ବରଗଡ଼ ଝାଡୁଦାର ନିଯୁକ୍ତିରେ ଠକେଇ, ଜିଲ୍ଲାପାଳଙ୍କୁ ଭେଟି ମହିଳା ଦେଲେ ଦାବିପତ୍ର

Oplus_131072

ବରଗଡ଼: ସମ୍ବଲପୁର ଜିଲ୍ଲାର ବୁର୍ଲା ଥାନା ପୋଲିସ ହାତରେ ଧରାପଡ଼ିଥିବା ଝାଡୁଦାର ନିଯୁକ୍ତି ସଂପର୍କୀୟ ଠକେଇ ଘଟଣା ବରଗଡ଼ ଜିଲ୍ଲାକୁ ଆଉ ଲମ୍ବିଛି। ଶୁକ୍ରବାର, ଭଟଲି ଥାନାରେ ଏହି ଠକେଇ ସଂପର୍କରେ ଦୁଲଣା କୁମ୍ଭାର ସହ ଅନେକ ମହିଳା ତଥ୍ୟ ଦେଇଥିଲେ। ପୋଲିସ ତାଙ୍କ ତଥ୍ୟ ଅନୁସାରେ ମାମଲା (ନଂ-୨୭୫/୨୫) ରୁଜୁ କରିଛନ୍ତି।ଠକେଇ ଅଭିଯୁକ୍ତଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରି, ଶନିବାର ମହିଳାମାନେ ବରଗଡ଼ ଜିଲାପାଳଙ୍କୁ ଭେଟି ଦାବିପତ୍ର ପ୍ରଦାନ କରିଛନ୍ତି।ସୂଚନା ଅନୁସାରେ, ଭଟଲି ବ୍ଲକ୍‌ର ବାଞ୍ଜିପାଲି ଗ୍ରାମରେ ଜଣେ ମହିଳା ଝାଡୁଦାର ନିଯୁକ୍ତି ଦେବା ପ୍ରତିଶ୍ରୁତି ଦେଇ, କମଗାଁ ଗ୍ରାମର ଦୁଲଣା କୁମ୍ଭାର ସହ ଅନେକ ମହିଳାଙ୍କଠାରୁ ପ୍ରତିଜଣ ୧୩,୦୦୦ ଟଙ୍କା ନେଇଥିଲେ। ବରଗଡ଼-ଭଟଲି ରାସ୍ତାରେ ଝାଡୁ ମାରିବା ପାଇଁ ସ୍ଥାନ ମଧ୍ୟ ଦେଖାଯାଇଥିଲା। ମହିଳାମାନେ ଗତ ୨୫ ସେପ୍ଟେମ୍ବରରୁ ଝାଡୁ ମାରିବା ଆରମ୍ଭ କରିଥିଲେ, କିନ୍ତୁ ଗତ ୨୩ ତାରିଖରେ ନିଯୁକ୍ତି ଦେଖାଇଥିବା ସମ୍ପୃକ୍ତ ମହିଳା କାମ ବନ୍ଦ କରିଥିବା ଜଣାଇଥିଲେ। ସେମାନେ କହିଛନ୍ତି, କାମ ବନ୍ଦ ହେଲେ ସମସ୍ତ ଟଙ୍କା ପ୍ରତିଫେର କରାଯିବ। କିନ୍ତୁ, ବର୍ତ୍ତମାନ ଏହି ଟଙ୍କା ଫେରାଇ ନଥିବା ଅଭିଯୋଗ ଉଠିଛି।ଗତ କିଛିଦିନ ଭେଡେନ ଅଞ୍ଚଳର ମହିଳାମାନେ ମଧ୍ୟ ଏହି ପ୍ରକାର ଠକେଇ ସଂପର୍କରେ ଅଭିଯୋଗ କରିଥିଲେ। ସେହିପରି, ଭଟଲି, ଭେଡେନ ମାତ୍ର ନୁହେଁ, ବରଗଡ଼ ଜିଲ୍ଲାର ଅନ୍ୟ ବ୍ଲକ୍‌ର ମହିଳାମାନେ ମଧ୍ୟ ଏଭଳି ଠକେଇର ସମ୍ମୁଖୀନ ହେଉଥିବା ଆଲୋଚନା ଚାଲିଛି।

Leave a Reply

Your email address will not be published. Required fields are marked *