କଟକ: ଓଡ଼ିଶାର ଐତିହାସିକ ଏବଂ ବୃହତ୍ତମ ବାଣିଜ୍ୟ ମେଳା ବାଲିଯାତ୍ରା ଏବେ ପାଇବ ବିଶ୍ୱସ୍ତରୀୟ ଆକର୍ଷଣ। ଏହି ବର୍ଷର ବାଲିଯାତ୍ରା ପାଇଁ ଇଣ୍ଡୋନେସିଆକୁ ‘ପାର୍ଟନର ଦେଶ’ ଭାବେ ଘୋଷଣା କରାଯାଇଛି ବୋଲି କଟକ ଜିଲ୍ଲା ପ୍ରଶାସନ ଜଣାଇଛି।ପ୍ରାଚୀନ କାଳରେ କଳିଙ୍ଗ ଓ ଇଣ୍ଡୋନେସିଆର ବାଲି, ଜାଭା ଏବଂ ସୁମାତ୍ରା ଦ୍ୱୀପପୁଞ୍ଜ ମଧ୍ୟରେ ଥିବା ପୁରାତନ ବାଣିଜ୍ୟ ଓ ସାଂସ୍କୃତିକ ସମ୍ପର୍କକୁ ପୁନର୍ଜୀବନ ଦେବା ଉଦ୍ଦେଶ୍ୟରେ ଏହି ପଦକ୍ଷେପ ଗ୍ରହଣ କରାଯାଇଛି। ସେତେବେଳେ କଳିଙ୍ଗର ସାଧବମାନେ ସମୁଦ୍ର ପଥରେ ଯାଇ ଏହି ଦେଶଗୁଡ଼ିକ ସହ ବାଣିଜ୍ୟ କରୁଥିଲେ।ଚଳିତ ବର୍ଷ ନଭେମ୍ବର ୫ ରୁ ୧୨ ତାରିଖ ପର୍ଯ୍ୟନ୍ତ ବାଲିଯାତ୍ରା କଟକର ମହାନଦୀ କୂଳରେ ଅନୁଷ୍ଠିତ ହେବ। ପ୍ରାୟ ୬୦ ଏକର ଜମିରେ ଏହି ବୃହତ୍ ଉତ୍ସବ ଆୟୋଜିତ ହେବ। ଇଣ୍ଡୋନେସିଆ ପକ୍ଷରୁ ହସ୍ତଶିଳ୍ପ, ସାଂସ୍କୃତିକ ସାମଗ୍ରୀ ଏବଂ ପାରମ୍ପରିକ ଉତ୍ପାଦ ପ୍ରଦର୍ଶନ ପାଇଁ ଏକ ସ୍ୱତନ୍ତ୍ର ପାଭିଲିୟନ ତିଆରି କରାଯିବ।ଏହି ସହଯୋଗ ଅବସରରେ ଇଣ୍ଡୋନେସିଆର ଏକ ଉଚ୍ଚସ୍ତରୀୟ ପ୍ରତିନିଧି ଦଳ ଓଡ଼ିଶା ଗସ୍ତରେ ଆସିବାର ସମ୍ଭାବନା ରହିଛି। ପ୍ରଶାସନ ଆଶା କରୁଛି ଯେ, ପାର୍ଟନର ଦେଶ ଭାବେ ଇଣ୍ଡୋନେସିଆର ଯୋଗଦାନ ବାଲିଯାତ୍ରାକୁ ବିଶ୍ୱସ୍ତରୀୟ ରୂପରେ ପରିଚିତ କରିବ।ସାଧାରଣତଃ କାର୍ତ୍ତିକ ପୂର୍ଣ୍ଣିମାରେ ଆରମ୍ଭ ହେଇ ସପ୍ତାହେ ଧରି ଚାଲୁଥିବା ବାଲିଯାତ୍ରାକୁ ଏବେ ରାଜ୍ୟ ଉତ୍ସବ ଭାବେ ମାନ୍ୟତା ଦେଇଛି ଓଡ଼ିଶା ସରକାର।
ବିଶ୍ୱସ୍ତରୀୟ ହେବ ବାଲିଯାତ୍ରା: ଇଣ୍ଡୋନେସିଆ ହେଲା ସହଯୋଗୀ ଦେଶ
Oplus_131072
