ଯାଜପୁର: ସରକାରୀ ସେବାରେ ସ୍ୱଚ୍ଛତା ଓ ତ୍ୱରିତ ଜନସେବା ଯୋଗାଇବା ଲକ୍ଷ୍ୟରେ ରାଜ୍ୟ ସରକାର ଦ୍ୱାରା ଇ-ଗେଜେଟ୍ ନୋଟିଫିକେଶନ ବ୍ୟବସ୍ଥା ଆରମ୍ଭ କରାଯାଇଥିଲା। ଏହା ମାଧ୍ୟମରେ ଆଧାର କାର୍ଡ ସହ ଅନ୍ୟାନ୍ୟ ଦସ୍ତାବେଜରେ ନାମ ସଂଶୋଧନ ପାଇଁ ଅନଲାଇନ ଆବେଦନ ସୁବିଧା ଦିଆଯାଇଛି। କିନ୍ତୁ ଏହି ବ୍ୟବସ୍ଥା ମଧ୍ୟରେ ବ୍ୟାପକ ଦୁର୍ନୀତି ଓ ଅନିୟମିତତା ଘଟୁଥିବା ଅଭିଯୋଗ ଉଠିଛି।ଅଭିଯୋଗ ଅନୁସାରେ, କେହି ଆବେଦନକାରୀଙ୍କ ମାମଲା ୧୫ରୁ ୨୦ ଦିନ ମଧ୍ୟରେ ସମାଧାନ ହେଉଥିବା ବେଳେ, ଅନ୍ୟ ଅନେକ ଆବେଦନ ୭୦ ଦିନ ଅଧିକ ସମୟ ଧରି ଅନଲାଇନରେ ଅପେକ୍ଷାରତ ରହୁଛି। ଗୌରୀଶଙ୍କର ନାୟକ ଓ ସୁଚିତ୍ରା ମହାରଣା ଭଳି ଆବେଦନକାରୀ ଏନେଇ ଅଭିଯୋଗ କରିଥିବା ପରେ ବାଣିଜ୍ୟ ଓ ପରିବହନ ବିଭାଗର ଅନୁସଚିବ ନିର୍ମଳା କୁମାରୀ ବିଶ୍ୱାଳ ଆବଶ୍ୟକ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଜାରି କରିଛନ୍ତି।ନାୟକଙ୍କ କହିବା ଅନୁସାରେ, ଏବେ ନାମ ସଂଶୋଧନ ପ୍ରକ୍ରିୟାକୁ ଅତ୍ୟଧିକ ଜଟିଳ କରାଯାଇଛି। ପୂର୍ବରୁ କୋର୍ଟ ଆଫିଡାଭିଟ୍ ଦ୍ୱାରା ଯେ କାମ ସରୁଥିଲା, ସେଥିପାଇଁ ଏବେ ଇ-ଗେଜେଟ୍ ନୋଟିଫିକେଶନ ବାଧ୍ୟତାମୂଳକ ହୋଇଛି। ଅନଲାଇନ ଆବେଦନ ହେଉଥିବା ସତ୍ତେ, ଅନେକକୁ ଭୁବନେଶ୍ୱର ଅଫିସ୍କୁ ବାରମ୍ବାର ଯିବାକୁ ପଡୁଛି। ୫୦-୬୦ ଦିନ ପରେ ମଧ୍ୟ ନୋଟିଫିକେଶନ ଜାରି ହେଉନାହିଁ।ଅନେକ ଆବେଦନକାରୀଙ୍କୁ ଭୁବନେଶ୍ୱର ଅଫିସରେ ଯାଇ “ଆଫିଡାଭିଟ୍ ଠିକ୍ ନୁହେଁ” ବା “କାଗଜପତ୍ର ଅପୂର୍ଣ୍ଣ” ଭଳି ନିଜକୁହିଲା ଅସୁବିଧା ସାମ୍ନା କରିବାକୁ ପଡୁଛି। ଏହି ପ୍ରକ୍ରିୟାରେ ଲୋକଙ୍କ ଅର୍ଥ, ସମୟ ଓ ଶ୍ରମ ଅଧିକ ବ୍ୟୟ ହେଉଛି।ସୁଚିତ୍ରା ମହାରଣା କହିଛନ୍ତି, ଝିଅର ନାମ ପରିବର୍ତ୍ତନ ପାଇଁ ସେ ଦୁଇଥର ଆବେଦନ କରିଛନ୍ତି। ଗୋଟିଏ ଆବେଦନ ତିନି ମାସ ପରେ ଖାରଜ ହୋଇଥିଲା, ଅନ୍ୟଟି ଦୁଇ ମାସ ହେଲେ ମଧ୍ୟ ଅପେକ୍ଷାରତ। ସେ ବିଧବା ହେତୁ ଭୁବନେଶ୍ୱର ଯିବା ସମ୍ଭବ ନୁହେଁ ବୋଲି ଜଣାଇଛନ୍ତି।ଅଭିଯୋଗକାରୀମାନେ ଦାବି କରିଛନ୍ତି ଯେ, ଇ-ଗେଜେଟ୍ ପ୍ରକ୍ରିୟାର ସରଳୀକରଣ ସହ ୭ ଦିନ ମଧ୍ୟରେ ଆବେଦନ ଉପରେ ନିଷ୍ପତ୍ତି ନେବା ପାଇଁ ବ୍ୟବସ୍ଥା ହେବା ଆବଶ୍ୟକ। ସେମାନେ ଏହି ଦୁର୍ନୀତି ଓ ବିଳମ୍ବ ନେଇ ସ୍ଵତନ୍ତ୍ର ଯାଞ୍ଚ ଏଜେନ୍ସି ଦ୍ୱାରା ତଦନ୍ତ ଦାବି କରିଛନ୍ତି।ଏବେ ସମସ୍ୟା ହେଉଛି — ବାଣିଜ୍ୟ ଓ ପରିବହନ ବିଭାଗ ପକ୍ଷରୁ ୨୩ ଅକ୍ଟୋବର ୨୦୨୫ରେ ଦିଆଯାଇଥିବା ତଦନ୍ତ ନିର୍ଦ୍ଦେଶ କେତେ ଦୂର ପ୍ରାୟୋଗିକ ହୋଇଛି ଓ ଆବେଦନକାରୀଙ୍କ ଯନ୍ତ୍ରଣା କେବେ ସମାଧାନ ହେବ — ଏହା ନେଇ ଜନମନରେ ପ୍ରଶ୍ନବାଚକ ସୃଷ୍ଟି ହୋଇଛି।
ଇ-ଗେଜେଟ୍ ନୋଟିଫିକେଶନରେ ଦୁର୍ନୀତି ଅଭିଯୋଗ, ତଦନ୍ତ ନିର୍ଦ୍ଦେଶ
Oplus_131072
