ଛୁଟି ମଞ୍ଜୁର ପାଇଁ ଲାଞ୍ଚ ନେଉଥିବା ପ୍ରଧାନ ଶିକ୍ଷକ ଭିଜିଲାନ୍ସ ଜାଲରେ

Oplus_131072

ଦାରିଙ୍ଗବାଡି: କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ବ୍ଲକ ଅଧୀନ ଥିବା ବୁଡ଼ାଗୁଡା ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ କୁମରମଣି ମଳିକଙ୍କୁ ଭିଜିଲାନ୍ସ ଟିମ ଲାଞ୍ଚ ନେବା ବେଳେ ରଙ୍ଗେହାତ ଧରିଛି।ସୂତ୍ର ଅନୁସାରେ, ବିଦ୍ୟାଳୟର କୁକ-କମ-ଆଟେଣ୍ଡାଣ୍ଟ ସୁରେଖା ପ୍ରଧାନ (୩୧)ଙ୍କ ଛୁଟି ମଞ୍ଜୁର କରିବା ପାଇଁ ପ୍ରଧାନଶିକ୍ଷକ ଟଙ୍କା ଦାବି କରୁଥିଲେ। ସେ ବାରମ୍ବାର ଫୋନ ମାଧ୍ୟମରେ ଲାଞ୍ଚ ଦାବି କରିଥିବାରୁ ସୁରେଖା ତାହାର ରେକର୍ଡ ନିଜ ମୋବାଇଲରେ ସଂଗ୍ରହ କରିଥିଲେ ଓ ପରେ ଫୁଲବାଣୀ ଭିଜିଲାନ୍ସ ଅଫିସରେ ଅଭିଯୋଗ କରିଥିଲେ।ଯୋଜନାନୁସାରେ, ସୁରେଖା ନିଜ ଫୋନ ପେ’ ମାଧ୍ୟମରେ ପ୍ରଧାନଶିକ୍ଷକଙ୍କୁ ୪ ହଜାର ଟଙ୍କା ପଠାଇଥିଲେ। ଏହି ଟ୍ରାନ୍ଜାକସନ ପରେ ଭିଜିଲାନ୍ସ ଡିଏସପି ହେମନ୍ତ କୁମାର ମହାନ୍ତିଙ୍କ ନେତୃତ୍ୱରେ ଏକ ବିଶେଷ ଦଳ ଚଢ଼ାଉ କରି ପ୍ରଧାନଶିକ୍ଷକଙ୍କୁ ଗିରଫ କରିଥିଲା। ଭିଜିଲାନ୍ସ ଟିମ ତାଙ୍କଠାରୁ ମୋବାଇଲ ଫୋନ ସହ ବିଭିନ୍ନ ଦଳିଲ ଜବତ କରିଛି।ସମ୍ପୃକ୍ତ ପ୍ରଧାନଶିକ୍ଷକଙ୍କୁ ଫୁଲବାଣୀ ଭିଜିଲାନ୍ସ କାର୍ଯ୍ୟାଳୟକୁ ନେଇ ତଦନ୍ତ ଜାରି ରହିଛି। ଏନେଇ ଭିଜିଲାନ୍ସ ମାମଲା ନମ୍ବର ୧୬/୨୫ ରେ ମାମଲା ରୁଜୁ କରିଛି।ଡିଏସପି ମହାନ୍ତି କହିଛନ୍ତି, ପ୍ରଧାନଶିକ୍ଷକ କେବଳ ଲାଞ୍ଚ ନେବା ନୁହେଁ, ବିଦ୍ୟାଳୟରେ ରହୁଥିବା ଛାତ୍ରୀମାନଙ୍କୁ ନିମ୍ନମାନର ଖାଦ୍ୟ ଯୋଗାଇ ଅନିୟମିତତା କରିଥିବା ଓ ଅନ୍ୟ ଶିକ୍ଷୟିତ୍ରୀ-ଶିକ୍ଷକଙ୍କଠୁ ମଧ୍ୟ ଅର୍ଥ ଆଦାୟ କରୁଥିବା ଅଭିଯୋଗ ରହିଛି।ସୂଚନା ଅନୁସାରେ, ଏହି ବିଦ୍ୟାଳୟଟି ଅନୁସୂଚିତ ଜାତି, ଅନୁସୂଚିତ ଜନଜାତି ଓ ପଛୁଆ ବର୍ଗ ଉନ୍ନୟନ ବିଭାଗ ଅଧୀନରେ ଚାଲିଛି ।

Leave a Reply

Your email address will not be published. Required fields are marked *