ତଥ୍ୟ ଅନୁସନ୍ଧାନକାରୀ ଦଳର ଦାବୀ
ନବରଙ୍ଗପୁର ଜିଲ୍ଲାରେ ଜଙ୍ଗଲ ବିଭାଗ ମେରୀ ରାୟ ନୀତିରେ ଘର ଭାଙ୍ଗିବା ଓ ଚାଷ ଉଜାଡ଼ିଦେବା ଯୋଗୁଁ ଯୁଗଯୁଗ ଧରି ଏଠାରେ ରହି ଆସୁଥିବା ଆଦିବାସୀ, ଦଳିତ ଓ ଅନ୍ୟ ଜଙ୍ଗଲ ଅଧିବାସୀମାନେ ଆତଙ୍କିତ ଅବସ୍ଥାରେ ଅଛନ୍ତି। ଜନ ଆନ୍ଦୋଳନ ମାନଙ୍କର ରାଷ୍ଟ୍ରୀୟ ସମନ୍ୱୟ (ଏନଏପିଏମ)ର ରାଜ୍ୟ ଶାଖା ପକ୍ଷରୁ ଲୋକଶକ୍ତି ଅଭିଯାନର ସଭାପତି ପ୍ରଫୁଲ୍ଲ ସାମନ୍ତରା, ନିୟମଗିରି ଆନ୍ଦୋଳନର ନେତା ଲିଙ୍ଗରାଜ ଆଜାଦ, ଗାନ୍ଧୀ ଶାନ୍ତି ପ୍ରତିଷ୍ଠାନର ଆବାହକ ଡ଼ା ବିଶ୍ୱଜିତ୍, ଭୂମି ଅଧିକାର ଗବେଷକ ସନ୍ଦୀପ ପଟ୍ଟନାୟକ ଓ ରାଷ୍ଟ୍ରୀୟ ଯୁବା ସଂଗଠନର ରାଜ୍ୟ ସଂଯୋଜକ ମାନସ ପଟ୍ଟନାୟକଙ୍କୁ ନେଇ ଏକ ତଥ୍ୟ ଅନୁସନ୍ଧାନକାରୀ ଦଳ ନବରଙ୍ଗପୁର ଜିଲ୍ଲାର ବିଭିନ୍ନ ଅଞ୍ଚଳ ଗସ୍ତ କରି ଜଙ୍ଗଲ ବିଭାଗ ଦ୍ଵାରା ବିନା କାରଣରେ ପ୍ରପୀଡ଼ିତ ହୋଇଥିବା ଲୋକଙ୍କର ପରିସ୍ଥିତି ଦେଖିଛନ୍ତି।
ଗତକାଲି ଏହି ତଥ୍ୟ ଅନୁସନ୍ଧାନକାରୀ ଦଳ ରାଜ୍ୟପାଳ ହରିବାବୁ କମ୍ଭମପତିଙ୍କୁ ଭେଟି ଜିଲ୍ଲାର ଝରିଗାଁ ବ୍ଲକର ହାତୀବାଡ଼ି ଗ୍ରାମରେ ଜଙ୍ଗଲ ବିଭାଗ ଦ୍ଵାରା ଭଙ୍ଗା ଯାଇଥିବା ଅଠରଟି ପରିବାରର ଘର, ଚନ୍ଦାହାଣ୍ଡି ବ୍ଲକର ଚାଚରାଘାଟି ଗ୍ରାମରେ ରହୁଥିବା ଆଦିମ ଅଧିବାସୀ କରିଥିବା ମକା ଚାଷକୁ ଉଜାଡି ସେହି ଜମିରେ ବନୀକରଣ ନିମନ୍ତେ ଗାତଖୋଳା, ଉମରକୋଟ ବ୍ଲକର ମେନ୍ଦାବେଡ଼ା ଗ୍ରାମରେ ଚାଳିଶ ବର୍ଷରୁ ଉର୍ଦ୍ଧ୍ବ ସମୟ ଧରି ଗ୍ରାମ୍ୟ ଜଙ୍ଗଲ ଜମିରେ ବସବାସ କରୁଥିବା ୩୦ ଆଦିବାସୀ, ଦଳିତ ଓ ଜଙ୍ଗଲ ଅଧିବାସୀଙ୍କ ଘର ତହସିଲଦାରଙ୍କ ଦ୍ଵାରା ଭଙ୍ଗାଯିବା ତଥା ରାଇଘର ବ୍ଲକର ଛତିଶଗଡ ସୀମାନ୍ତ ଦୁର୍ଗମ ଲଖନପୁର ଜଙ୍ଗଲ ଏରିଆରେ ରହୁଥିବା ୩୫ ପରିବାରର ଘରକୁ ଜଙ୍ଗଲ ବିଭାଗ ଦ୍ଵାରା ନିଆଁ ଲଗାଇଦେଇ ଓ ପରେ ବୁଲଡୋଜର ଚଳାଇ ମାଟିରେ ମିଶାଇଦେବା ଘଟଣା ଜଣାଇଛନ୍ତି। ଜଙ୍ଗଲ ବିଭାଗର ଅଧିକାରୀମାନେ ଏତେ ନିର୍ଦ୍ଦୟ ହୋଇଛନ୍ତି ଯେ, ରାସ୍ତାକଡ଼ରେ ଥିବା ଟିଉବୱେଲ ଇପାଡ଼ି ଫିଙ୍ଗି ଦେଇଛନ୍ତି। ପୁଣି ଗୋଟିଏ ହାତ ନଥିବା ଦିବ୍ୟାଙ୍ଗଙ୍କ ସାଇକେଲ ମରାମତି ଦୋକାନ, ହାଟପଦାରେ ଶାଢ଼ୀ ଘେରାଉ ପରିବା ଦୋକାନ କରିଥିବା ଲୋକର ଅସ୍ଥାୟୀ କୁଡ଼ିଆକୁ ସୁଦ୍ଧା ଭାଙ୍ଗି ଦେଇଛନ୍ତି। ଲୋକେ ବର୍ତ୍ତମାନ ବର୍ଷାରେ ପାଲଟାଣି ଗଛମୂଳେ ରହୁଛନ୍ତି। ଜିଲ୍ଲାପାଳ ଓ ଅନ୍ୟ ଅଧିକାରୀମାନେ ସମସ୍ତ ଘଟଣା ଜାଣି ସୁଦ୍ଧା ପଦକ୍ଷେପ ନେବା ତ ଦୂରର କଥା ଲୋକଙ୍କୁ ଜରିପାଲ ଖଣ୍ଡେ ଯୋଗାଇ ନାହାଁନ୍ତି।ଜଙ୍ଗଲ ଅଧିକାର ଆଇନ – ୨୦୦୬ ଅନୁସାରେ ୨୦୦୫ ମସିହା ଡିସେମ୍ବର ମାସ ପୂର୍ବରୁ ଜଙ୍ଗଲ ଜମିରେ ବସବାସ କରୁଥିବା ଆଦିବାସୀ ଓ ଅନ୍ୟ ଜଙ୍ଗଲ ଅଧିବାସୀମାନଙ୍କୁ ବ୍ୟକ୍ତିଗତ ଓ ସାମୁଦାୟିକ ପଟ୍ଟା ଦେବାର ଆଇନ ଥିବାସତ୍ତ୍ବେ ଓ ଲୋକେ ଏଥିପାଇଁ ଦରଖାସ୍ତ କରିଥିବା ସତ୍ତ୍ୱେ ପ୍ରଶାସନ ଏଥିପ୍ରତି ଆଖି ବୁଜି ଦେଇଛି।


ଗତକାଲି ରାଜଭବନରେ ରାଜ୍ୟପାଳଙ୍କୁ ଏନଏପିଏମ ସ୍ମାରକପତ୍ର ଦେଇ ଦର୍ଶାଇଛି ଯେ, କେବଳ ନବରଙ୍ଗପୁର ନୁହେଁ ମୟୂରଭଞ୍ଜ ଜିଲ୍ଲାର ରାଇରଙ୍ଗପୁରରେ ମଧ୍ୟ ଏଆରଷ୍ଟ୍ରିପ ନିର୍ମାଣ ଆଳରେ ବିନା କାରଣରେ ୪୩ ଆଦିବାସୀ ପରିବାରର ଘରଦ୍ୱାର ଜଙ୍ଗଲ ବିଭାଗ ଭାଙ୍ଗି ଦେଇଛି। ଦେଶର ରାଷ୍ଟ୍ରପତିଙ୍କ ଠାରୁ ଆରମ୍ଭ କରି ମୁଖ୍ୟମନ୍ତ୍ରୀ, ନବରଙ୍ଗପୁର ସାଂସଦ, ସ୍ଥାନୀୟ ବିଧାୟକ ସମସ୍ତେ ଆଦିବାସୀ ହୋଇଥିବା ବେଳେ ଆଦିବାସୀମାନଙ୍କ ଉପରେ ଏଭଳି ଅତ୍ୟାଚାର ପ୍ରଶାସନର ଆଦିବାସୀ ବିରୋଧୀ ମାନସିକତାକୁ ଦର୍ଶାଉଛି।
ଆଜି ଲୋହିଆ ଏକାଡେମୀଠାରେ ଏକ ସାମ୍ବାଦିକ ସମ୍ମିଳନୀରେ ଏନଏପିଏମ ପକ୍ଷରୁ ରାଜ୍ୟ ସରକାରଙ୍କ ନିକଟରେ ଦାବୀ ହୋଇଛି ଯେ, ଖରାବର୍ଷାରେ ଉଦବାସ୍ତୁ ହୋଇ ପଡିଥିବା ଲୋକମାନଙ୍କୁ ତୁରନ୍ତ କ୍ଷତିପୂରଣ ସହ ସ୍ଥାୟୀ ଥଇଥାନର ବ୍ୟବସ୍ଥା କରାଯାଉ। ଜଙ୍ଗଲ ଅଧିକାର ଆଇନ ଅନୁସାରେ ସେହି ଲୋକମାନଙ୍କୁ ପଟ୍ଟା ସରକାର ପ୍ରଦାନ କରନ୍ତୁ। ଯେଉଁ ଅଧିକାରୀମାନେ ଏହି ଜଘନ୍ୟ ଅପରାଧ ଘଟାଇଛନ୍ତି, ସେମାନଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ। ରାଜ୍ୟ ସରକାର କ୍ଷମତାକୁ ଆସିବା ବେଳେ ରାଜସ୍ବ ମନ୍ତ୍ରୀ କୌଣସି ଗରିବ ଲୋକକୁ ତାହାର ବାସସ୍ଥାନରୁ ବେଘର କରାଯିବ ନାହିଁ ବୋଲି ପ୍ରତିଶୃତି ଦେଇଥିବା ବେଳେ ନବରଙ୍ଗପୁରରୁ ମୟୂରଭଞ୍ଜ ଯାଏ ଗରୀବ ଆଦିବାସୀ ଦଳିତ ଲୋକଙ୍କୁ ବେଘର କରାଯିବା ଘଟଣା ଉତ୍କଟ ମାନବାଧିକାର ହନନ ବୋଲି ଏନଏପିଏମ ଅଭିଯୋଗ କରିଛି।