ପୁରୀରେ ଚାଷୀଙ୍କ ଶୋଭାଯାତ୍ରା : ‘ହେ ସରକାର ଆମ ଧାନ କିଣ ‘

ପୁରୀ: ‘ ସରକାର ଆମ ଧାନ କିଣ। ଚାଷୀଙ୍କଠାରୁ ଧାର୍ଯ୍ୟ ପରିମାଣର ଧାନ କିଣିବା କଥା କହି ଠକି ଦେଲ ହେ ସରକାର । ଧାନର ଅଭାବୀ ବିକ୍ରି ପାଇଁ ଚାଷୀ ଆଖିରେ ଲୁହ। ରବି ଋତୁରେ ଧାନ ଟୋକନ ପାଇ ମଧ୍ୟ ୫୦ ପ୍ରତିଶତ ଚାଷୀ ଧାନ ବିକ୍ରି କରିପାରିନାହାନ୍ତି। ହେ ସରକାର ଏହାର ଜବାବ ଦିଅ ।’ ପୁରୀ ଜିଲ୍ଲାର ବ୍ରହ୍ମଗିରି ସମେତ ବିଭିନ୍ନ ଅଞ୍ଚଳର ୭୦ ପ୍ରତିଶତ ଲୋକ ଲୋକେ ଚାଷ ଉପରେ ନିର୍ଭର କରନ୍ତି । ହେଲେ ସରକାର ସେମାନଙ୍କ ପ୍ରତି ବୈମାତୃକ ମନୋଭାବ ରଖୁଥିବା ଅଭିଯୋଗ ହୋଇଛି । ଗତ ରବି ଋତୁରେ ଚାଷୀମାନଙ୍କ ସମସ୍ତ ଧାନ କିଣିବା ପାଇଁ ସରକାରଙ୍କ ତରଫରୁ ଧାନ କିଣିବାପାଇଁ ଘୋଷଣା ହୋଇଥିଲା ।

ଏନେଇ ଚାଷୀମାନେ ପଞ୍ଜିକରଣ ମଧ୍ୟ କରିଥିଲେ । ଚାଷୀମାନଙ୍କୁ ଟୋକନ ମଧ୍ୟ ଦିଆଯାଇଥିଲା । ହେଲେ ସରକାର ଟାଳଟୁଳ ନୀତି ଅବଲମ୍ବନ କରି ସେବାସମବାୟ ସମିତି ଗୁଡିକୁ ନିର୍ଦ୍ଧାରିତ ସମୟରେ ଟାର୍ଗେଟ ନଦେଇ ଚାଷୀମାନଙ୍କ ସହ ଖେଳିଲେ ବୋଲି ଅଭିଯୋଗ ହୋଇଛି ।

ଧାନ ସଂଗ୍ରହ ଅବଧି ଜୁନ୍ ମାସ ୩୦ ତାରିଖ ରାତି ୧୨ଟା ସୁଦ୍ଧା ସମୟ ଶେଷ ହେଉଥିବା ବେଳେ ରାତି ୯ଟା ୪୫ରେ ବ୍ରହ୍ମଗିରି ଏବଂ ପୁରୀ ସଦର ବ୍ଲକର ସମସ୍ତ ପ୍ରାଥମିକ ସେବା ସମବାୟ ସମିତି ଗୁଡିକୁ ଟାର୍ଗେଟ ପ୍ରଦାନ କରାଯାଇଥିଲା । ଏହା ଦ୍ୱାରା ସମସ୍ତ ପଞ୍ଜିକୃତ ଚାଷୀମାନଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଥିଲା। ବର୍ତ୍ତମାନ ସୁଦ୍ଧା ପ୍ରାୟ ୫୦ ପ୍ରତିଶତ ଚାଷୀ ନିଜର ଉତ୍ପାଦିତ ଧାନ ସରକାରୀ ବ୍ୟବସ୍ଥାରେ ଧାନ ବିକ୍ରି କରିବାକୁ ବଞ୍ଚିତ ହୋଇଛନ୍ତି । ଚାଷୀମାନେ ମନ୍ତ୍ରୀଙ୍କ ପ୍ରତିଶୃତି ପାଇ ମଣ୍ଡିରେ ଧାନ ରଖିଥିଲେ ମଧ୍ୟ ସେମାନଙ୍କ ଧାନ କିଣାଯାଇନାହିଁ । ସେଥିପାଇଁ ବ୍ରହ୍ମଗିରିରର ହଜାର ହଜାର ଚାଷୀ ଏବେ କାନ୍ଦୁଛନ୍ତି । ଏ ବାବଦରେ ବ୍ରହ୍ମଗିରିର ଚାଷୀକୂଳ ରାଜରାସ୍ତାକୁ ଓହ୍ଲାଇ ଆନ୍ଦୋଳନ କରିଥିଲେ।

ସେଥିପାଇଁ ବିଜେଡି ତରଫରୁ ଏକ ବିରାଟ ରାଲି ସହ ଟ୍ରାକ୍ଟରରେ ଧାନ ଅଣାଯାଇ ଜିଲ୍ଲାପାଳଙ୍କ ଅଫିସ ଆଗରେ ଧାରଣା ଦିଆଯାଇଛି । ଜିଲ୍ଲାପାଳ ମଧ୍ୟ ଏହି ଘଟଣାକୁ ଗୁରୁତର ସହ ନେଇ ସରକାରଙ୍କୁ ଅବଗତ କରାଇବେ ବୋଲି ପ୍ରତିଶୃତି ଦେଇଛନ୍ତି ।

Leave a Reply

Your email address will not be published. Required fields are marked *