ବାଲେଶ୍ବର: ବାଲେଶ୍ବର ଜିଲ୍ଲାର ଜଳେଶ୍ୱର ମ୍ୟୁନିସିପାଲିଟିରେ ଲାଞ୍ଚ ଗ୍ରହଣ କରୁଥିବାବେଳେ ଭିଜିଲାନ୍ସ ଟିମ୍ ହାତରେ ଧରାପଡିଲେ ଆକାଉଣ୍ଟାଣ୍ଟ ବ୍ରଜଗୋପାଳ ଘୋଷ ମହାପାତ୍ର।
ସୂତ୍ର ଅନୁସାରେ, ହୋଡିଂ ଓ ଲାଇଟ୍ ପୋଷ୍ଟ କାମ ସଂପର୍କିତ ବିଲ୍ ପାସ କରିବା ପାଇଁ ସେ ୨୦ ହଜାର ଟଙ୍କା ଲାଞ୍ଚ ଦାବି କରିଥିଲେ।ଠିକାଦାର ଜ୍ୟୋତି ମହାପାତ୍ର ତାଙ୍କ ଦାବିରେ ରାଜି ହୋଇ ୧୦ ହଜାର ଟଙ୍କା ଦେବା ସମୟରେ ଭିଜିଲାନ୍ସ ଅଧିକାରୀଙ୍କୁ ଖବର ଦେଇଥିଲେ। ତା’ପରେ ଡିଏସପି ସିକନ୍ଦର ହେମ୍ବ୍ରମଙ୍କ ନେତୃତ୍ୱରେ ଗଠିତ ୬ ଜଣିଆ ଟିମ୍ ଚଢ଼ାଉ କରି, ବ୍ରଜଗୋପାଳଙ୍କୁ ଧରିଥିଲେ ।
ଚଢ଼ାଉ ସମୟରେ ଟିମ୍ ୧୦ ହଜାର ଟଙ୍କା ଲାଞ୍ଚ ରାଶି ସହ ତାଙ୍କ କମ୍ପ୍ୟୁଟରର ହାର୍ଡ ଡିସ୍କ ଓ କିଛି ଗୁରୁତ୍ୱପୂର୍ଣ୍ଣ ଦଲିଲପତ୍ର ଜବତ କରିଛି। ବ୍ରଜଗୋପାଳ ଘୋଷ ମହାପାତ୍ରଙ୍କୁ ଅଟକ ରଖି ଭିଜିଲାନ୍ସ ଅଧିକ ତଦନ୍ତ ଜାରି ରଖିଛି।
