ଜାନୁଆରୀ ୧୫ ସୁଦ୍ଧା ଜନଗଣନା କାର୍ଯ୍ୟକର୍ତ୍ତା ନିଯୁକ୍ତି

ନୂଆଦିଲ୍ଲୀ : ୨୦୨୭ ରେ ହେବାକୁ ଯାଉଛି ଜନଗଣନା। ଏଥିପାଇଁ ପ୍ରସ୍ତୁତି ଆରମ୍ଭ ହେଇଯାଇଛି। ଭାରତର ରେଜିଷ୍ଟ୍ରାର ଜେନେରାଲଙ୍କ ନିର୍ଦ୍ଦେଶ ଅନୁଯାଇ ଆଗାମୀ ଜାନୁଆରୀ ୧୫ ସୁଦ୍ଧା ଜନଗଣନା କାର୍ଯ୍ୟକର୍ତ୍ତା ନିଯୁକ୍ତି ଶେଷ ହେବ। ଏହି ନିର୍ଦ୍ଦେଶ ସମସ୍ତ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକୁ ଦିଆଯାଇଛି । ସୂଚନା ଅନୁଯାଇ ଜଣେ ଗଣନାକାରୀଙ୍କୁ ୭୦୦-୮୦୦ ଜନସଂଖ୍ୟାର ଦାୟିତ୍ବ ଦିଆଯିବ। ପ୍ରତି ଛଅ ଜଣ ଗଣନାକାରୀଙ୍କ ପାଇଁ ଜଣେ ପର୍ଯ୍ୟବେକ୍ଷକଙ୍କୁ ନିୟୋଜିତ କରାଯିବ । ଏହା ଛଡା ଯେକୌଣସି ଆକସ୍ମିକ ପରିସ୍ଥିତି ପାଇଁ ୧୦ପ୍ରତିଶତ ସଂରକ୍ଷିତ ଗଣନାକାରୀ ଏବଂ ପର୍ଯ୍ୟବେକ୍ଷକ ରହିବେ ।ଆରଜିଆଇ କହିଛି ଯେ, ଜନଗଣନା ନିୟମ (୧୯୯୦) ର ନିୟମକୁ ଅନୁସରଣ କରାଯିବ। ପ୍ରତେକ ରାଜ୍ୟ ଜନଗଣନା ଅଧିକାରୀମାନଙ୍କୁ ନିଯୁକ୍ତ କରିବେ । ଜିଲ୍ଲାଗୁଡ଼ିକରେ ଜିଲ୍ଲାପାଳ ଓ ଜିଲ୍ଲା ମାଜିଷ୍ଟ୍ରେଟ କିମ୍ବା ଯେକୌଣସି ମନୋନୀତ ଅଧିକାରୀଙ୍କୁ ପ୍ରମୁଖ ଜନଗଣନା ଅଧିକାରୀ ଭାବରେ ନିଯୁକ୍ତ କରାଯିବ । ସେମାନେ ସେମାନଙ୍କ କ୍ଷେତ୍ରରେ ଜନଗଣନା କାର୍ଯ୍ୟର ସମସ୍ତ କାର୍ଯ୍ୟ ନିର୍ବାହ କରିବେ । ଜନଗଣନା ଏକ ନିର୍ଦ୍ଦିଷ୍ଟ ସମୟ ସୀମା ମଧ୍ୟରେ ସାରା ଦେଶରେ ସାରିବା ପାଇଁ ପ୍ରାୟ ୩୦ ଲକ୍ଷ କ୍ଷେତ୍ର କାର୍ଯ୍ୟକର୍ତ୍ତାଙ୍କୁ ନିୟୋଜିତ କରାଯିବ ବୋଲି ସୂଚନା ମିଳିଛି ।
ଆରଜିଆଇ ଜନଗଣନା ପରିଚାଳନା ପାଇଁ ସିଏମଏମଏସ (ସେନ୍ସସ ମ୍ୟାନେଜମେଣ୍ଟ ଆଣ୍ଡ ମନିଟରିଂ ସିଷ୍ଟମ) ନାମରେ ଏକ ୱେବ ପୋର୍ଟାଲ ଆରମ୍ଭ କରିଛି । ଯାହା ଦ୍ଵାରା ଗଣନାକାରୀ ଏବଂ ପର୍ଯ୍ୟବେକ୍ଷକଙ୍କ ନିଯୁକ୍ତି, ସେମାନଙ୍କୁ ଗଣନା ପାଇଁ ବ୍ଲକ ଏବଂ ପର୍ଯ୍ୟବେକ୍ଷକ ସର୍କଲ ନ୍ୟସ୍ତ କରିବା ଏବଂ କ୍ଷେତ୍ର କାର୍ଯ୍ୟର ପ୍ରକୃତ ସମୟ ପ୍ରଗତି ପରି ସମସ୍ତ କାର୍ଯ୍ୟକଳାପ ପରିଚାଳନା ଏବଂ ତଦାରଖ କରାଯାଇପାରିବ । ଜନଗଣନା ପାଇଁ ଏହି ସମସ୍ତ ନୂତନ ପଦକ୍ଷେପ ସହିତ, ଜନଗଣନା ଅଧିକାରୀମାନଙ୍କର ନିଯୁକ୍ତି ଆରମ୍ଭ କରିବା ପୂର୍ବରୁ ପୋର୍ଟାଲରେ ଜନଗଣନା କାର୍ଯ୍ୟକର୍ତ୍ତାଙ୍କ ପଞ୍ଜିକରଣ ଭଳି ଅନ୍ୟାନ୍ୟ ସମସ୍ତ ଔପଚାରିକତା ସଠିକ୍ ଏବଂ ସମ୍ପୂର୍ଣ୍ଣ ବିବରଣୀ ସମାପ୍ତ କରାଯିବ ବୋଲି ସୂଚନା ରହିଛି ।

Leave a Reply

Your email address will not be published. Required fields are marked *