ମହିଳାଙ୍କୁ ସୁରକ୍ଷା ଦେବାରେ ରାଜ୍ୟ ସରକାର ସମ୍ପୂର୍ଣ୍ଣ ବିଫଳ: ବିଜେଡ଼ି

Oplus_16908288

ଭୁବନେଶ୍ଵର: ରାଜଧାନୀ ଭୁବନେଶ୍ଵରର ଅଶୋକ ନଗର ଅଞ୍ଚଳରେ ଶୁକ୍ରବାର ଜଣେ ୧୭ ବର୍ଷୀୟ ଝିଅକୁ ଗଣଦୁଷ୍କର୍ମ ଘଟଣା ଲୋକଲୋଚନକୁ ଆସିବା ପରେ ରାଜ୍ୟରେ ମହିଳା ସୁରକ୍ଷାକୁ ନେଇ ବିଜେଡି ରାଜ୍ୟ ବିଜେପି ସରକାରଙ୍କ ଉପରେ ବର୍ଷିଛି। ମହିଳାଙ୍କୁ ସୁରକ୍ଷା ଦେବାରେ ରାଜ୍ୟ ସରକାର ସମ୍ପୂର୍ଣ୍ଣ ବିଫଳ ବୋଲି ବିଜେଡି ପକ୍ଷରୁ କୁହାଯାଇଛି। ଶଙ୍ଖଭବନରେ ଶନିବାର ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ମହିଳା ଜନତା ଦଳର ସାଧାରଣ ସମ୍ପାଦକ ତଥା ରାଜ୍ୟସଭା ସାଂସଦ ସୁଲତା ଦେଓ, ବରିଷ୍ଠ ସାଧାରଣ ସମ୍ପାଦକ ସୁମିତ୍ରା ଜେନା ଏବଂ ସାଧାରଣ ସମ୍ପାଦକ ରଞ୍ଜିତା ସାହୁ ଗତ ୧୬ ମାସର ବିଜେପି ଶାସନରେ ରାଜ୍ୟ ସରକାର ମହିଳାମାନଙ୍କୁ ସୁରକ୍ଷା ପ୍ରଦାନ କରିବା କ୍ଷେତ୍ରରେ ସମ୍ପୂର୍ଣ୍ଣ ବିଫଳ ହୋଇଛନ୍ତି ବୋଲି ଅଭିଯୋଗ କରିଛନ୍ତି।ସୁଲତା ଦେଓ କହିଛନ୍ତି ଯେ ରାଜଧାନୀ ଭୁବନେଶ୍ଵରର ଛାତି ଉପରେ ଜଣେ ୧୭ ବର୍ଷର ଝିଅକୁ ଗଣଦୁଷ୍କର୍ମ କରି ମୁମୂର୍ଷୁ ଅବସ୍ଥାରେ ଫିଙ୍ଗି ଦିଆଯାଉଛି; କିନ୍ତୁ ପୁଲିସ ପ୍ରଶାସନ ଜାଣି ପାରୁନି । ରାଜଧାନୀର ଛାତି ଉପରେ ଯଦି ମହିଳାମାନଙ୍କୁ ସୁରକ୍ଷା ପ୍ରଦାନ କରିବାରେ ସରକାର ସକ୍ଷମ ନୁହଁନ୍ତି, ତା’ହେଲେ ଅନ୍ୟ ଜାଗାରେ କିଭଳି ସୁରକ୍ଷା ପ୍ରଦାନ କରି ପାରିବେ। ରାଜ୍ୟରେ ଦୁଷ୍କର୍ମ ଓ ଗଣଦୁଷ୍କର୍ମ ଭଳି ଘଟଣା ପ୍ରତିଦିନ ଖବର କାଗଜରେ ଶିରୋନାମା ପାଲଟୁଛି। ରାଜ୍ୟରେ ଗତ ୧୬ ମାସରେ ୩୭,୭୫୦ରୁ ଉଦ୍ଧର ମହିଳା ନିର୍ଯାତନା ମାମଲା ରୁଜୁ ହୋଇଛି। ଯାହା ଭିତରେ, ଦୁଷ୍କର୍ମ, ଗଣଦୁଷ୍କର୍ମ, ଅସଦାଚରଣ, ହତ୍ୟା ଇତ୍ୟାଦି ଘଟଣା ରହିଛି। ବିରୋଧୀ ଦଳମାନଙ୍କ ପକ୍ଷରୁ ଏନେଇ ବିଧାନସଭାରେ ଓ ବାହାରେ ସ୍ବର ଉତ୍ତୋଳନ କରାଯାଇ ଆସୁଥିଲେ ମଧ୍ୟ ସ୍ଥିତିରେ ସୁଧାର ଆଣିବା ପାଇଁ ରାଜ୍ୟ ସରକାର କୌଣସି ପଦକ୍ଷେପ ନେଇ ନାହାନ୍ତି।ସୁମିତ୍ରା ଜେନା କହିଥିଲେ ଯେ ଅଶୋକ ନଗର ଗଣଦୁଷ୍କର୍ମ ଘଟଣାରେ ପୁଲିସ ସ୍ପଷ୍ଟୀକରଣ ଦେଇ ଏହା ଏକ ସେକ୍ସ ରାକେଟ ମାମଲା ବୋଲି କହୁଛି । କିନ୍ତୁ ଯଦି ରାଜଧାନୀର ମାଷ୍ଟରକ୍ୟାଣ୍ଟିନ୍ ଅଞ୍ଚଳରେ ସେକ୍ସ ରାକେଟ ଚାଲୁଛି, ତା’ହେଲେ ପୁଲିସ ଏଠାରେ କରୁଛି କଣ? ରାଜ୍ୟରେ ଆଇନଶୃଙ୍ଖଳା ପରିସ୍ଥିତି ବିପର୍ଯ୍ୟସ୍ତ ହୋଇ ପଡିଛି; କିନ୍ତୁ ସରକାରଙ୍କର ଏଥିପ୍ରତି ନିଘା ନାହିଁ।ରଞ୍ଜିତା ସାହୁ କହିଥିଲେ ଯେ ପଶ୍ଚିମବଙ୍ଗରେ ଓଡ଼ିଆ ଝିଅର ଗଣଦୁଷ୍କର୍ମ ଘଟଣାରେ ରାଜ୍ୟ ସରକାର ତତ୍ପରତା ଦେଖାଇଥିଲେ । ମୁଖ୍ୟମନ୍ତ୍ରୀ ପୀଡ଼ିତା ସହିତ କଥା ହୋଇ ଟଙ୍କା ବାର୍ତ୍ତାଳାପର ଭିଡିଓ ଗଣମାଧ୍ୟମରେ ଛାଡ଼ିଲେ। ରାଜ୍ୟ ମହିଳା କମିସନ ସେଠାକୁ ଯାଇ ପୀଡ଼ିତାଙ୍କ ପରିବାରକୁ ଭେଟିଲେ। କିନ୍ତୁ ରାଜ୍ୟରେ ପ୍ରତିଦିନ କେହି ନା କେହି ମହିଳା ଦୁଷ୍କର୍ମର ଶୀକାର ହେଉଛନ୍ତି । ନା ମୁଖ୍ୟମନ୍ତ୍ରୀ ସେମାନଙ୍କ ସହିତ କଥା ହେଉଛନ୍ତି ନା ରାଜ୍ୟ ମହିଳା କମିସନ ସେମାନଙ୍କ ନିକଟକୁ ଯାଉଛନ୍ତି । ଦୁଃଖ ଓ ପରିତାପର ବିଷୟ ଯେ ଦୁଷ୍କର୍ମ, ଗଣଦୁଷ୍କର୍ମ ଘଟଣାରେ ସରକାର ରାଜନୀତି କରିବାକୁ ପଛାଉ ନାହାନ୍ତି । ପଶ୍ଚିମବଙ୍ଗରେ ଦୁଷ୍କର୍ମ ମାମଲାରେ ରାଜ୍ୟ ସରକାର ତତ୍ପରତା ଦେଖାଉଥିବା ବେଳେ ରାଜ୍ୟରେ ହେଉଥିବା ମାମଲା ଗୁଡିକରେ ନିରବତା ଅବଲମ୍ବନ କରୁଛନ୍ତି । ଏହା ରାଜ୍ୟ ସରକାରଙ୍କ ହୀନ ରାଜନୀତି ବୋଲି ଶ୍ରୀମତୀ ସାହୁ କହିଥିଲେ ।

Leave a Reply

Your email address will not be published. Required fields are marked *