ପଟନା: ଆଗାମୀ ବିହାର ନିର୍ବାଚନ ପାଇଁ ବିଜେପି ତାଙ୍କ ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଜାରି କରିଛି। ଏହି ତାଲିକାରେ ମୋଟ ୭୧ ଜଣ ପ୍ରାର୍ଥୀଙ୍କ ନାମ ଘୋଷଣା ହୋଇଛି, ଯେଉଁଥିରେ ୯ ଜଣ ମହିଳା ଅଛନ୍ତି। ସୂତ୍ରଅନୁସାରେ, ତାରାପୁର ଆସନରୁ ଉପମୁଖ୍ୟମନ୍ତ୍ରୀ ସମ୍ରାଟ ଚୌଧୁରୀ ନିର୍ବାଚନ ଲଢ଼ିବେ, ଯେଉଁଠାରେ ଅନ୍ୟ ଉପମୁଖ୍ୟମନ୍ତ୍ରୀ ବିଜୟ ସିହ୍ନା ଲଖୀସରାଇରୁ ମେଦାନରେ ଓଲ୍ହାଇବେ। ବାଙ୍କିପୁର ଆସନରୁ ମନ୍ତ୍ରୀ ନୀତିନ ନବୀନ ଓ ବେଟିଆରୁ ପୂର୍ବତନ ଉପମୁଖ୍ୟମନ୍ତ୍ରୀ ରେଣୁ ଦେବୀ ପ୍ରାର୍ଥୀ ଭାବେ ଲଢ଼ିବେ। ଦାନାପୁରରୁ ବରିଷ୍ଠ ନେତା ରାମକୃପାଳ ଯାଦବ ଟିକେଟ ପାଇଛନ୍ତି।ସେହିପରି ମନ୍ତ୍ରୀ ମଙ୍ଗଳ ପାଣ୍ଡେ ସିୱାନରୁ, ସଞ୍ଜୟ ସରାୱାଗି ଦରଭଙ୍ଗାରୁ ଓ ନୀରଜ କୁମାର ବବଲୁ ଛାତାପୁରରୁ ନିର୍ବାଚନ ଲଢ଼ିବେ। ପୂର୍ବତନ ଉପମୁଖ୍ୟମନ୍ତ୍ରୀ ତାରକିଶୋର ପ୍ରସାଦ କଟିହାରରୁ ପ୍ରାର୍ଥୀ ହୋଇଛନ୍ତି। ବିଜେପି ଏହି ତାଲିକାରେ ତାଙ୍କ ସମସ୍ତ ବରିଷ୍ଠ ନେତାଙ୍କୁ ଟିକେଟ ଦେଇଛି।ଦୀର୍ଘ ସମୟ ଧରି ଏନଡିଏ ମେଣ୍ଟ ମଧ୍ୟରେ ସିଟ୍ ବୁଝାମଣାକୁ ନେଇ ମତଭେଦ ଚାଲୁଥିଲା। ଶେଷରେ ଚୁକ୍ତି ସମ୍ପନ୍ନ ହେବା ପରେ ଧାର୍ଯ୍ୟ ହୋଇଛି ଯେ ବିଜେପି ଏବଂ ଜେଡିୟୁ ପ୍ରତ୍ୟେକ ୧୦୧ଟି ସିଟରେ ନିର୍ବାଚନ ଲଢ଼ିବେ। ଏଲଜେପି (ଆର୍) ୨୯ଟି ଆସନରେ ଓ ହାମ୍ ଏବଂ ରାଷ୍ଟ୍ରୀୟ ଲୋକ ମୋର୍ଚ୍ଚା ପ୍ରତ୍ୟେକ ୬ଟି ସିଟରେ ପ୍ରତିଦ୍ଵନ୍ଦ୍ୱିତା କରିବେ।
ବିହାର ନିର୍ବାଚନ: ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କଲା ବିଜେପି
Oplus_131072
