ବାଲିଯାତ୍ରା ପଡ଼ିଆକୁ ତୁରନ୍ତ ସଫେଇ ପାଇଁ ନିର୍ଦ୍ଦେଶ ଦେଲେ ହାଇକୋର୍ଟ

Oplus_131072

କଟକ: ବାଲିଯାତ୍ରା ପଡ଼ିଆକୁ ନେଇ ହାଇକୋର୍ଟଙ୍କ ଅସନ୍ତୋଷ। ହାଇକୋର୍ଟରେ କଟକ ସହର ସମସ୍ୟା ମାମଲାର ଶୁଣାଣି ବେଳେ ବାଲିଯାତ୍ରା ଶେଷ ହେବା ପରେ ପଡ଼ିଆ ସଫେଇ ହୋଇ ନଥିବାରୁ ଅସନ୍ତୋଷ ବ୍ୟକ୍ତ କରିଛନ୍ତି ଅଦାଲତ। ୩୫ ଲକ୍ଷ ଟଙ୍କା ବ୍ୟୟ କରାଯାଇ ଘରୋଇ ଏଜେନ୍ସିକୁ ସଫେଇ ଦାୟିତ୍ବ ଦିଆଯାଇଥିଲେ ମଧ୍ୟ ସଫେଇ ଏକପ୍ରକାର ପ୍ରହସନ ହୋଇଥିବା ଆଡଭୋକେଟ୍‌ କମିଟି ସଦସ୍ୟ ଖଣ୍ଡପୀଠଙ୍କୁ ଏ ସଂକ୍ରାନ୍ତରେ ଅବଗତ କରିଥିଲେ। ବିଚାରପତି ସଙ୍ଗମ କୁମାର ସାହୁ ଏବଂ ବିଚାରପତି ଭି. ନରସିଂହଙ୍କୁ ନେଇ ଗଠିତ ଖଣ୍ଡପୀଠ ବାଲିଯାତ୍ରା ଉପର ଓ ତଳ ପଡ଼ିଆକୁ ତୁରନ୍ତ ସଫେଇ କରି ୭ ଦିନ ମଧ୍ୟରେ ସଫେଇ କାର୍ଯ୍ୟ ଶେଷ କରିବାକୁ କଟକ ମହାନଗର ନିଗମ (ସିଏମ୍‌ସି)କୁ ନିର୍ଦ୍ଦେଶ ଦେଇଛନ୍ତି । ନଭେମ୍ବର ୨୭ ସୁଦ୍ଧା ବାଲିଯାତ୍ରା ପଡ଼ିଆ ସଫେଇ ଶେଷ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ସେହିପରି ଆଡଭୋକେଟ୍‌ କମିଟି ଡିସେମ୍ବର ୨ରେ ଉପର ଓ ତଳ ବାଲିଯାତ୍ରା ପଡ଼ିଆ ସହ ନିକଟ ନଦୀ ପାର୍ଶ୍ବ ପରିଦର୍ଶନ କରି ଡିସେମ୍ବର ୪ ସୁଦ୍ଧା ସଫେଇ ସଂକ୍ରାନ୍ତ ରିପୋର୍ଟ ଅଦାଲତରେ ଦାଖଲ କରିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। କଟକ ସହରରେ ମୋଟ ୨୨୧ଟି କୋଠା ଅସୁରକ୍ଷିତ ଚିହ୍ନଟ କରାଯାଇଛି। ହେଲେ ଏହାକୁ ଭାଙ୍ଗିବା ପାଇଁ ପ୍ରଶାସନ ପକ୍ଷରୁ କୌଣସି ପଦକ୍ଷେପ ନିଆଯାଇ ନଥିବାରୁ ଖଣ୍ଡପୀଠ ଅସନ୍ତୋଷ ବ୍ୟକ୍ତ କରିଥିଲେ।ନିକଟରେ ମଣିସାହୁଛକଠାରେ ଏକ ବାଲକୋନି ଭାଙ୍ଗି ଛୋଟ ଛୁଆ ସମେତ ତିନିଜଣଙ୍କ ମୃତ୍ୟୁ ଦୁର୍ଭାଗ୍ୟଜନକ ବୋଲି ଅଦାଲତ କହିଥିଲେ। ଯେଉଁ କୋଠାଗୁଡ଼ିକ ଅସୁରକ୍ଷିତ ଅଛି ତାହାକୁ ଭାଙ୍ଗିବା ପାଇଁ କାହିଁକି ପଦକ୍ଷେପ ନିଆଯାଉ ନାହିଁ ବୋଲି ଏଡିଏମଙ୍କୁ ଅଦାଲତ ପ୍ରଶ୍ନ କରିଥିଲେ। ଅସୁରକ୍ଷିତ କୋଠାକୁ ଖାଲି କରି ଭାଙ୍ଗିବା ପାଇଁ ରାସ୍ତା ଓ ପୂର୍ତ୍ତ ବିଭାଗକୁ ନିର୍ଦ୍ଦେଶ ଦିଆଯାଇଛି ବୋଲି ଏଡିଏମ ଅଦାଲତଙ୍କୁ ଅବଗତ କରିଥିଲେ। ସେହିପରି କଟକ ସହରରେ ସଫେଇ ହେଉ ନ ଥିବାରୁ ଅସ୍ବାସ୍ଥ୍ୟକର ପରିବେଶ ସୃଷ୍ଟି ହେଉଛି। ତୁରନ୍ତ ମୌଳିକ ସୁବିଧା ଯୋଗାଇଦେବାକୁ ଅଦାଲତ ନିର୍ଦ୍ଦେଶ ଦେଇଛନ୍ତି।

Leave a Reply

Your email address will not be published. Required fields are marked *