ବଡ଼ଦିନ ଓ ନୂଆବର୍ଷରେ କେବଳ ସିଂହଦ୍ବାର ଦେଇ ଶ୍ରୀମନ୍ଦିରକୁ ପ୍ରବେଶ ଅନୁମତି

ପୁରୀ: ବଡ଼ଦିନ ଓ ନୂଆବର୍ଷରେ କେବଳ ଶ୍ରୀମନ୍ଦିର ସିଂହଦ୍ବାର ଦେଇ ଭକ୍ତମାନେ ପ୍ରବେଶ କରିବେ ଏବଂ ଅନ୍ୟ ତିନି ଦ୍ଵାର ଦେଇ ପ୍ରସ୍ଥାନ କରିବେ ବୋଲି ନିଷ୍ପତ୍ତି ନିଆଯାଇଛି। ପୁରୀ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡ଼ାଙ୍କ ଅଧ୍ୟକ୍ଷତାରେ ପ୍ରସ୍ତୁତି ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ଶ୍ରଦ୍ଧାଳୁମାନଙ୍କ ଶ୍ରୀଜିଉ ଦର୍ଶନ ସୁବିଧା ପାଇଁ ଏହା କରାଯିବ ବୋଲି ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡ଼ା ସୂଚନା ଦେଇଛନ୍ତି ।
ମଙ୍ଗଳବାର ସର୍କିଟ ହାଉସ୍‌ଠାରେ ଅନୁଷ୍ଠିତ ପ୍ରଶାସନିକ ପ୍ରସ୍ତୁତି ବୈଠକରେ ଏସ୍‌ପି ପ୍ରତୀକ ସିଂ ଯୋଗଦେଇଥିଲେ । ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ପ୍ରତୀକ ସିଂ ଅନ୍ୟ ଦିନମାନଙ୍କ ଅପେକ୍ଷା ଛୁଟି ଦିନ ପଡୁଥିବାରୁ ବଡ଼ଦିନ ଓ ନୂଆବର୍ଷରେ ବ୍ୟାପକ ଗହଳିର ଆଶା କରାଯାଉଛି ବୋଲି କହିଥିଲେ। ତେଣୁ ଆଇନ ଶୃଙ୍ଖଳା ରକ୍ଷା, ପାର୍କିଂ ବ୍ୟବସ୍ଥା, ଟ୍ରାଫିକ ନିୟନ୍ତ୍ରଣ, ଧାଡିରେ ଥିବା ଶ୍ରଦ୍ଧାଳୁଙ୍କୁ ନିୟନ୍ତ୍ରଣ, ସମୁଦ୍ର କୂଳରେ ସୁରକ୍ଷା ବ୍ୟବସ୍ଥା ଇତ୍ୟାଦି ପାଇଁ ପୋଲିସ ବିବିଧ ପଦକ୍ଷେପ ନେଇଛନ୍ତି। ଶ୍ରଦ୍ଧାଳୁଙ୍କୁ ସୂଚନା ପ୍ରଦାନ ଓ ସଚେତନତା ପାଇଁ ସାଇନଏଜ ବିଭିନ୍ନ ସ୍ଥାନରେ ଲଗାଯିବ। ଶ୍ରଦ୍ଧାଳୁମାନଙ୍କ ଦର୍ଶନ ପାଇଁ ବ୍ୟାରିକେଡ ବ୍ୟବସ୍ଥା ହୋଇ ଥିବାରୁ ପାନୀୟ ଜଳ ପ୍ରଦାନ ବ୍ୟବସ୍ଥା ମନ୍ଦିର ଭିତରେ ଓ ବାହାରେ କରାଯିବ। ଅଗ୍ନିଶମ ବିଭାଗ ପକ୍ଷରୁ କୌଣସି ଦୁର୍ଘଟଣା ପାଇଁ ପ୍ରସ୍ତୁତ ରହିବା, ସମୁଦ୍ର ନିକଟରେ ଆନୁସଙ୍ଗିକ ସୁରକ୍ଷା ବ୍ୟବସ୍ଥା, ଲାଇଫଗାର୍ଡ ମୁତୟନ ବ୍ୟବସ୍ଥା କରିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ। ନୀତିକାନ୍ତି ସଠିକ ସମୟରେ ପରିଚାଳନା ପାଇଁ ଜିଲ୍ଲାପାଳ ଶ୍ରୀମନ୍ଦିର ପ୍ରଶାସନକୁ ପରାମର୍ଶ ଦେଇଥିଲେ। ଯାହା ଫଳରେ ଦର୍ଶନ ଶୀଘ୍ର ହୋଇପାରିବ।

Leave a Reply

Your email address will not be published. Required fields are marked *