୍ଠିତ ହେବ। ଡିସେମ୍ବର ୨୦ ରୁ ୨୨ ତାରିଖ ପର୍ଯ୍ୟନ୍ତ ୩ ଦିନ ଧରି ଅନୁଷ୍ଠିତ ହେବାକୁ ଥିବା ଏହି ଅଧିବେଶନର ବିଷୟ ବସ୍ତୁ ରହିଛି “ପରିବେଶ ଓ ନାରୀ”। ଓଡ଼ିଶା ଓ ଓଡ଼ିଶା ବାହାରୁ ଅନେକ ଗବେଷକ ଓ ପରିବେଶବିତ୍ ମାନେ ଏଥିରେ ଯୋଗଦେବେ। ରମାଦେବୀ ମହିଳା ମହାବିଦ୍ୟାଳୟର ଭାରପ୍ରାପ୍ତ କୁଳପତି ଡ. ଚଣ୍ଡୀଚରଣ ରଥଙ୍କ ଅଧ୍ୟକ୍ଷତାରେ ଗତ ଶନିବାର ଦିନ ଅନୁଷ୍ଠିତ ପ୍ରଥମ ପ୍ରସ୍ତୁତି ବୈଠକରେ ଏହାର ପ୍ରାରମ୍ଭିକ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ଏହି ବୈଠକରେ ଓଡ଼ିଶା ପରିବେଶ କଂଗ୍ରେସର କାର୍ଯ୍ୟକାରୀ ଅଧ୍ୟକ୍ଷ ଡ. ଅରବିନ୍ଦ ବେହେରା, ବିଶ୍ଵବିଦ୍ୟାଳୟର ପୂର୍ବତନ କୁଳପତି ପ୍ରଫେସର ପଦ୍ମଜା ମିଶ୍ର, ପରିବେଶ କଂଗ୍ରେସର ସାଂଗଠାନିକ ସମ୍ପାଦକ ସୁଦର୍ଶନ ଦାସ, ଓଡ଼ିଶା ପରିବେଶ ସମିତିର କାର୍ଯ୍ୟକାରୀ ସଭାପତି ଡ ଜୟକୃଷ୍ଣ ପାଣିଗ୍ରାହୀ, କୋରାପୁଟ କେନ୍ଦ୍ରୀୟ ବିଶ୍ଵବିଦ୍ୟାଳୟର ପୂର୍ବତନ ଭାରପ୍ରlପ୍ତ କୁଳପତି ପ୍ରଫେସର ଶରତ କୁମାର ପାଲିତ, ଡ. ରୀନା ରାଉତରାୟ, ଡ. ମାନସ ବେହେରା, ଡ. ଶିଶିରକାନ୍ତ ବେହେରା, ଡ. ସେବା ମହାପାତ୍ର, ପ୍ରଫେସର ସସ୍ମିତା ମହାନ୍ତି, ଡ. ରାଜେଶ ଯୋଶୀ, ଡ. ମମତା ମହାନ୍ତି, ସଚ୍ଚିକାନ୍ତ ପ୍ରଧାନ, ଇଂ ବାଲମୁକୁନ୍ଦ ଦାସ, ମନୋଜ ବାରିକ ପ୍ରମୁଖ ଏହି ବୈଠକରେ ଯୋଗଦେଇ ସମ୍ମିଳନୀର ସଫଳତା ପାଇଁ ଆଲୋଚନା କରିଥିଲେ। ପ୍ରକାଶଥାଉ କି ବିଗତ ୧୫ ବର୍ଷ ଧରି ପ୍ରତିବର୍ଷ ଡିସେମ୍ବର ମାସରେ ଏହି ପରିବେଶ କଂଗ୍ରେସ ପରିବେଶ ସମ୍ବନ୍ଧୀୟ ବିଭିନ୍ନ ବିଷୟ ବସ୍ତୁକୁ ନେଇ ଆୟୋଜିତ ହୋଇଆସୁଛି। ଦେଶ ବିଦେଶର ଅନେକ ପ୍ରତିଷ୍ଠିତ ଗବେଷକ, ପରିବେଶବିତ୍, ରାଜନେତା, ପ୍ରଶାସକ ଇତ୍ୟାଦି ଏଥିରେ ଯୋଗ ଦେଇଛନ୍ତି। ଚଳିତ ବର୍ଷର ୧୬ତମ ଅଧିବେଶନକୁ ମଧ୍ୟ ପରିବେଶ ଉପରେ କାର୍ଯ୍ୟ କରୁଥିବା ଦେଶ ବିଦେଶର ମହିଳା ନେତ୍ରୀମାନଙ୍କୁ ଆମନ୍ତ୍ରଣ କରିବାର ଯୋଜନା ରଖାଯାଇଛି। ଏହି ଅବସରରେ ପିଲାଙ୍କ ପରିବେଶ କଂଗ୍ରେସ ମଧ୍ୟ ଅନୁଷ୍ଠିତ ହେବ। ସ୍କୁଲ ଓ କଲେଜ ଛାତ୍ରଛାତ୍ରୀଙ୍କ ମଧ୍ୟରେ ବିଭିନ୍ନ ପ୍ରକାରର ପ୍ରତିଯୋଗିତା ମଧ୍ୟ ଆୟୋଜନ କରାଯିବ। ଏଚଡିଏଫ୍, ସିଇଡି, ଓଇସି ଓ ଆରଏମଏନଏଚ୍ ତରଫରୁ ୨୦୧୦ ମସିହାରୁ ଏହି ପରିବେଶ କଂଗ୍ରେସ ଆୟୋଜିତ ହୋଇଆସୁଛି ଏବଂ ପରବର୍ତ୍ତୀ ସମୟରେ ଫକୀର ମୋହନ ବିଶ୍ଵବିଦ୍ୟାଳୟ, କୋରାପୁଟ କେନ୍ଦ୍ରୀୟ ବିଶ୍ଵବିଦ୍ୟାଳୟ, ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ ପ୍ରମୁଖ ଶିକ୍ଷାନୁଷ୍ଠାନଗୁଡିକ ଏହା ସହିତ ଯୋଡିହୋଇ ଏହାକୁ ଆୟୋଜନ କରିଆସୁଛନ୍ତି।

Leave a Reply

Your email address will not be published. Required fields are marked *