ଭୁବନେଶ୍ଵର: ହ୍ୟୁମାନ ସାଗରଙ୍କ ମୃତ୍ୟୁ ପଛରେ ଅନେକ ଲୋକେ ଦାୟୀ ଥିବା ତାଙ୍କ ମାଆ ଅଭିଯୋଗ କରିଛନ୍ତି। ଏହାରି ଭିତରେ ନୂଆ ତଥ୍ୟ ସାମ୍ନାକୁ ଆସିଛି। ହ୍ୟୁମାନଙ୍କ ୨ ମ୍ୟାନେଜରଙ୍କୁ ନେଇ ଏବେ ସନ୍ଦେହ ସୃଷ୍ଟି ହୋଇଛି। କାରଣ ହ୍ୟୁମାନଙ୍କ ୨ ମ୍ୟାନେଜରଙ୍କ କଥା ଥାନାରେ ପହଞ୍ଚିଛି। ବଲାଙ୍ଗୀର ଟାଉନ ଥାନାରେ ଏତଲା ହୋଇଛି। ହ୍ୟୁମାନ ସାଗରଙ୍କ ଦେହ ଅସୁସ୍ଥ ଥିବା ସତ୍ତ୍ଵେ ତାଙ୍କୁ ଜୋର ଜବରଦସ୍ତି କାମ କରାଇ ତାଙ୍କୁ ପ୍ରାୟୋଜିତ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି।ଏହା ସହ ହ୍ୟୁମାନ ସାଗରଙ୍କ ମା’ଙ୍କୁ ଦୁର୍ବ୍ୟବହାର କରି ଅପଶବ୍ଦ ବ୍ୟବହାର କରାଯାଇଥିବା ଏତଲାରେ ଦର୍ଶାଯାଇଛି। ବଲାଙ୍ଗୀର ସାମାଜିକ ଓ କୋଶଳ ସଂଗଠନ ପକ୍ଷରୁ ଟାଉନ ଥାନାରେ ଏତଲା ଦିଆଯାଇଛି। ଓଲିଉଡର ପ୍ରସିଦ୍ଧ କଣ୍ଠଶିଳ୍ପୀ ହ୍ୟୁମାନ ସାଗରଙ୍କ ମୃତ୍ୟୁ ପରେ ତାଙ୍କ ମା’ ଶେଫାଳି ସୁନା ସାଙ୍ଘାତିକ ଅଭିଯୋଗ ଆଣିଥିଲେ। ପୁଅ ମୃତ୍ୟୁ ପଛରେ ୩ ଜଣଙ୍କୁ ଦାୟୀ କରିଥିଲେ। ହ୍ୟୁମାନଙ୍କ ମରିବା ପଛରେ ତାଙ୍କର ଦୁଇ ମ୍ୟାନେଜର ଓ ଅନ୍ୟ ଜଣେ ଯୁବତୀଙ୍କ ହାତ ଥିବା କହିଥିଲେ।
ହ୍ୟୁମାନଙ୍କ ଦେହ ଅସୁସ୍ଥ ଥିବା ସତ୍ତ୍ଵେ ତାଙ୍କୁ ଷ୍ଟେଜ୍ ସୋ କରାଉଥିବା କହିଥିଲେ। ଏହାକୁ ନେଇ ଏମ୍ସ ହସ୍ପିଟାଲ ବାହାରେ ତୁମୁଳ କାଣ୍ଡ ଦେଖିବାକୁ ମିଳିଥିଲା। ହ୍ୟୁମାନଙ୍କ ମା’ ଓ ତାଙ୍କ ମ୍ୟାନେଜରଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା। ପରେ ହ୍ୟୁମାନଙ୍କ ଜଣେ ମ୍ୟାନେଜର ଶେଫାଳି ସୁନାଙ୍କୁ ଅସଭ୍ୟ ଭାଷାରେ ଗାଳି ଗୁଲଜ ମଧ୍ୟ କରିଥିଲା। ଏହି ଭିଡିଓ ସୋସିଆଲ୍ ମିଡିଆରେ ଖୁବ୍ ଭାଇରାଲ୍ ହୋଇଥିଲା। ଏହି ଘଟଣାକୁ ନେଇ ବିଭିନ୍ନ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି। ୨ ମ୍ୟାନେଜରଙ୍କ ନାଁରେ ବଲାଙ୍ଗୀର ସାମାଜିକ ଓ କୋଶଳ ସଙ୍ଗଠନ ପକ୍ଷରୁ ଟାଉନ ଥାନାରେ ଏତଲା ଦିଆଯାଇଛି।
ହ୍ୟୁମାନ ସାଗରଙ୍କ ମ୍ୟାନେଜରଙ୍କ ନାଁରେ ବଲାଙ୍ଗୀର ଟାଉନ ଥାନାରେ ଏତଲା
