ମା’ବଞ୍ଜାରୀ ଦେବୀ ମନ୍ଦିରରୁ ନୂଆପଡ଼ାରେ ପ୍ରଚାର ଅଭିଯାନ ଆରମ୍ଭ କଲା ବିଜେଡ଼ି

ନୂଆପଡା: ବିଜୁ ଜନତା ଦଳ ନୂଆପଡା ବିଧାନସଭା ଉପନିର୍ବାଚନ ପାଇଁ ବିଧିବଦ୍ଧ ଭାବେ ପ୍ରଚାର ଅଭିଯାନର ଶୁଭାରମ୍ଭ କରିଛି । ମା’ ବଞ୍ଜାରୀ ଦେବୀ ମନ୍ଦିରରେ ବିଜେଡ଼ିର ବରିଷ୍ଠ ନେତାମାନେ ନୂଆପଡ଼ା ଉପନିର୍ବାଚନ ପାଇଁ ଦଳର ପ୍ରାର୍ଥୀ ସ୍ନେହାଙ୍ଗିନୀ ଛୁରିଆଙ୍କ ବିପୁଳ ବିଜୟ ତଥା ନୂଆପଡ଼ାର ଶାନ୍ତି, ଉନ୍ନତି ଓ ସମୃଦ୍ଧି ପାଇଁ ମା’ଙ୍କ ଆଶୀର୍ବାଦ ଭିକ୍ଷା କରିଥିଲେ ।ଦଳର ବରିଷ୍ଠ ନେତା ଦେବୀ ପ୍ରସାଦ ମିଶ୍ରଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସଭାରେ ଦଳର ପ୍ରାର୍ଥୀ ତଥା ପୂର୍ବତନ ମନ୍ତ୍ରୀ ସ୍ନେହାଙ୍ଗିନୀ ଛୁରିଆ ତଥା ରାଜ୍ୟ ଓ ଜିଲ୍ଲାସ୍ତରୀୟ ନେତୃବୃନ୍ଦ ଯୋଗ ଦେଇ ବଡ଼ ବ୍ୟବଧାନରେ ବିଜେଡ଼ିର ବିଜୟ ପାଇଁ ଆହ୍ୱାନ ଜଣାଇଥିଲେ ।ବିପୁଳ ଜନସମାଗମକୁ ସମ୍ୱୋଧିତ କରି ଛୁରିଆ କହିଥିଲେ ଯେ ନୂଆପଡ଼ାର ସାମଗ୍ରୀକ ବିକାଶ ପାଇଁ ଆଜିଠାରୁ ତାଙ୍କର ଅଭିଯାନ ଆରମ୍ଭ ହେଲା । ସେ କହିଥିଲେ ଯେ, “ବିଜୁ ଜନତା ଦଳ ସଦା ସେବା ଓ ଲୋକକଲ୍ୟାଣ ପାଇଁ କାମ କରୁଛି । ବିଜେଡ଼ି ସଭାପତି ନବୀନ ପଟ୍ଟନାୟକଙ୍କ ଦୂରଦୃଷ୍ଟି ସମ୍ପନ୍ନ ନେତୃତ୍ୱରେ ଆମର ସ୍ୱାର୍ଥ ବିହୀନ ସେବା ଓ ଜନକଲ୍ୟାଣ ଧାରା ଜାରି ରହିଛି । ବିଜୁ ପଟ୍ଟନାୟକଙ୍କ ଶାସନକାଳରେ ନୂଆପଡ଼ା ଏକ ଜିଲ୍ଲାର ମାନ୍ୟତା ପାଇଥିଲା । ତାଙ୍କର ଦୂରଦୃଷ୍ଟି ଓ ନେତୃତ୍ୱକୁ ଆଜି ମଧ୍ୟ ନୂଆପଡ଼ାବାସୀ ସମ୍ମାନର ସହ ସ୍ମରଣ କରି ଆସୁଛନ୍ତି ।