ଭୁବନେଶ୍ବର: ବଳଙ୍ଗା ଘଟଣାର ୭ ଦିନ ପରେ ଶୁକ୍ରବାର ଦିଲ୍ଲୀ ଏମ୍ସରେ ବଳଙ୍ଗା ନାବାଳିକା ପୀଡ଼ିତାଙ୍କ ବୟାନ ରେକର୍ଡ ହୋଇଛି । ବୟାନ ରେକର୍ଡ ସମୟରେ ସମ୍ପୂର୍ଣ୍ଣ ଭିଡିଓ ରେକର୍ଡିଂ କରାଯାଇଛି । ବୟାନ ରେକର୍ଡ ସମୟରେ ଜଣେ ଡାକ୍ତର, ସେହି ଅଞ୍ଚଳର ଜଣେ ମାଜିଷ୍ଟ୍ରେଟ୍, ବଳଙ୍ଗା ଥାନାର ଜଣେ ମହିଳା ଏଏସଆଇ, କ୍ରାଇମବ୍ରାଞ୍ଚର ଜଣେ ଅଫିସରଙ୍କ ସମେତ ପୀଡିତାଙ୍କ ପରିବାରର ଜଣେ ସଦସ୍ୟ ଉପସ୍ଥିତ ଥିଲେ।
ଏପର୍ଯ୍ୟନ୍ତ ୨୦ରୁ ଅଧିକ ଲୋକଙ୍କ ଫୋନ୍ ଟ୍ରାକିଂ ଏବଂ ୪୦ରୁ ଅଧିକ ଲୋକଙ୍କୁ ପଚରା ଉଚରା ପରେ ବି ପୋଲିସର ହାତ ଖାଲି ରହିଛି ଏବଂ ଏବେ ବି ଅଭିଯୁକ୍ତଙ୍କୁ ଧରିବାରେ ପୋଲିସ ଅସମର୍ଥ ରହିଛି । ଗତ ଶନିବାର ଦିନ ବଳଙ୍ଗାର ଯୁକ୍ତ ଦୁଇ ନାବାଳିକାଙ୍କୁ ୩ ଜଣ ଦୁର୍ବୁତ୍ତ କିରୋସିନି ପକାଇ ନିଆଁ ଲଗାଇ ପୋଡ଼ି ମାରିଦେବାକୁ ଉଦ୍ୟମ କରିଥିଲେ । ଅଭିଯୁକ୍ତଙ୍କୁ ଧରିବାକୁ ତଦନ୍ତକାରୀ ଟିମ୍ ପୂରା ଜୋର୍ ଲଗାଇଥିଲେ ମଧ୍ୟ ଏପର୍ଯ୍ୟନ୍ତ କିଛି ବି ଖୁଲାସା ହୋଇନି ।