ନୂଆଦିଲ୍ଲୀ: ବାଂଲାଦେଶର ଅନ୍ତରାଷ୍ଟ୍ରୀୟ ଅପରାଧ ଟ୍ରିବ୍ୟୁନାଲ୍ (ଆଇସିଟି) ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହସିନାଙ୍କୁ ନିରସ୍ତ୍ର ନାଗରିକଙ୍କ ଉପରେ ଗୁଳି ଚଳାଇବା ସମେତ ମାନବତା ବିରୋଧୀ ଅପରାଧ ପାଇଁ ଦୋଷୀ ସାବ୍ୟସ୍ତ କରିଛନ୍ତି। ଏହି ଅପରାଧ ପାଇଁ କୋର୍ଟ ତାଙ୍କୁ ମୃତ୍ୟୁଦଣ୍ଡ ଦେଇଛନ୍ତି। ଶୁଣାଣି ବେଳେ କୋର୍ଟ କହିଛନ୍ତି ଯେ, ଶେଖ ହସିନା ପ୍ରଦର୍ଶନକାରୀଙ୍କୁ ଦମନ ଏବଂ ହତ୍ୟା କରିବା ପାଇଁ ମାରାତ୍ମକ ଅସ୍ତ୍ରଶସ୍ତ୍ର ଏବଂ ଡ୍ରୋନ୍ ବ୍ୟବହାର କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଏହି ଗମ୍ଭୀର ଅପରାଧ ପାଇଁ ତାଙ୍କୁ ଫାଶୀଦଣ୍ଡ ଦିଆଯାଇଛି। କୋର୍ଟ ତାଙ୍କ ରାୟରେ ଏହା ମଧ୍ୟ କହିଛନ୍ତି ଯେ, ମାନବତା ବିରୋଧୀ ଏହି ଅପରାଧ ଶେଖ ହସିନା ଏବଂ ତାଙ୍କ ସହଯୋଗୀଙ୍କ ନିର୍ଦ୍ଦେଶରେ କରାଯାଇଥିଲା। ଶୁଣାଣି ସମୟରେ କୋର୍ଟ କହିଛନ୍ତି ଯେ, ପ୍ରଥମ ଅଭିଯୋଗ ଅନୁଯାୟୀ, ଶେଖ୍ ହସିନା ପରିସ୍ଥିତି ପରିଚାଳନା ଏବଂ ହିଂସା ରୋକିବା ପାଇଁ କିଛି କରିନଥିଲେ। ଏହା ତାଙ୍କର ଦାୟିତ୍ଵ ଥିଲା। ପ୍ରମାଣରୁ ଏହା ମଧ୍ୟ ଜଣାପଡିଛି ଯେ, ଏହି ମାମଲାରେ ପୁଲିସ ମହାନିରୀକ୍ଷକ (ଆଇଜିପି) ଦୋଷୀ ହୋଇପାରନ୍ତି। ଜୁଲାଇ ୧୯ପରେ, ଗୃହମନ୍ତ୍ରୀଙ୍କ ବାସଭବନରେ ଏକାଧିକ ବୈଠକ ଅନୁଷ୍ଠିତ ହୋଇଥିଲା, ଯେଉଁଥିରେ ଛାତ୍ର ଆନ୍ଦୋଳନକୁ ଦମନ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା। ଶେଖ୍ ହସିନା ପ୍ରତିବାଦକାରୀଙ୍କୁ ଟାର୍ଗେଟ କରିବା ପାଇଁ ଏକ କୋର କମିଟିକୁ ନିର୍ଦ୍ଦେଶ ଦେଇଥିଲେ। ଏହା ପରେ ନିରସ୍ତ୍ର ପ୍ରତିବାଦକାରୀଙ୍କ ଉପରେ ଆକ୍ରମଣ କରାଯାଇଥିଲା।
ଶେଖ୍ ହସିନାଙ୍କୁ ଫାଶୀଦଣ୍ଡ ରାୟ ଶୁଣାଇଲେ ବାଂଲାଦେଶର ଅନ୍ତରାଷ୍ଟ୍ରୀୟ ଅପରାଧ ଟ୍ରିବ୍ୟୁନାଲ୍
