ମାଆ ରମାଦେବୀଙ୍କ ପାଇଁ ଭୁବନେଶ୍ୱରରେ ସ୍ଥାନ ଅଭାବ

ଟେନିସ କୋଟରେ ସରକାର ପାଳିବେ ତାଙ୍କ ଜନ୍ମଦିନ

ରମାଦେବୀ ଚୌଧୁରୀ ସ୍ମାରକ ଟ୍ରଷ୍ଟର ପ୍ରତିବାଦ

ଭୁବନେଶ୍ୱର : ବିଶିଷ୍ଟ ସ୍ବାଧୀନତା ସଂଗ୍ରାମୀ ତଥା ସର୍ବୋଦୟ ନେତ୍ରୀ ମା’ ରମାଦେବୀ ଓଡ଼ିଶାର ଘରେ ଘରେ ମାଆ ରୂପେ ସୁପରିଚିତା। ଚଳିତ ବର୍ଷ ରାଜ୍ୟବ୍ୟାପୀ ଗାନ୍ଧୀବାଦୀ ସଂଗଠନ ତଥା ତାଙ୍କ ଅନୁଗାମୀମାନଙ୍କ ଦ୍ୱାରା ତାଙ୍କର ୧୨୫ତମ ଜୟନ୍ତୀ ବର୍ଷ ପାଳିତ ହେଉଛି। ରାଜ୍ୟ ସରକାରଙ୍କ ସଂସ୍କୃତି ବିଭାଗ ରମାଦେବୀଙ୍କ କର୍ମକ୍ଷେତ୍ର କଟକର ଗୁଣନିଧି ଭବନରେ ଏକ ମ୍ୟୁଜିଅମ ସ୍ଥାପନ କରିବାକୁ ପଦକ୍ଷେପ ନେବେ ବୋଲି ପତ୍ର ସଂଖ୍ୟା ୨୩୦୩ ତା ୦୫.୦୪.୨୦୨୪ ଯୋଗେ ଜଣାଇଥିଲେ। ହେଲେ ସେ ବାବଦରେ ଅଦ୍ୟାବଧି କୌଣସି ପଦକ୍ଷେପ ନେଇ ନାହାନ୍ତି।
ନିଜେ ମୁଖ୍ୟମନ୍ତ୍ରୀ ମାଆ ରମାଦେବୀଙ୍କର ୧୨୫ତମ ଜୟନ୍ତୀ ବର୍ଷକୁ ବର୍ଷବ୍ୟାପୀ ପାଳନ କରିବେ ବୋଲି ଗତ ଜାନୁଆରୀ ଦୁଇ ତାରିଖରେ ସ୍ବାଧୀନତା ସଂଗ୍ରାମୀ ପଡିଆରେ ଘୋଷଣା କରିଥିଲେ। ଅଥଚ ଗତ କିଛିଦିନ ତଳେ ନିର୍ଭୟ ଓ ପ୍ରଗତିବାଦୀ ଖବରକାଗଜରୁ ଜାଣିବାକୁ ପାଇଲୁ ଯେ, ରମାଦେବୀ କଂଗ୍ରେସ ଦଳରେ ସାମିଲ ହୋଇ ସ୍ବାଧୀନତା ସଂଗ୍ରାମ କରିଥିବାରୁ ବିଭାଗୀୟ ମନ୍ତ୍ରୀ ତାଙ୍କ ଜୟନ୍ତୀ ରାଜ୍ୟ ସରକାର ପାଳିବେ ନାହିଁ କହି ଫାଇଲ ଫେରାଇ ଦେଇଛନ୍ତି। ଏହି ଖବର ପ୍ରକାଶ ପାଇବା ପରେ ପୁଣି ଜାଣିବାକୁ ପାଇଲୁ ଯେ, ସରକାର ତରବରିଆ ଭାବରେ କଳିଙ୍ଗ ଷ୍ଟାଡିଅମ ସ୍ଥିତ ଟେନିସ ଅଡିଟୋରିଅମ ପରିସରରେ ତାଙ୍କ ଜୟନ୍ତୀ ପାଳନ କରିବାକୁ ଯାଉଛନ୍ତି। ସରକାରଙ୍କ ହାତରେ ସଭା ସମିତି ପାଇଁ ଜୟଦେବ ଭବନ, ଗୀତଗୋବିନ୍ଦ ସଦନ ଭଳି ଅନେକ ଅଡିଟୋରିଅମ ରହିଛି। ମହାପୁରୁଷମାନଙ୍କ ନିମନ୍ତେ ସେସବୁ ହଲରେ ଜୟନ୍ତୀ ଓ ଶ୍ରାଦ୍ଧ ପାଳିତ ହେଉଥିବା ବେଳେ ହଠାତ୍ ଟେନିସ କୋଟରେ ରମାଦେବୀଙ୍କ ଜୟନ୍ତୀ କ’ଣ ପାଇଁ ? ରମାଦେବୀ ଖେଳାଳୀ ନଥିଲେ। ସରକାର ଯଦି ରମାଦେବୀଙ୍କ ଜୟନ୍ତୀ ନପାଳିବେ ତେବେ ରମାଦେବୀଙ୍କୁ ଓଡିଶାବାସୀ ଭୁଲିଯିବେ ନାହିଁ। ତେଣୁ ସରକାର ମାଆ ରମାଦେବୀଙ୍କ ପ୍ରତି ଆଉ ଦୟା ଦେଖାଇ ତାଙ୍କ ଜୟନ୍ତୀ ଉତ୍ସବ ପାଳନ ନକରନ୍ତୁ ବୋଲି ଏକ ପ୍ରେସ ବିବୃତିରେ ରମାଦେବୀ ଚୌଧୁରୀ ସ୍ମାରକୀ ଟ୍ରଷ୍ଟର ସଭାନେତ୍ରୀ ପ୍ରଫେସର ସୀତା ସାହୁ, ଉପସଭାନେତ୍ରୀ ନମିତା ପଣ୍ଡା ଓ ସମ୍ପାଦିକା ଅନ୍ନପୂର୍ଣ୍ଣା ସାହୁ ଏକ ପ୍ରେସ ବିବୃତି ଯୋଗେ ଜଣାଇଛନ୍ତି ।

Leave a Reply

Your email address will not be published. Required fields are marked *