ସାମ୍ପ୍ରଦାୟିକ ସଦଭାବ ହିଁ ଆଜି ସମୟର ସବୁଠୁ ବଡ଼ ଆବଶ୍ୟକତା
ଭୁବନେଶ୍ୱର (୧୧/୦୫) : ମହାତ୍ମାଗାନ୍ଧୀ କହୁଥିଲେ, ପ୍ରକୃତ ଭାରତ ଗାଁରେ ବାସ କରେ। ଭାରତର ସାତ ଲକ୍ଷ ଗାଁର ଉନ୍ନତି ହେଲେ ଯାଇ ଦେଶର ଉନ୍ନତି ହେବ। ଏହି ୭ ଲକ୍ଷ ଗାଁର ଉନ୍ନତି ପାଇଁ ପ୍ରତି ଗାଁରେ ଜଣେ ଜଣେ ଲୋକସେବକ ରହିବେ ଓ ସେମାନଙ୍କର ପ୍ରଚେଷ୍ଟାରେ ଗାଁ ଲୋକେ ଗ୍ରାମ ସ୍ୱରାଜ ଆଧାରରେ ଗାଁର ବିକାଶ ମାଧ୍ୟମରେ ଦେଶର ବିକାଶ କରିବେ। ଗାନ୍ଧୀଜୀ ତାଙ୍କ ଶେଷ ଇଛାପତ୍ରରେ ଏହି ବାବଦରେ ନୀତି ନିର୍ଦ୍ଧାରଣ କରିଥିବା ବେଳେ ୧୯୪୮ ଫେବ୍ରୁଆରୀ ୩ ତାରିଖରେ ଏଥିପାଇଁ ସେବାଗ୍ରାମ ଆଶ୍ରମରେ ଏକ ସଭା ଡାକିଥିଲେ। ତାଙ୍କ ହତ୍ୟା କାରଣରୁ ସେହି ବର୍ଷ ମାର୍ଚ୍ଚ ମାସରେ ତାଙ୍କର ଅନୁଗାମୀମାନେ ଏହି ସଭାର ଆୟୋଜନ କରି ସର୍ଵସେବା ସଂଘ ଅଥବା ଅଖିଳ ଭାରତ ସର୍ବୋଦୟ ମଣ୍ଡଳ ଗଠନ କରିଥିଲେ। ଭୁବନେଶ୍ୱର ଲୋହିଆ ଏକାଡେମୀ ଠାରେ ଉତ୍କଳ ସର୍ବୋଦୟ ମଣ୍ଡଳର ଉପଦେଷ୍ଟା ଶ୍ରୀଯୁକ୍ତ ବିଜୟ କୁମାର ତ୍ରିପାଠୀଙ୍କ ସଭାପତିତ୍ୱରେ ଖୋର୍ଦ୍ଧା ଜିଲ୍ଲା ସର୍ବୋଦୟ ମଣ୍ଡଳ ଗଠନ କରାଯାଇଛି। ଏହି ବୈଠକରେ ଗାନ୍ଧୀ ଦର୍ଶନ ଆଧାରରେ ଅସ୍ପୃଶ୍ୟତା ନିବାରଣ, ସାମ୍ପ୍ରଦାୟିକ ସଦଭାବ, ନିଶା ନିବାରଣ ଆଦି ୧୮ଟି ରଚନାତ୍ମକ କାମ ସହ ଯୁବ ଛାତ୍ରମାନଙ୍କ ମଧ୍ୟରେ ଗାନ୍ଧୀ ବିଚାରର ପ୍ରଚାର ପ୍ରସାର କରାଯିବା ସହ ସନ୍ଥ ବିନୋବାଙ୍କ ନେତୃତ୍ଵରେ ସଂଗଠିତ ଭୂଦାନ ଆନ୍ଦୋଳନରେ ସଂଗୃହିତ ଜମିର ସୁଷମ ବଣ୍ଟନ ପାଇଁ ଜିଲ୍ଲାପାଳଙ୍କ ସହ ସାକ୍ଷାତ କରିବା ସହ ଏ ସମ୍ପର୍କରେ ଏକ ଦାବୀପତ୍ର ପ୍ରଦାନ କରାଯିବା ପାଇଁ ନିଷ୍ପତ୍ତି ହୋଇଥିଲା। ଉକ୍ତ ବୈଠକରେ ଶ୍ରୀ ବୈକୁଣ୍ଠ ନାଥ ମହାପାତ୍ର ସଭାପତି, ଶ୍ରୀ ଶିବ ଚରଣ ମିଶ୍ର ସମ୍ପାଦକ, ଶ୍ରୀ ମନୋଜ କୁମାର ମହାପାତ୍ର ରାଜ୍ୟ ପ୍ରତିନିଧି, ଶ୍ରୀ ପ୍ରିୟନାଥ ମହାପାତ୍ର ଉପସଭାପତି, ଶ୍ରୀ ଅମ୍ବିକା ପ୍ରସାଦ ମହାନ୍ତି ଓ ଶ୍ରୀ ପ୍ରସନ୍ନ କୁମାର ଗୋଛାୟତ ଯୁଗ୍ମ ସମ୍ପାଦକ ଓ ଶ୍ରୀ ନୀଳମଣି ପ୍ରଧାନଙ୍କୁ କୋଷାଧ୍ୟକ୍ଷ ଭାବେ ସର୍ବସମ୍ମତି କ୍ରମେ ମନୋନୀତ କରାଯାଇଥିଲା ବେଳେ ଉପଦେଷ୍ଟା ମଣ୍ଡଳୀରେ ଆଇନଜୀବୀ ଶିବଶଙ୍କର ସେନାପତି, ଶ୍ରୀ ପ୍ରମୋଦ ପ୍ରତାପ ସିଂହ ଓ ଶ୍ରୀ ଗୁଣନିଧି ଜୟସିଂହଙ୍କୁ ସାମିଲ କରାଯାଇଥିଲା ।


ଶ୍ରୀ ବୈକୁଣ୍ଠ ନାଥ ମହାପାତ୍ର ସଭାପତି, ଶ୍ରୀ ଶିବ ଚରଣ ମିଶ୍ର ସମ୍ପାଦକ ଓ ଶ୍ରୀ ମନୋଜ କୁମାର ମହାପାତ୍ର ରାଜ୍ୟ ପ୍ରତିନିଧି ଭାବେ ମନୋନୀତ

ଏହି ବୈଠକରେ ଲୋହିଆ ଏକାଡେମୀର ସମ୍ପାଦକ ଦେବପ୍ରସାଦ ରାୟ ଓ ଉତ୍କଳ ସର୍ବୋଦୟ ମଣ୍ଡଳର ସଭାପତି ମିହିର ପ୍ରତାପ ଦାସ ଅତିଥି ଭାବେ ଯୋଗଦେଇ ଦେଶର ସାଂପ୍ରତିକ ସ୍ଥିତି ଓ ସର୍ବୋଦୟ ସଂଗଠନର ଦାୟିତ୍ଵ ସମ୍ପର୍କରେ ଆଲୋକପାତ କରିଥିଲେ। ଏଥିରେ ଶ୍ରୀ ଗିରିଜା ଶଙ୍କର ମହାପାତ୍ର, ଶ୍ରୀ ଶରତ ଚନ୍ଦ୍ର ପ୍ରଧାନ, ଶ୍ରୀ ବିଚିତ୍ରାନନ୍ଦ ମହାନ୍ତି, ଶ୍ରୀ ଗୋବିନ୍ଦ ବେହେରା, ଶ୍ରୀ ଆନନ୍ଦ ଚନ୍ଦ୍ର ସାମନ୍ତରାୟ, ଶ୍ରୀ ତପନ କୁମାର ବେହେରା, ଶ୍ରୀ ରାଜକିଶୋର ସାମଲ, ଶ୍ରୀ ଦିଲ୍ଲୀପ କୁମାର ରାଉତ ଉପସ୍ଥିତ ରହି ସମସ୍ତ ସଚେତନ ନାଗରିକ ସର୍ବୋଦୟ ବିଚାରରେ ସାମିଲ ହେବାକୁ ଆହ୍ଵାନ କରିଥିଲେ। ରାଷ୍ଟ୍ରୀୟ ଯୁବା ସଂଗଠନର ମାନସ ପଟ୍ଟନାୟକ ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିବା ବେଳେ ଶ୍ରୀ ଅଶ୍ୱିନୀ ପଟ୍ଟନାୟକ ଧନ୍ୟବାଦ ଅର୍ପଣ କରିଥିଲେ।