ମୌସୁମୀ ଅଧିବେଶନରେ ‘ଅପରେସନ୍ ସିନ୍ଦୁର’ ଉପରେ ଆଲୋଚନା

ନୂଆଦିଲ୍ଲୀ: ଜୁଲାଇରୁ ଆରମ୍ଭ ହୋଇଥିବା ମୌସୁମୀ ଅଧିବେଶନରେ ସରକାର ଏବଂ ବିରୋଧି ଦଳ ମଧ୍ୟରେ ବିବାଦ ଚାଲିଛି । ମୌସୁମୀ ଅଧିବେଶନରେ ସୋମବାର ସଂସଦରେ ପହଲଗାମ୍ ଆକ୍ରମଣ ଏବଂ ଅପରେସନ୍ ସିନ୍ଦୁର ଉପରେ ଆଲୋଚନା ଆରମ୍ଭ ହୋଇଛି । ଯେଉଁଥିରେ ବିଜେପି-ନେତୃତ୍ୱାଧୀନ ଏନ୍‌ଡିଏ ଏବଂ ବିରୋଧୀ ଦଳମାନେ ନିଜର ଶୀର୍ଷ ନେତାମାନଙ୍କୁ କହିବାକୁ ସୁଯୋଗ ମିଳିଛି। ଯାହାର ଆରମ୍ଭ ରକ୍ଷା ମନ୍ତ୍ରୀ ରାଜନାଥ ସିଂହ କରିଛନ୍ତି । ଏହି ପ୍ରସଙ୍ଗରେ ଆଲୋଚନା ପାଇଁ ୧୬ ଘଣ୍ଟାର ସମୟ ଧାର୍ଯ୍ୟ ହୋଇଛି। ଏହି ଆଲୋଚନା ଦେଶର ସୁରକ୍ଷା ଏବଂ ବୈଦେଶିକ ନୀତି ଉପରେ ବ୍ୟାପକ ପ୍ରଭାବ ପକାଇବ।

ଲୋକସଭାରେ ବିରୋଧୀଙ୍କ ହଙ୍ଗାମା ଉପରେ ସଂସଦୀୟ କାର୍ଯ୍ୟମନ୍ତ୍ରୀ କିରଣ୍ ରିଜିଜୁ କହିଛନ୍ତି ଯେ ବିରୋଧୀ ଅପରେସନ୍ ସିନ୍ଦୂର ବିଷୟରେ ଚର୍ଚ୍ଚାରୁ ଦୂରେଇ ରହୁଛନ୍ତି । ଏହା ଏକ ଧୋକା । ଅପରେସନ୍ ସିନ୍ଦୂର ବିଷୟରେ ରକ୍ଷା ମନ୍ତ୍ରୀ ପ୍ରସ୍ତାବ ରଖିଛନ୍ତି । ଆମେ ସମସ୍ତେ ଚର୍ଚ୍ଚା ପାଇଁ ପ୍ରସ୍ତୁତ । ଚର୍ଚ୍ଚା ଆରମ୍ଭ ହେବାର ୧୦ ମିନିଟ୍ ପୂର୍ବରୁ ବିରୋଧୀ ତାଙ୍କର ଏଜେଣ୍ଡା ନେଇ ଆସିଥିଲେ ଯେ ସରକାର ଏକ ନିର୍ଦ୍ଧିଷ୍ଟ ସୟ ସୀମା ନିର୍ଦ୍ଧାରଣ କରେ ଯେ ଏହା ପରେ ଏସଆଇଆର ମୁଦ୍ଦା ଉପରେ ଚର୍ଚ୍ଚା ହେବ । ଚର୍ଚ୍ଚା ଆରମ୍ଭ ହେବାକୁ ୧୦ ମିନିଟ୍ ପୂର୍ବରୁ ଏପରି ସର୍ତ୍ତ ନେଇ ଆସିବା ଠିକ୍ ନୁହେଁ । ତେଣୁ ଲୋକସଭାର କାର୍ଯ୍ୟଚାଳନା ୧୨ଟାରେ ଯେତେବେଳେ ପୁଣି ଆରମ୍ଭ ହୋଇଥିଲା, ସେତେବେଳେ ବିରୋଧୀ ଗୃହରେ ଆସି ହଙ୍ଗାମା ପ୍ରଦର୍ଶନ କରିଥିଲେ । ବାଚସ୍ପତି ଓମ୍ ବିର୍ଲା ସେମାନଙ୍କୁ ନିଜ ନିଜ ଆସନରେ ବସିବାକୁ କହିଥିଲେ, କିନ୍ତୁ ସାଂସଦମାନେ ନିଜ ଦିଦରେ ଅଟଳ ରହିଥିଲେ । ଏହାପରେ ଗୋଟାଏ ପର୍ଯ୍ୟନ୍ତ ପାଇଁ ଗୃହ ସ୍ଥଗିତ କରାଯାଇଥିଲା ।
ଲୋକସଭା ଏବଂ ରାଜ୍ୟସଭାରେ ଆଲୋଚନା ହେବ । ଗୃହମନ୍ତ୍ରୀ ଅମିତ୍ ଶାହ୍, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଏବଂ ବୈଦେଶିକ ମନ୍ତ୍ରୀ ଏସ୍ ଜୟଶଙ୍କର ସରକାରର ଦୃଷ୍ଟିକୋଣ ଉପସ୍ଥାପନ କରିବେ। ସେହିପରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ ଭାଗ ନେଇପାରନ୍ତି ବୋଲି ସଙ୍କେତ ମିଳୁଛି।
ଏଥିରେ ରାଜନାଥ ସିଂହ, ବୈଜୟନ୍ତ ପଣ୍ଡା, ଡକ୍ଟର ଏସ୍ ଜୟଶଙ୍କର, ତେଜସ୍ୱୀ ସୂର୍ଯ୍ୟ, ସଞ୍ଜୟ ଜୟସ୍ୱାଲ୍, ଅନୁରାଗ ଠାକୁର, କମଲଜିତ୍ ସେହରାୱତ୍, ଲଭୁ ଶ୍ରୀକୃଷ୍ଣ (ଟିଡିପି), ହରିଶ ବାଲଯୋଗୀ (ଟିଡିପି), ରାମଶଙ୍କର ରାଜଭର (ଏସ୍‌ପି), ଛୋଟେଲାଲ୍ (ଏସ୍‌ପି), କଲ୍ୟାଣ ବାନାର୍ଜୀ (ଏଆଇଟିସି), ସୟୋନୀ ଘୋଷ (ଏଆଇଟିସି), କେ. ଫ୍ରାନ୍ସିସ୍ ଜର୍ଜ (କେସି), ଏ. ରାଜା (ଡିଏମ୍‌କେ), କେ. କନିମୋଝି (ଡିଏମ୍‌କେ), ଅମର କଲେ (ଏନ୍‌ସିପିଏସ୍‌ପି), ସୁପ୍ରିୟା ସୁଲେ (ଏନ୍‌ସିପିଏସ୍‌ପି) ପ୍ରମୁଖଙ୍କ ନାମ ଆଲୋଚନା ତାଲିକାରେ ରହିଛି ।
କଂଗ୍ରେସ୍ ତାଲିକା ଅନୁଯାୟୀ, ଗୌରବ ଗୋଗୋଇ ଆଜି ଆଲୋଚନା ଆରମ୍ଭ କରିବେ। ତାଙ୍କ ପରେ ପ୍ରିୟଙ୍କା ଗାନ୍ଧୀ ଭଦ୍ରା, ଦୀପେନ୍ଦ୍ର ହୁଡା, ପ୍ରଣୀତି ଶିନ୍ଦେ, ସପ୍ତଗିରି ଉଲାକା ଏବଂ ବିଜେନ୍ଦ୍ର ଓଲା କହିବେ। ବିରୋଧୀ ଦଳର ନେତା ରାହୁଲ ଗାନ୍ଧୀ ଆସନ୍ତାକାଲି କହିବେ । କଂଗ୍ରେସ ସାଂସଦ ଶଶୀ ଥରୁର କହିବେ କି ନାହିଁ, ତାହା ଏକ ବଡ଼ ପ୍ରଶ୍ନ । ଥରୁର ଯୁକ୍ତରାଷ୍ଟ୍ର ଏବଂ ଅନ୍ୟ ଦେଶମାନଙ୍କୁ ଏକ ପ୍ରତିନିଧି ଦଳର ନେତୃତ୍ୱ ନେଇଥିଲେ । ଯେଉଁ ସାଂସଦମାନେ ନିର୍ଦ୍ଦିଷ୍ଟ ବିଷୟରେ କହିବାକୁ ଚାହାନ୍ତି, ସେମାନେ ସିପିପି କାର୍ଯ୍ୟାଳୟକୁ ଅନୁରୋଧ ପଠାଇବା ଆବଶ୍ୟକ, କିନ୍ତୁ ଶଶୀ ଥରୁର ଏପର୍ଯ୍ୟନ୍ତ ତାହା କରିନାହାନ୍ତି। ତେଣୁ ସେ ଏନେଇ ମତାମତ ରଖିବାର ସମ୍ଭାବନା କମ୍ ।

Leave a Reply

Your email address will not be published. Required fields are marked *