ଭୁବନେଶ୍ୱର: ଯାଜପୁର ଜିଲ୍ଲା ସୁକିନ୍ଦାରେ ଅନାହାର ମୃତ୍ୟୁକୁ ନେଇ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛି କଂଗ୍ରେସ । ଆଦିବାସୀଙ୍କ ସୁରକ୍ଷା ଏବଂ ଉନ୍ନତି ପାଇଁ ସରକାର ଯେଉଁ ଡିଣ୍ଡିମ ପିଟୁଛନ୍ତି ତାହାର ନଗ୍ନ ଚିତ୍ର ଏବେ ସାମ୍ନାକୁ ଆସିଛି ବୋଲି କଂଗ୍ରେସ କହିବା ସହ ହଜାର ହଜାର କୋଟିର ଖଣି ଅଞ୍ଚଳରେ ଅନାହାର ମୃତ୍ୟୁ ରାଜ୍ୟ ପାଇଁ କଳଙ୍କ ବୋଲି କଂଗ୍ରେସ କହିଛି ।
କଂଗ୍ରେସ ପକ୍ଷରୁ ଆୟୋଜିତ ସାମ୍ବାଦିକ ସମିଳନୀରେ କଂଗ୍ରେସ ବିଧାୟକ ଅଶୋକ ଦାସ କହିଛନ୍ତି ଯେ ସୁକିନ୍ଦା ଅଞ୍ଚଳରେ ରିସା ମାଙ୍କଡ଼ିଆଙ୍କ ଅନାହାରରେ ମୃତ୍ୟୁ ହୋଇଛି I ପିସିସି ସଭାପତିଙ୍କ ନିର୍ଦ୍ଦେଶରେ କଂଗ୍ରେସର ତଥ୍ୟ ଅନୁଧ୍ୟାନ କମିଟିର ସଦସ୍ୟ ଭାବେ ସେ ଏବଂ ଅନ୍ୟ ନେତୃବୃନ୍ଦ ସଂପୃକ୍ତ ଗ୍ରାମକୁ ଯାଇ ସମସ୍ତ ତଥ୍ୟ ଅନୁଧ୍ୟାନ କରିଛନ୍ତି I ଇ-କେୱାଇସି କରି ନ ଥିବାରୁ ରିସା ମାଙ୍କଡ଼ିଆକୁ ଚାଉଳ ମିଳୁ ନଥିଲା, ତା’ର ବାସପଯୋଗୀ ଘର ଖଣ୍ଡିଏ ନ ଥିବାରୁ ପଲିଥିନ ଟାଣି ରହୁଥିଲା । ତାର କିଛି ସମ୍ପର୍କୀୟ କିଛି ଖାଦ୍ୟ ଦେଉଥିଲେ। ପରେ ରୋଗଗ୍ରସ୍ତ ହୋଇ ଅନାହାରରେ ମୃତ୍ୟୁବରଣ କଲା । କଂଗ୍ରେସ ସରକାର ଥିବା ବେଳେ ଅନାହାର ମୃତ୍ୟୁକୁ ରୋକିବା ପାଇଁ ଏନଆରଜିଏସ ଯୋଜନା ଆରମ୍ଭ ହୋଇଥିଲା; ଏବେ ସରକାର ବିଭିନ୍ନ ଆଳ ଦେଖାଇ ଏନଆରଜିଏସ ଯୋଜନାକୁ ଯେତେ ଟଙ୍କା ଦେବା କଥା ଦେଉ ନାହାନ୍ତି । ରାଜ୍ୟରେ ଆଦିବାସୀ ମୁଖ୍ୟମନ୍ତ୍ରୀ ଅଛନ୍ତି, ଦେଶର ମହାମହିମ ରାଷ୍ଟ୍ରପତି ବି ଜଣେ ଆଦିବାସୀ I ହେଲେ ଆଦିବାସୀଙ୍କ ଖାଦ୍ୟ ତଥା ସାମାଜିକ ସୁରକ୍ଷା ପ୍ରତି ଘୋର ଅବହେଳା ପ୍ରଦର୍ଶନ କରାଯାଉଛି । ବିଭିନ୍ନ ଆଳ ଦେଖାଇ ସରକାର ଏବେ ଲୋକଙ୍କୁ ଚାଉଳ ଦେଉନାହାନ୍ତି । ଆଗାମୀ ଦିନରେ ଜନତା ଏହାର ଜବାବ ନିଶ୍ଚିତ ଦେବେ ବୋଲି ଶ୍ରୀ ଦାସ କହିଛନ୍ତି । ପୂର୍ବରୁ ସୁକିନ୍ଦା ଅଞ୍ଚଳରେ ସୁଭଦ୍ରା ମାଙ୍କଡ଼ିଆ ନାମ୍ନୀ ଜଣେ ଆଦିବାସୀ ମହିଳାଙ୍କ ଅନାହାରରେ ମୃତ୍ୟୁ ଘଟିଥିଲା । ତେଣୁ ଅନାହାର ଜନିତ ମୃତ୍ୟୁକୁ ହାଲୁକା ଭାବରେ ଗ୍ରହଣ ନ କରି ଗମ୍ଭୀର ଭାବରେ ବିଚାର କରି ଆଦିବାସୀଙ୍କ ସୁବିଧା ସୁଯୋଗ ପ୍ରତି ଯତ୍ନବାନ ହେବା ପାଇଁ କଂଗ୍ରେସ ଦାବି କରୁଛି ବୋଲି ସେ କହିଛନ୍ତି । ଯାଜପୁର ଜିଲ୍ଲା କଂଗ୍ରେସ ସଭାପତି ମାଗୁଣି ଜେନା ତାଙ୍କ ବକ୍ତବ୍ୟରେ ସୁକିନ୍ଦା ଅଞ୍ଚଳର ମାଙ୍କଡ଼ିଆ ସମାଜ ପ୍ରତି ହେଉଥିବା ଅବହେଳା କଥା କହିଛନ୍ତି I ପୃଥିବୀର ଏକ ତୃତୀୟାଂଶ କ୍ରୋମାଇଟ ଏହି ଅଞ୍ଚଳରୁ ବାହାରିଥାଏ, ଏଥିପାଇଁ ସାରା ପୃଥିବୀରେ ସୁକିନ୍ଦା ପ୍ରସିଦ୍ଧ । ଦୁଃଖର କଥା ଏହି ଅଞ୍ଚଳରେ ଶହ ଶହ ବର୍ଷଧରି ବାସ କରି ଆସୁଥିବା ମାଙ୍କଡ଼ିଆ ଜନଜାତିଙ୍କ ପାଖରେ ନିଜସ୍ଵ ଜମି ନାହିଁ, ନିଜସ୍ଵ ବାସସ୍ଥାନ ନାହିଁ I ମାଙ୍କଡ଼ିଆ ଜନଜାତିଙ୍କ ବିକାଶ ପାଇଁ ଏକ ସ୍ଵତନ୍ତ୍ର ବିଭାଗରେ ୩୪ ଜଣ ଅଫିସର ଅଛନ୍ତି । ହେଲେ ସବୁ କାମ କେବଳ ଭାଷଣରେ ସୀମିତ ବୋଲି ଶ୍ରୀ ଜେନା ପ୍ରକାଶ କରିଛନ୍ତି।
ରାଜ୍ୟ ପାଇଁ କଳଙ୍କ ରିସା ମାଙ୍କଡିଆଙ୍କ ଅନାହାର ମୃତ୍ୟୁ: କଂଗ୍ରେସ
Oplus_16908288
