ସୁଭଦ୍ରା ନାଁରେ ମହିଳାଙ୍କୁ ଭ୍ରମିତ: କଂଗ୍ରେସ

Oplus_131072

ନୂଆପଡ଼ା : ନୂଆପଡ଼ା ଉପନିର୍ବାଚନ ପାଇଁ ଆଦର୍ଶ ଆଚରଣ ବିଧି ଲାଗୁ ହୋଇଥିଲେ ମଧ୍ୟ ଭାଜପା ଜିଲା କାର୍ଯ୍ୟାଳୟଠାରେ ଆୟୋଜିତ ସୁଭଦ୍ରା ଶକ୍ତି ସମାବେଶରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ନିର୍ବାଚନ ପ୍ରଚାର କରିଛନ୍ତି। ଏହା ଦ୍ୱାରା ସେ ଖୋଲାଖୋଲି ଆଚରଣ ବିଧି ଉଲ୍ଲଂଘନ କରିଛନ୍ତି ବୋଲି ମଙ୍ଗଳବାର ନୂଆପଡ଼ା ଖୁଣ୍ଟିଆ ସମ୍ମିଳନୀ କକ୍ଷଠାରେ ଆୟୋଜିତ ଖବରଦାତା ସମ୍ମିଳନୀରେ ରାଜ୍ୟ କଂଗ୍ରେସ ମୁଖପାତ୍ର ସୋନାଲି ସାହୁ କହିଛନ୍ତି। ସେ ଆହୁରି କହିଥିଲେ, ସୁଭଦ୍ରା ଯୋଜନା ନାମରେ ଭୋଟ ହାତେଇବା ପାଇଁ ଭାଜପା ଲୋକଙ୍କୁ ଭ୍ରମିତ କରୁଛି। ୨୦୨୪ ନିର୍ବାଚନ ସମୟରେ ସୁଭଦ୍ରା ଯୋଜନାରେ ୫୦ ହଜାର ଟଙ୍କା ଦେବୁ ବୋଲି କହିଥିଲେ। ସେଇଟା ଏବେ ବର୍ଷକୁ ଦୁଇ କିସ୍ତିରେ ୫ ହଜାର ଲେଖାଏ ୧୦ ହଜାର ଟଙ୍କା ଦେବେ ବୋଲି କହୁଛନ୍ତି। ଅର୍ଥାତ୍‌ ଜଣ ପିଛା ଦିନକୁ ୨୭ ଟଙ୍କା ପଡିଲା। ୨୭ ଟଙ୍କାରେ କ୍ଷୀର ଗୋଟିଏ ପ୍ୟାକେଟ ମିଳୁନାହିଁ। ମହିଳାମାନେ ସ୍ବାବଲମ୍ବୀ ହେବେ କୁଆଡୁ। ଡବଲ ଇଞ୍ଜିନ ସରକାରଠାରେ ଟଙ୍କା ନାହିଁ। ୫୦ ହଜାର ଟଙ୍କା ଦେଇ ନ ପାରି କୋଉଠୁ ଋଣ ଆଣି ୧୦ ହଜାର ଟଙ୍କା ଧରାଇ ଦେଉଛନ୍ତି। ୬୦ ବର୍ଷରୁ ଊର୍ଦ୍ଧ୍ୱ ମହିଳାଙ୍କୁ ସୁଭଦ୍ରା ଯୋଜନାରୁ ବଞ୍ଚତ୍ତ କରୁଛନ୍ତି। ଯେଉଁ ଛାତ୍ରୀ ୧୮ହଜାର ଟଙ୍କା ଶିକ୍ଷାବୃତ୍ତି ପାଉଛନ୍ତି ସେମାନଙ୍କ ସୁଭଦ୍ରା ଯୋଜନା କାଟି ଦେଇଛନ୍ତି। ଦିଲ୍ଲୀରେ ଭାଜପା ସରକାର ମହିଳାମାନଙ୍କୁ ମାସିକ ୨୫ ଶହ ଟଙ୍କା ଦେଉଥିବା ବେଳେ ମହାରାଷ୍ଟ୍ରରେ ଦୁଇଟି ଯୋଜନାରେ ୧୩ ହଜାର ଟଙ୍କା, ଝାଡ଼ଖଣ୍ଡରେ ୨୫ ଶହ ଟଙ୍କା, ଆନ୍ଧ୍ରପ୍ରଦେଶରେ ୧୨୫୦ ଟଙ୍କା, ତାମିଲନାଡୁରେ ହଜାରେ, ଆସାମରେ ୧୨ ଶହ ୫୦ ଟଙ୍କା ଓ ଛତିଶଗଡ ରାଜ୍ୟରେ ହଜାରେ ଓ ଝିଅ ଜନ୍ମ ହେଲେ ତାଙ୍କ ଆକାଉଣ୍ଟରେ ୫୦ ହଜାର ଟଙ୍କା ଜମା ହୋଇଯାଉଛି। ଓଡ଼ିଶାର ମହିଳାମାନଙ୍କୁ ହଜାରେ ଟଙ୍କା ଦେଇ ନ ପାରି ମାସକୁ ୮୩୩ ଟଙ୍କା ଦେଉଛନ୍ତି ବୋଲି ସୋନାଲି କହିଛନ୍ତି। ଖବରଦାତା ସମ୍ମିଳନୀରେ ରାଜ୍ୟ କଂଗ୍ରେସ ମୁଖପାତ୍ର ଡ. ମୋନାଲିସା ଦାସ ପଟ୍ଟନାୟକ, ଓବିସି ସେଲ୍‌ ରାଜ୍ୟ ସଭାପତି ଅନାଦି ସାହୁ, ନୂଆପଡା ମିଡିଆ ସଂଯୋଜକ ସୁଧୀର ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *