ସରକାରଙ୍କ ନିର୍ଦ୍ଦୟତା: ପୁଅ ଚାଲିଯିବା ପରେ ଆଶ୍ରୟହୀନ ବୃଦ୍ଧ ଦମ୍ପତି

Oplus_131072

ମୋହନା: ବୟସର ଭାରରେ ନୁହେଁ, ପ୍ରଶାସନର ଅବହେଳା ତାଙ୍କ ଜୀବନକୁ କ୍ଲାନ୍ତ କରିଦେଇଛି । ଏକମାତ୍ର ପୁଅ ଅକାଳରେ ଚାଲିଯିବା ପରେ ଜୀବନରେ ଅନ୍ଧାର ଘୋଟି ଆସିଛି। ଘର ନଥିବାରୁ ଗାଁର କ୍ଲବ ଘରେ ଆଶ୍ରୟ ନେଇ ଜୀବନ ଜୀବିକା କାଟୁଛନ୍ତି ଗଜପତି ଜିଲ୍ଲାର ମୋହନା ବ୍ଲକ ଅନ୍ତର୍ଗତ ଜିରାଙ୍ଗ ପଞ୍ଚାୟତର ବୁରୁପଦା ଗାଁର ବୃଦ୍ଧ ଦମ୍ପତି କରୁଣା (୭୫) ଓ ଚନ୍ଦ୍ରମା (୭୦)।ବହୁ ପୂଜା, ଓଷା-ବ୍ରତ କରି ପାଇଥିବା ଏକମାତ୍ର ପୁଅ ଅକାଳ ମୃତ୍ୟୁ ହୋଇଯିବା ପରେ ସେମାନଙ୍କ ସାଥି ହେବାକୁ କେହି ନାହିଁ। ଦିନକୁ ଦିନ ସେମାନେ ଅସହାୟ ଅବସ୍ଥାରେ ଜୀବନ ଜୀଇଁ ଆସୁଛନ୍ତି। ଦି’ଓଳି ଦି’ମୁଠା ଖାଇବା ପାଇଁ ଭତ୍ତା ଟଙ୍କା ହିଁ ସେମାନଙ୍କର ଏକମାତ୍ର ଭରସା।କରୁଣା ଯେଉଁ କୁଡ଼ିଆ ଘରେ ରହୁଥିଲେ, ତାହା ୨୦୧୮ର ତିତିଲି ବାତ୍ୟାରେ ଭାଙ୍ଗି ନଷ୍ଟ ହୋଇଯାଇଥିଲା। ସେଥିଠାରୁ ଏପର୍ଯ୍ୟନ୍ତ ଏହି ବୃଦ୍ଧ ଦମ୍ପତି ଭଙ୍ଗା ଦଦରା ଘରରେ ରହି ଆସୁଛନ୍ତି। ଆବାସ ଯୋଜନାରେ ଘର ପାଇଁ ସେମାନେ ପୁନଃପୁନି ଆବେଦନ କରିଛନ୍ତି, ଗାଁ ଓ ପଞ୍ଚାୟତର ଲୋକେ ମଧ୍ୟ ବ୍ଲକ ଓ ଜିଲାପାଳଙ୍କୁ ଜଣାଇଥିଲେ, କିନ୍ତୁ କୌଣସି ପଦକ୍ଷେପ ହୋଇନାହିଁ।ଗ୍ରାମବାସୀମାନେ ପ୍ରଶ୍ନ କରୁଛନ୍ତି— “କେବେ କରୁଣାଙ୍କ ପ୍ରତି ପ୍ରଶାସନର କରୁଣା ହେବ?”ଏହି ବିଷୟରେ ପିଇଓ ଦିଲେଶ୍ଵର ଦଳାଇ କହିଛନ୍ତି ଯେ, କରୁଣାଙ୍କୁ ଅନ୍ତୋଦୟ ଆବାସ ଯୋଜନା ଅଧିନରେ ସାମିଲ କରାଯାଇଛି ଏବଂ ଖୁବ୍‌ ଶୀଘ୍ର ତାଙ୍କ ଗୃହ ନିର୍ମାଣ କାର୍ଯ୍ୟ ଆରମ୍ଭ ହେବ।

Leave a Reply

Your email address will not be published. Required fields are marked *