ଭୁବନେଶ୍ୱର: ରାଜ୍ୟରେ ଲୋକଙ୍କ ଅଭିଯୋଗ ଓ ସମସ୍ୟାଗୁଡ଼ିକ ଶୁଣି ସମାଧାନ କରିବା ପାଇଁ ମୋହନ ସରକାର ପ୍ରଚାର କରୁଥିବା ବେଳେ, ସତ୍ୟତା କିଛି ଅଲଗା କହୁଛି। ପ୍ରତି ସୋମବାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏବଂ ତାଙ୍କ ମନ୍ତ୍ରୀମଣ୍ଡଳୀ ନିଜେ ଅଭିଯୋଗ ପ୍ରକୋଷ୍ଠରେ ଲୋକଙ୍କ ସହିତ ଭେଟି ତାଙ୍କ ଗୁହାରି ଶୁଣିଥାନ୍ତି ଏବଂ ତ୍ୱରିତ ସମାଧାନ ପାଇଁ ସଚିବମାନଙ୍କୁ ନିର୍ଦ୍ଦେଶ ଦେଇଥାନ୍ତି।ତଥାପି ରାଜ୍ୟର ଛ’ଟି ବିଭାଗ ଏହି ପ୍ରକ୍ରିୟାକୁ ଗୁରୁତ୍ୱ ଦେଉନାହାନ୍ତି ବୋଲି ଜଣାପଡ଼ିଛି। ଏହାର ପରିଣାମରେ ପ୍ରାୟ ୩୮ ହଜାର ଅଭିଯୋଗ ଏପର୍ଯ୍ୟନ୍ତ ଅସମାଧାନ ରହିଛି। ସରକାର ପକ୍ଷରୁ ବାରମ୍ବାର ଚିଠି ଲେଖି ସଚେତନ କରାଯାଇଥିଲେ ମଧ୍ୟ ଏହି ବିଭାଗମାନେ ପର୍ଯ୍ୟାପ୍ତ ପଦକ୍ଷେପ ଗ୍ରହଣ କରୁନାହାନ୍ତି। ଏହି କାରଣରୁ ୧୫ ଅକ୍ଟୋବର ତାରିଖରେ ସମ୍ପୃକ୍ତ ବିଭାଗୀୟ ମୁଖ୍ୟମାନଙ୍କୁ ପୁନର୍ବାର ଚିଠି ଲେଖି ତାଗିଦ୍ କରାଯାଇଛି।ସାଧାରଣ ଅଭିଯୋଗ ନିର୍ଦ୍ଦେଶକ ସୁକାନ୍ତ କୁମାର ବେହେରା ଜଣାଇଛନ୍ତି, ଜନଶୁଣାଣି ହେଉଛି ଓଡ଼ିଶା ସରକାରଙ୍କ ସବୁଠୁ ଗୁରୁତ୍ୱପୂର୍ଣ୍ଣ ଜନସେବା କାର୍ଯ୍ୟକ୍ରମ ମଧ୍ୟରୁ ଗୋଟିଏ। ଏହା ମାଧ୍ୟମରେ ଲୋକମାନେ ଯେକୌଣସି ସ୍ଥାନରୁ ଓ ସମୟରେ ନିଜ ଅଭିଯୋଗ ସରକାରୀ ଅଧିକାରୀଙ୍କ ନିକଟକୁ ପହଞ୍ଚାଇପାରନ୍ତି। କିନ୍ତୁ ଜଳସମ୍ପଦ, ମହିଳା ଓ ଶିଶୁ ବିକାଶ, ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ, ପଞ୍ଚାୟତିରାଜ, ବିଦ୍ୟାଳୟ ଓ ଗଣଶିକ୍ଷା ଏବଂ ଇସ୍ପାତ ଓ ଖଣି ବିଭାଗରେ ଅଭିଯୋଗ ସମାଧାନ ହାର ଅନ୍ୟ ବିଭାଗଠାରୁ ଅନେକ କମ୍ ରହିଛି।ତାଙ୍କ ତଥ୍ୟ ଅନୁଯାୟୀ, ପଞ୍ଚାୟତିରାଜ ବିଭାଗରେ ୨୦,୫୪୪ଟି, ମହିଳା ଓ ଶିଶୁ ବିକାଶ ବିଭାଗରେ ୨,୩୧୯ଟି, ଜଳସମ୍ପଦ ବିଭାଗରେ ୧,୪୪୬ଟି, ସ୍ବାସ୍ଥ୍ୟ ବିଭାଗରେ ୪,୯୮୮ଟି, ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗରେ ୮,୬୫୨ଟି ଏବଂ ଇସ୍ପାତ ଓ ଖଣି ବିଭାଗରେ ୫୦୬ଟି ଅଭିଯୋଗ ଅଟକିଛି।ଏବେ ସମଗ୍ର ରାଜ୍ୟର ୪୦ଟି ବିଭାଗକୁ ମୋଟ ୪,୯୯,୮୫୧ଟି ଅଭିଯୋଗ ମିଳିଥିବାବେଳେ, ସେପ୍ଟେମ୍ବର ମାସରେ ମାତ୍ର ୧୭,୦୧୧ଟି ଅଭିଯୋଗ ରାଜ୍ୟ ସରକାର ନିକଟକୁ ଆସିଥିଲା। ସେଥିରୁ ମାତ୍ର ୧୧ ପ୍ରତିଶତ ଅଭିଯୋଗର ସମାଧାନ ହୋଇଛି। ଅଧିକାଂଶ ବିଭାଗରେ ସମାଧାନ ହାର ୩ରୁ ୫ ପ୍ରତିଶତ ମଧ୍ୟରେ ରହିଛି। ସେପ୍ଟେମ୍ବର ଶେଷ ପର୍ଯ୍ୟନ୍ତ ରାଜ୍ୟରେ ୬୬,୮୬୮ଟି ଅଭିଯୋଗ ଅସମାଧାନ ରହିଛି।ଅନ୍ୟପଟେ, ସାଧାରଣ ଉଦ୍ୟୋଗ, ସୂଚନା ଓ ଲୋକସମ୍ପର୍କ, ହସ୍ତତନ୍ତ ଓ ବୟନଶିଳ୍ପ ବିଭାଗମାନଙ୍କ ସମାଧାନ ହାର ୯୭ରୁ ୯୮ ପ୍ରତିଶତ ମଧ୍ୟରେ ରହିଛି, ଯାହା ଅନ୍ୟ ବିଭାଗ ପାଇଁ ଉଦାହରଣ ସ୍ୱରୂପ।
ମୋହନକଂ କଥା ମାନୁନାହାନ୍ତି ବିଭାଗୀୟ ଅଫିସର, ଅଟକି ରହିଛି ୩୮ ହଜାରରୁ ଅଧିକ ଅଭିଯୋଗ
Oplus_131072
