ବିଶ୍ୱ ମାନବ ଅଧିକାର ଦିବସ ଅବସରରେ ମାନବାଧିକାର ଓ ସାମ୍ବିଧାନିକ ଅଧିକାର ଉଲଂଘନ ଉପରେ ଜନଶୁଣାଣୀ

ଭୁବନେଶ୍ୱର:ବିଶ୍ୱ ମାନବ ଅଧିକାର ଦିବସ ଅବସରରେ ପ୍ରାକୃତିକ ସଂପଦ ତଥା ପରିବେଶର ସୁରକ୍ଷା ପାଇଁ ସଂଗ୍ରାମରତ ପରିବେଶ କର୍ମୀ ଏବଂ ଜନ ଆନ୍ଦୋଳନ କର୍ମୀମାନଙ୍କର ମାନବିକ ଓ ସାମ୍ବିଧାନିକ ଅଧିକାର ଉଲଂଘନ ସମ୍ପର୍କରେ ଭୁବନେଶ୍ୱର ଲୋହିଆ ଏକାଡ଼େମୀ ଠାରେ ଏକ ଜନଶୁଣାଣୀ ଆୟୋଜିତ ହୋଇଯାଇଛି। ଲୋକଶକ୍ତି ଅଭିଯାନ ଓ ସିଭିଲ ସୋସାଇଟି ଫୋରମ୍ ଫର୍ ହ୍ୟୁମାନ୍ ରାଇଟ୍ସ ପକ୍ଷରୁ ଆୟୋଜିତ ଏହି ଜନଶୁଣାଣୀରେ ପ୍ରକୃତି, ପରିବେଶ, ପ୍ରାକୃତିକ ସମ୍ପଦ ତଥା ଜୀବନ ଜୀବିକାର ସୁରକ୍ଷା ପାଇଁ ଲଢୁଥିବା ଓଡ଼ିଶାର ବିଭିନ୍ନ ଜନ ଆନ୍ଦୋଳନର ନେତା, କର୍ମୀ ଓ ମାନବାଧିକାର କର୍ମୀ ମାନେ ଯୋଗଦେଇଥିଲେ। ସେମାନେ ସେମାନଙ୍କ ଉପରେ ବିଭିନ୍ନ କମ୍ପାନୀ ସ୍ୱାର୍ଥରେ କିପରି ଅତ୍ୟାଚାର କରାଯାଉଛି ଓ ସେମାନଙ୍କ ମାନବାଧିକାର ଉଲ୍ଲଘଂନ କରାଯାଉଛି ତାହା ସେମାନେ ଜନଶୁଣାଣୀ ନିମନ୍ତେ ଗଠିତ ବିଚାରକ ମଣ୍ଡଳୀଙ୍କ ସମ୍ମୁଖରେ ଉପସ୍ଥାପନ କରିଥିଲେ।ଦିଲ୍ଲୀ ବିଶ୍ୱବିଦ୍ୟାଳୟର ପୂର୍ବତନ ପ୍ରଫେସର ମନୋରଞ୍ଜନ ମହାନ୍ତି, ପ୍ରଫେସର ଗୋଲଖ ବିହାରୀ ନାଥ, ବିଶିଷ୍ଟ ଗାନ୍ଧୀବାଦୀ ନେତ୍ରୀ କୃଷ୍ଣା ମହାନ୍ତି, ପୂର୍ବତନ ପ୍ରଫେସର ସୁମିତ୍ରା ପଟେଲ, ବରିଷ୍ଠ ଆଇନଜୀବୀ ଭଗବାନ ସାହୁ, ଅବସରପ୍ରାପ୍ତ ମୁଖ୍ୟ ଶାସନ ସଚିବ ଅରବିନ୍ଦ ବେହେରା, ପୂର୍ବତନ ବିଚାରପତି ମନୋରଞ୍ଜନ ମହାନ୍ତି, ବରିଷ୍ଠ ସାମ୍ବାଦିକ ସୁଧୀର ପଟ୍ଟନାୟକ ଏବଂ ବୁଦ୍ଧିଜୀବି ଦେବପ୍ରସାଦ ରାୟ ପ୍ରମୁଖଙ୍କୁ ନେଇ ଏହି ବିଚାରକ ମଣ୍ଡଳୀ ଗଠନ କରାଯାଇଥିଲା।ଏହି ଜନଶୁଣାଣୀରେ ପ୍ରକୃତି ଓ ପ୍ରାକୃତିକ ସମ୍ପଦର ସୁରକ୍ଷା ତଥା ଜଳ, ଜମି ଓ ଜଙ୍ଗଲ ଅଧିକାର ହାସଲ ପାଇଁ ଓଡ଼ିଶାରେ ଚାଲିଥିବା ବିଭିନ୍ନ ଜନ ଆନ୍ଦୋଳନ ଯଥା ମା’ ମାଟି ମାଳି ସୁରକ୍ଷା ମଞ୍ଚ (ରାୟଗଡ଼ା ଓ କଳାହାଣ୍ଡି), ଜିନ୍ଦଲ ପୋସ୍କୋ ପ୍ରତିରୋଧ ମଞ୍ଚ (କେଉଁଝର), ନାଗେଶ୍ଵର ମାଳି ଡଙ୍ଗର ମହା ଗ୍ରାମସଭା (ବାଲଦା, କୋରାପୁଟ), ଏସାର୍ ମିନମେଣ୍ଟ୍ କମ୍ପାନୀ ବିରୋଧୀ ମଞ୍ଚ, ମାଳି ପର୍ବତ ସୁରକ୍ଷା ସମିତି, ସେମିଳିଗୁଡା, ସେରୁବନ୍ଧ ସୁରକ୍ଷା ସମିତି, କୋରାପୁଟ, ହାଲ୍ ବିସ୍ଥାପିତ ସଂଘ, ସୁନାବେଡ଼ା, ଡାଲମିଆଁ ସିମେଣ୍ଟ କାରଖାନା ସଂପ୍ରସାରଣ ଓ ଜମି ଅଧିଗ୍ରହଣ ବିରୋଧରେ ଆନ୍ଦୋଳନରତ ଗ୍ରାମସଭା ସମୁହ, ରାଜଗାଙ୍ଗପୁର, ବ୍ୟାଘ୍ର ସଂରକ୍ଷଣ ଅଭୟାରଣ୍ୟ ଯୋଗୁଁ ବିସ୍ଥାପିତ ଶିମିଳିପାଳ ଅଧିବାସୀ, ମୟୁରଭଞ୍ଜ, କଳିଙ୍ଗନଗର ବିସ୍ଥାପିତ ସଂଘ, ହୋଟେଲ ଓ ଆନ୍ତର୍ଜାତିକ ବିମାନ ବନ୍ଦର ପ୍ରତିଷ୍ଠା ବିରୋଧରେ ସିପସରୁବାଲି ଆନ୍ଦୋଳନ, ପୁରୀ, ରୁଗୁଡା ନଦୀବନ୍ଧ ବିସ୍ଥାପିତ, ସୁନ୍ଦରଗଡ଼, ନାରାୟଣପାଟଣା ଜମି ଅଧିକାର ଆନ୍ଦୋଳନ, ନିୟମଗିରି ସୁରକ୍ଷା ସମିତି, ରାଇରଙ୍ଗପୁର ଓ ନବରଙ୍ଗପୁର ଜିଲ୍ଲାରେ ବଳପୂର୍ବକ ବିସ୍ଥାପନ ଓ ବୁଲଡୋଜର୍ ଆଦି ଘଟଣାରେ ବିଭିନ୍ନ ସ୍ଥାନରୁ ପରିବେଶ କର୍ମୀ, ଜନ ଆନ୍ଦୋଳନ କର୍ମୀ ଓ ନେତୃତ୍ୱ ଯୋଗ ଦେଇଥିଲେ ଓ ସେମାନଙ୍କ ମାନବାଧିକାର ଉଲ୍ଲଘଂନ କିପରି ହେଉଛି, ତାହା ବର୍ଣ୍ଣନା କରିଥିଲେ। ସେମାନଙ୍କ ଉପରେ ବେଦାନ୍ତ, ଜିନ୍ଦଲ, ପୋସ୍କୋ, ଆଦାନୀ, ଏସାର୍ ମିନମେଣ୍ଟ୍, ହିଣ୍ଡାଲକୋ ଡାଲମିଆ ଆଦି କମ୍ପାନୀ ଓ ସେମାନଙ୍କ ସ୍ୱାର୍ଥରେ କିପରି ସ୍ୱୟଂ ଓଡ଼ିଶା ସରକାର ସ୍ଥାନୀୟ ଜିଲ୍ଲା ପ୍ରଶାସନ ମାଧ୍ୟମରେ ପୋଲିସ୍ ଅତ୍ୟାଚାର କରୁଛି ଓ ମିଛ କେସରେ ଗିରଫ କରୁଛି, ତାହା ସେମାନେ ବିଚାରକମାନଙ୍କ ନିକଟରେ ବଖାଣିଥିଲେ। ଅନୁସୂଚିତ ଅଞ୍ଚଳ ହୋଇଥିବା ସତ୍ତ୍ଵେ ସେମାନଙ୍କ ଅଞ୍ଚଳରେ କିପରି ଗ୍ରାମସଭାକୁ ମାନ୍ୟତା ଦିଆନଯାଇ ସେମାନଙ୍କ ସାମ୍ବିଧାନିକ ଅଧିକାର ଉଲଂଘନ କରାଯାଉଛି ଓ କମ୍ପାନୀ ସ୍ୱାର୍ଥରେ ମିଥ୍ୟା ଗ୍ରାମସଭା କରାଯାଉଛି ବୋଲି ସେମାନେ ଅଭିଯୋଗ କରିଥିଲେ। ପ୍ରତ୍ୟେକ ସମୟରେ ପୋଲିସ ଆତଙ୍କରାଜ ଏବଂ ମିଥ୍ୟା ଗିରଫଦାରୀ ଯୋଗୁଁ ସେମାନେ ହାଟ, ବଜାର ଓ ସ୍ୱାସ୍ଥ୍ୟକେନ୍ଦ୍ର ଯିବାକୁ ମଧ୍ୟ ଡରୁଛନ୍ତି ବୋଲି ପ୍ରକାଶ କରିଥିଲେ। ଆଇନଶୃଙ୍ଖଳା ରକ୍ଷା ନାମରେ ପୋଲିସ କମ୍ପାନୀ ମାନଙ୍କ ଗୁଣ୍ଡା ଭଳି କାମ କରୁଛି ଏବଂ ସେମାନେ ସେମାନଙ୍କ ମାନବାଧିକାର ଓ ସାମ୍ବିଧାନିକ ଅଧିକାରରୁ ବଞ୍ଚିତ ହେଉଛନ୍ତି ବୋଲି ଜନଶୁଣାଣୀରେ ଦର୍ଶାଇଥିଲେ। ସେହିପରି ଜଙ୍ଗଲ ଅଧିକାର ଆଇନ-୨୦୦୬ ଓ ପେସା ଆଇନକୁ କାର୍ଯ୍ୟକାରୀ କରାନଯିବା ଫଳରେ ସେମାନଙ୍କୁ ବ୍ୟକ୍ତିଗତ ଓ ଗୋଷ୍ଠୀଗତ ଜଙ୍ଗଲ ଅଧିକାର ମିଳିପାରୁନାହିଁ। ଗ୍ରାମସଭାର ବିନା ଅନୁମୋଦନରେ ସିମେଣ୍ଟ କାରଖାନା ଭଳି ବହୁଳ ପ୍ରଦୂଷଣ ମୂଳକ ଶିଳ୍ପ ପାଇଁ ଜମି ଅଧିଗ୍ରହଣ କରାଯାଉଛି ଏବଂ ସେଥିପାଇଁ ସେମାନଙ୍କ ଉପରେ ବ୍ୟାପକ ଦମନ କରାଯାଉଛି। ବିଭିନ୍ନ ସ୍ଥାନରେ କମ୍ପାନୀ ଗୁଣ୍ଡା ଓ ପୋଲିସ ମାନଙ୍କ ଦ୍ଵାରା ଜବରଦସ୍ତ ତଥା ଚଞ୍ଚକତା ମାଧ୍ୟମରେ ଗ୍ରାମସଭା ଓ ପରିବେଶ ମଞ୍ଜୁରୀ ହାସଲ କରିବା ପାଇଁ ଚେଷ୍ଟା କରାଯାଉଛି। ଦୀର୍ଘ ଦିନରୁ ଆଦିବାସୀ ବସତି ଏବଂ ବନ୍ୟଜନ୍ତୁ ସଂରକ୍ଷଣ ଶାନ୍ତିପୂର୍ଣ୍ଣ ସହାବସ୍ଥାନ ମାଧ୍ୟମରେ ସମ୍ଭବପର ହୋଇପାରୁଥିବା ବେଳେ ଏବେ ବ୍ୟାଘ୍ର ଓ ହାତୀ ସଂରକ୍ଷଣ ପ୍ରକଳ୍ପ ନାମରେ ସେମାନଙ୍କୁ ଜଙ୍ଗଲରୁ ବିସ୍ଥାପିତ କରାଯାଉଛି ଏବଂ ଭବିଷ୍ୟତରେ ବ୍ୟାପକ ବିସ୍ଥାପନ ପାଇଁ ନକ୍ସା ପ୍ରସ୍ତୁତ କରାଯାଉଛି। ଗୋଟିଏ ପଟେ ସେମାନଙ୍କୁ ଜଙ୍ଗଲରୁ ବିସ୍ଥାପିତ କରାଯାଉଛି ଏବଂ ଅନ୍ୟପଟେ ପର୍ଯ୍ୟଟନ ଶିଳ୍ପ ନାମରେ ସେହି ଅଞ୍ଚଳରେ ଅନ୍ୟମାନଙ୍କ ମନୋରଞ୍ଜନ ପାଇଁ ପ୍ରମୋଦ ଉଦ୍ୟାନ ସ୍ଥାପନ କରାଯାଉଛି। ଶିଳ୍ପ ତଥା ପ୍ରଦ୍ୟୁଷଣ ଯୋଗୁଁ ବିସ୍ଥାପିତ ମାନେ ଯକ୍ଷ୍ମା, ଶ୍ୱାସ, ଯକୃତ, କିଡନୀ ଜନିତ ରୋଗରେ ବହୁଳ ଭାବରେ ପିଡ଼ିତ ହେଉଛନ୍ତି ଏବଂ ମୃତ୍ୟୁବରଣ କରୁଛନ୍ତି ବା ସଦାସର୍ବଦା ଅସ୍ୱାସ୍ଥ୍ୟକର ପରିବେଶ ତଥା ମୃତ୍ୟୁର ଆଶଙ୍କା ମଧ୍ୟରେ ବଞ୍ଚି ରହିଛନ୍ତି ବୋଲି ସେମାନଙ୍କ ଦୁଃଖ ଭରା କାହାଣୀ ବର୍ଣ୍ଣନା କରିଥିଲେ।ଜନଶୁଣାଣୀ ପୃଷ୍ଠଭୂମି ସଂପର୍କରେ ଆୟୋଜକମାନଙ୍କ ପକ୍ଷରୁ ପ୍ରଫୁଲ୍ଲ ସାମନ୍ତରା, ଗୌରାଙ୍ଗ ମହାପାତ୍ର, ସନ୍ଦୀପ ପଟ୍ଟନାୟକ ସୂଚନା ଦେଇଥିଲେ। ମାନବାଧିକାର ତଥା ସାମ୍ବିଧାନିକ ଅଧିକାର ଉଲଂଘନ ସମ୍ପର୍କରେ ବିଭିନ୍ନ ଜନ ଆନ୍ଦୋଳନ ତଥା ଜନ ସଂଗଠନମାନଙ୍କ ପକ୍ଷରୁ ଫୁଲ କୁମାର ମାଝୀ, ଅଗାଧୁ ନାୟକ, ଜିନ୍ଦଲ ପୋସ୍କୋ ପ୍ରତିରୋଧ ମଞ୍ଚର ଉପଦେଷ୍ଟା ତଥା କୃଷକ ନେତା ରଘୁନାଥ ଦାସ, ମିଥ୍ୟା ମକଦ୍ଦମା ବିରୋଧୀ ଅଭିଯାନର ରାଜ୍ୟ ଆବାହକ ନରେନ୍ଦ୍ର ମହାନ୍ତି, ଅଜୟ ମୁଦୁଲି, ଲକ୍ଷ୍ମୀ ସିସା, ବିଜୟ ମୁଦୁଲି, ମନୋଜ କୁମାର ସାହୁ, ସୀତା ମୋହନ ମାଝୀ, ଲବିତା ଦେହୁରୀ, ଚନ୍ଦ୍ରମଣି ସୋରେନ୍, ନିରଞ୍ଜନ ଖିଲୋ, ଦାସୀ ନନ୍ଦିବାଲୀ, ଦୀନବନ୍ଧୁ ଘୁଣ୍ଟା, ତ୍ରିଲୋଚନ ମୁଦୁଲି, ବିବୁଲ୍ ଟପ୍ପୋ, ରୀତେଶ୍ କୁଜ୍ଜୁର, କୁଆଁର ଭତ୍ତା, ଚିଲମ୍ ପୂର୍ତ୍ତି, ମହାନ୍ତି ସୋରେନ୍, ପ୍ରଦ୍ୟୁମ୍ନ ବେହେରା, ସୁରେନ୍ଦ୍ର ହାଇବ୍ରୁ, ବଟକୃଷ୍ଣ ସ୍ବାଇଁ, ନିଚିକା ଲିଙ୍ଗା, ଜିତ୍ ବାହାନ କାଣ୍ଡାଇଗୁରୁ, ଉପେନ୍ଦ୍ର ବାଗ୍, କୃଷ୍ଣ ସିକୋକା ପ୍ରମୁଖ ସେମାନଙ୍କ ଅଭିଯୋଗ ଜନଶୁଣାଣୀର ବିଚାରକମାନଙ୍କ ନିକଟରେ ଉପସ୍ଥାପନ କରିଥିଲେ।ସମସ୍ତଙ୍କ ଅଭିଯୋଗ ଶୁଣିବା ପରେ ଜନଶୁଣାଣୀର ବିଚାରକମାନେ ଅଭିଯୋଗକାରୀମାନଙ୍କୁ ବିଭିନ୍ନ ପ୍ରଶ୍ନ ପଚାରିବା ସହିତ ସ୍ପଷ୍ଟୀକରଣ ମାଗିଥିଲେ। ଶେଷରେ ବିଚାରକ ମଣ୍ଡଳୀ ସେମାନଙ୍କ ମଧ୍ୟବର୍ତ୍ତୀକାଳୀନ ରାୟ ପ୍ରକାଶ କରିଥିଲେ। ଜଷ୍ଟିସ୍ ମନୋରଞ୍ଜନ ମହାନ୍ତି ସମସ୍ତ ଅଭିଯୋଗକାରୀମାନଙ୍କୁ ଧନ୍ୟବାଦ ଜଣାଇ ଜନ ଆନ୍ଦୋଳନକାରୀମାନେ ହିଁ ଅସଲରେ ଗଣତାନ୍ତ୍ରିକ ଓ ସାମ୍ବିଧାନିକ ଅଧିକାର ତଥା ମୂଲ୍ୟବୋଧକୁ ବଞ୍ଚାଇ ରଖିଛନ୍ତି ବୋଲି ମତବ୍ୟକ୍ତ କରିଥିଲେ। ପ୍ରଫେସର ସୁମିତ୍ରା ପଟେଲ ପୋଲିସ୍ ଅତ୍ୟାଚାର ସମସ୍ତ ସୀମା ଲଂଘନ କରୁଛି ଏବଂ କମ୍ପାନୀ ମାନଙ୍କ ସ୍ୱାର୍ଥରେ ଲୋକଙ୍କ ସାମ୍ବିଧାନିକ ଅଧିକାର ଉଲଂଘନ କରାଯାଉଛି ବୋଲି କହିଥିଲେ। ବରିଷ୍ଠ ଆଇନଜୀବୀ ଭଗବାନ ସାହୁ ବିଭିନ୍ନ ଜନ ଆନ୍ଦୋଳନ ମାନେ ମିଳିତ ଭାବେ ପରସ୍ପର ଆନ୍ଦୋଳନ ପ୍ରତି ସଂହତି ପ୍ରକାଶ କରିବାକୁ ଆହ୍ବାନ ଦେଇଥିଲେ। ଗାନ୍ଧୀବାଦୀ ନେତ୍ରୀ କ୍ରିଷ୍ଣା ମହାନ୍ତି ଜଳ, ଜମି ଓ ଜଙ୍ଗଲ ଅଧିକାର ପାଇଁ ସମସ୍ତ ଗଣତାନ୍ତ୍ରିକ ଆନ୍ଦୋଳନ ଜାରି ରହିବା ଉଚିତ୍ ଏବଂ ସେମାନଙ୍କ ଉପରେ ସରକାର, କମ୍ପାନୀ ଓ ପୋଲିସ ଦମନ କୈଣସି ଭାବେ ଅଘୋଷିତ ଜରୁରୀକାଳୀନ ପରିସ୍ଥିତି ଠାରୁ କମ୍ ନୁହେଁ ବୋଲି ମତ ଦେଇଥିବା ବେଳେ ଶ୍ରୀଯୁକ୍ତ ଦେବପ୍ରସାଦ ରାୟ ବିଭିନ୍ନ ଜନ ଆନ୍ଦୋଳନ ଉପରେ ସରକାରୀ ଦମନ ଓ ମିଥ୍ୟା ମକଦ୍ଦମାର ମୁକାବିଲା ନିମନ୍ତେ ରାଜ୍ୟର ଜନବାଦୀ ଆଇନଜୀବୀମାନଙ୍କ ସମୁହ ଗଠନ ପାଇଁ ମତ ଦେଇଥିଲେ। ସେହିପରି ପ୍ରଫେସର ଗୋଲଖ ବିହାରୀ ନାଥ କର୍ପୋରେଟ୍ ସ୍ୱାର୍ଥରେ ସରକାରଙ୍କ ସମସ୍ତ ଜନ ବିରୋଧୀ ନୀତି ବିରୋଧରେ ପ୍ରତିବାଦ କରୁଥିବା ସଂଗଠନ ଓ ବ୍ୟକ୍ତି ବିଶେଷଙ୍କୁ ବିକାଶ ବିରୋଧୀ ଓ ଦେଶଦ୍ରୋହୀ ଘୋଷିତ କରି ସେମାନଙ୍କୁ ନିପାତ କରିବାକୁ ସରକାର ଘୋଷଣା ସରକାରଙ୍କ ଜନବିରୋଧୀ ନୀତିର ସଫଳ ପରିପ୍ରକାଶ ବୋଲି ମତବ୍ୟକ୍ତ କରିଥିଲେ। ସାମ୍ବାଦିକ ସୁଧୀର ପଟ୍ଟନାୟକ ସମସ୍ତ ଜନ ଆନ୍ଦୋଳନ ଏକାଠି ହେବା, ଆନ୍ଦୋଳନମାନଙ୍କର ଦସ୍ତାବିଜ ତଥା ନଥିକରଣ କରିବା, ଗିରଫ ସଂପର୍କରେ ନିଜ ଭିତରୁ ଭୟ ଦୂର କରି ସାମୁହିକ ଜେଲ ଭରୋ ପାଇଁ ପ୍ରସ୍ତୁତ ହେବା ଆବଶ୍ୟକ ବୋଲି ମତପ୍ରକାଶ କରିଥିଲେ। ପୂର୍ବତନ ପ୍ରଶାସକ ତଥା ଓଡ଼ିଶାର ପୂର୍ବତନ ମୂଖ୍ୟ ଶାସନ ସଚିବ ଅରବିନ୍ଦ ବେହେରା କହିଥିଲେ ଗଣତାନ୍ତ୍ରିକ ବିଧି ବ୍ୟବସ୍ଥା ଦିନକୁ ଦିନ କ୍ଷୁର୍ଣ୍ଣ ହୋଇଚାଲିଛି ଏବଂ ଗଣତନ୍ତ୍ର ଆଜି ଗଣ ତଥା ନାଗରିକ ମାନଙ୍କ ଉପରେ ଆଜି ବୋଝ ହୋଇଚାଲିଛି। କିନ୍ତୁ କୌଣସି ପରିସ୍ଥିତିରେ ଆମେ ନୀରବ ରହିବା ନାହିଁ, ସଦା ସର୍ବଦା ଆମକୁ ପ୍ରଶ୍ନ ପଚାରିବାକୁ ପଡ଼ିବ।ଶେଷରେ ବିଚାରକ ମଣ୍ଡଳୀରେ ସଭାପତିତ୍ବ କରୁଥିବା ଦିଲ୍ଲୀ ବିଶ୍ୱବିଦ୍ୟାଳୟର ପୂର୍ବତନ ପ୍ରଫେସର ମନୋରଞ୍ଜନ ମହାନ୍ତି ଆଜିର ଜନଶୁଣାଣୀ ଜନ ଚେତନାର ଉନ୍ମେଷ ବୋଲି ମତବ୍ୟକ୍ତ କରିଥିଲେ ଏବଂ ଜନ ଆନ୍ଦୋଳନ ମାନଙ୍କ ଯୋଗୁଁ ଆଜି ଅତ୍ୟାଚାରିତ ଓ ଶୋଷିତ ଜନତା ସେମାନଙ୍କ ସ୍ୱର ନିର୍ଭିକ ଭାବରେ ଉପସ୍ଥାପିତ କରିପାରୁଛନ୍ତି। ପ୍ରତ୍ୟେକ ଜନ ଆନ୍ଦୋଳନ ଅନ୍ୟ ଜନ ଆନ୍ଦୋଳନ ପ୍ରତି ସଂହତି ଜଣାଇବା ଆବଶ୍ୟକ ଏବଂ ସେମାନେ କେହି ଏକାକୀ ନୁହଁନ୍ତି ବୋଲି ଅନୁଭବ କରି ସେମାନଙ୍କ ଗଣତାନ୍ତ୍ରିକ ଅଧିକାର ଓ ଆନ୍ଦୋଳନକୁ ତ୍ବରାନ୍ବିତ କରିବାକୁ ପଡ଼ିବ ସେ ତାଙ୍କର ଉଦଯାପନୀ ବକ୍ତବ୍ୟରେ ଦୃଢ଼ ମତ ପୋଷଣ କରିଥିଲେ। ବିକଶିତ ଭାରତ କି ବିକଶିତ ଓଡ଼ିଶାର ସ୍ଵରୁପ ଯଦି ସମସ୍ତଙ୍କ ପାଇଁ ସୁଷମ ତଥା ସମତାମୂଳକ ବିକାଶ ହୋଇ ନପାରିବ, ତେବେ ତାହା ବିକାଶ ନୁହେଁ, ବିନାଶ ବୋଲି ଧରିବାକୁ ହେବ ଏବଂ ଏହି ସବୁ ପ୍ରସଙ୍ଗଗୁଡ଼ିକୁ ଆମକୁ ରାଷ୍ଟ୍ରୀୟ ତଥା ଅନ୍ତଃରାଷ୍ଟ୍ରୀୟ ସ୍ତରକୁ ନେବାକୁ ହେବ ବୋଲି ସେ କହିଥିଲେ। ଶେଷରେ ସମସ୍ତଙ୍କୁ ଧନ୍ୟବାଦ ପ୍ରଦାନ କରି ଜନଶୁଣାଣୀକୁ ସମାପ୍ତ କରାଯାଇଥିଲା।

Leave a Reply

Your email address will not be published. Required fields are marked *