ମାଲକାନଗିରିରେ ୯ ଦିନ ପରେ ଫେରିଲା ଇଣ୍ଟରନେଟ ସେବା

ମାଲକାନଗିରି: ମାଲକାନଗିରିରେ ଦୀର୍ଘ ୯ ଦିନର ବ୍ୟବଧାନ ପରେ ମାଲକାନଗିରି ଜିଲ୍ଲାରେ ପୁଣି ଥରେ ଇଣ୍ଟରନେଟ ସେବା ସ୍ୱାଭାବିକ ହୋଇଛି। ଆଜି ଦିନ ୧୨ଟା ପରେ ମୋବାଇଲ ଇଣ୍ଟରନେଟ ସେବା ଚାଲୁ ହେବା ପରେ ସାଧାରଣ ଲୋକେ ଆଶ୍ୱସ୍ତି ପ୍ରକାଶ କରିଛନ୍ତି। ଇଣ୍ଟରନେଟ ସେବା ବନ୍ଦ ରହିବା କାରଣରୁ ଯେଉଁ ଅସୁବିଧା ସୃଷ୍ଟି ହୋଇଥିଲା, ତାହା ଦୂର ହୋଇଛି । ସୂଚନାଯୋଗ୍ୟ ଯେ, କୋରକୋଣ୍ଡା ଥାନା ଅନ୍ତର୍ଗତ ରାଖଲଗୁଡା ଗ୍ରାମର ଲୋକେ ପୋଡ଼ିଆମୀଙ୍କ ହତ୍ୟାକାଣ୍ଡକୁ ନେଇ ସ୍ଥାନୀୟ ଅଞ୍ଚଳରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଥିଲା। ଏହି ଘଟଣା ପରେ ଉତ୍ୟକ୍ତ ଆଦିବାସୀ ସମ୍ପ୍ରଦାୟର ଲୋକେ ନିକଟସ୍ଥ ଏମଭି-୨୬ ଗ୍ରାମରେ ପୋଡ଼ାଜଳା ଓ ଭଙ୍ଗାରୁଜା କରିଥିଲେ। ପରିସ୍ଥିତି ଅଣାୟତ୍ତ ହେବାରୁ ଏବଂ ସୋସିଆଲ ମିଡିଆ ଜରିଆରେ ଗୁଜବ ବ୍ୟାପିବାର ଆଶଙ୍କା ଥିବାରୁ ଜିଲ୍ଲା ପ୍ରଶାସନ ଇଣ୍ଟରନେଟ ସେବା ବନ୍ଦ କରିବାକୁ ନିଷ୍ପତ୍ତି ନେଇଥିଲା। ଜିଲ୍ଲାରେ ଶାନ୍ତି ଶୃଙ୍ଖଳା ବଜାୟ ରଖିବା ପାଇଁ ପ୍ରଶାସନ ପକ୍ଷରୁ ବାରମ୍ବାର ଇଣ୍ଟରନେଟ ବ୍ୟାନର ସମୟସୀମା ବୃଦ୍ଧି କରାଯାଇଥିଲା। ସୋସିଆଲ ମିଡିଆ ଦ୍ବାରା ହିଂସା ବ୍ୟାପିବାର ଆଶଙ୍କାକୁ ଦୃଷ୍ଟିରେ ରଖି ପ୍ରଶାସନ ଷଷ୍ଠ ଥର ପାଇଁ ଏହି କଟକଣାକୁ ବଢ଼ାଇ ଡିସେମ୍ବର ୧୫ ତାରିଖ ଦିନ ୧୨ଟା ପର୍ଯ୍ୟନ୍ତ ବଳବତ୍ତର ରଖିଥିଲେ। ତେବେ ବର୍ତ୍ତମାନ ପରିସ୍ଥିତିରେ ସୁଧାର ଆସିବା ପରେ ସେବା ପୁନଃ କାର୍ଯ୍ୟକ୍ଷମ ହୋଇଛି।

Leave a Reply

Your email address will not be published. Required fields are marked *