ଭୁବନେଶ୍ବର : ଗତ ଜାନୁଆରୀ ୧୮ ତାରିଖରେ କେନ୍ଦୁଝର ଜିଲ୍ଲାର ସଦର ବ୍ଲକର ଟିକରପଡାରେ ଏସାର କମ୍ପାନୀର ପେଲେଟ କାରଖାନା ଓ ଜଳ ପାଇପ ବା ସ୍ଲୁରୀ ଦ୍ଵାରା ଲୁହାପଥର ପେଲେଟ ପରିବହନ ପ୍ରକଳ୍ପ ପାଇଁ ପରିବେଶ ମଞ୍ଜୁରୀ ନେଇ ଜନଶୁଣାଣୀ ହୋଇଥିଲା। କିନ୍ତୁ ହଜାର ହଜାର ଗ୍ରାମବାସୀମାନଙ୍କୁ ଜନଶୁଣାଣୀକୁ ପ୍ରବେଶ କରିବାକୁ ଦିଆଯାଇନଥିଲା।ପୁଲିସ ଓ ପ୍ରଶାସନ ଦ୍ଵାରା କମ୍ପାନୀର ହାତଗଣତି ସମର୍ଥକମାନଙ୍କୁ ନେଇ ଜନଶୁଣାଣୀ ଶେଷ କରିଦିଆଯାଇଥିଲା। ତେଣୁ ଜନଶୁଣାଣୀ ପୁନର୍ବାର କରିବାକୁ ଜନତାଙ୍କ ତରଫରୁ ମଧୁସୂଦନ ସାହୁ, ବିକାଶ ସାହୁ ପ୍ରମୁଖ ଆଡଭୋକେଟ ଈଶ୍ଵର ଚନ୍ଦ୍ର ମହାନ୍ତିଙ୍କ ଦ୍ଵାରା ଓଡିଶା ହାଇକୋର୍ଟଙ୍କ ଦ୍ଵାରସ୍ଥ ହୋଇଥିଲେ। ଗତ ଜୁଲାଇ ୨୭ ତାରିଖରେ ବିଚାରପତିଙ୍କ ରାୟରେ ନିର୍ଦ୍ଦେଶ ଦିଆ ଯାଇଥିଲା। ଜନଶୁଣାଣୀରେ ଆପତ୍ତି ଅଭିଯୋଗ କରିପାରିନଥିବା ଜନସାଧାରଣ ଦଶଦିନ ମଧ୍ୟରେ ଜନଶୁଣାଣୀ କରାଇଥିବା ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ପରିଷଦରେ ଆପତ୍ତି ପତ୍ର ଦାଖଲ କରିପାରିବେ। ସେହି ରାୟ ଅନୁଯାୟୀ କେନ୍ଦୁଝର ଜିଲ୍ଲାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନିର୍ବାଚନ ମଣ୍ଡଳୀର ୬ଟି ପଞ୍ଚାୟତର ପ୍ରାୟ ଦୁଇ ହଜାରରୁ ଉର୍ଦ୍ଧ୍ବ ଗ୍ରାମବାସୀଙ୍କ ଦସ୍ତଖତ ଥାଇ ଆପତ୍ତିପତ୍ର ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ନିର୍ଦ୍ଦେଶକଙ୍କୁ ପ୍ରଦାନ କରାଯାଇଛି। ଏସାର ମିନିମେଟ୍ କମ୍ପାନୀ ବିରୋଧୀ ମଞ୍ଚ ତରଫରୁ ମନୋଜ ସାହୁ, ବିକାଶ ସାହୁ, ଠାକୁର ମାରାଣ୍ଡି, ଶ୍ରୀମତୀ ରୁକ୍ମଣୀ ବେହେରା, କନକ ବେହେରା, ଚନ୍ଦ୍ରମଣି ସୋରେନ ପ୍ରମୁଖଙ୍କ ସମେତ ଶତାଧିକ ଗ୍ରାମବାସୀ ଏହି ଆପତ୍ତିପତ୍ର ଦେବାକୁ ଆସିଥିଲେ ।
କମ୍ପାନୀର ଲୁହାପଥର କ୍ରସିଂ, ଗ୍ରାଇଣ୍ଡିଙ୍ଗ ଦ୍ଵାରା ବାୟୁ, ଜଳ ଓ ମାଟି ପ୍ରଦୂଷଣ ହେବା ସହ ସ୍ଲୁରୀ ଦ୍ଵାରା ଲୁହାପଥର ପରିବହନ ବୈତରଣୀ ନଦୀ ଓ ଭୂତଳ ଜଳ ଶୋଷିନେବା ପରେ ଉର୍ବର ମାଟି କୃଷି ଧ୍ବଂସ ହେବ ଓ ଜଳଶୂନ୍ୟ ହୋଇଯିବ ବୋଲି କମ୍ପାନୀର ପ୍ରକଳ୍ପକୁ ପରିବେଶ ମଞ୍ଜୁରୀ ନଦେବାକୁ ଓ ପ୍ରତ୍ୟାହାର କରିଦେବାକୁ ଦାବୀ କରାଯାଇଛି। ଆପତ୍ତିପତ୍ର ଦେବା ବେଳେ ଜନ ଆନ୍ଦୋଳନ ନେତା ପ୍ରଫୁଲ୍ଲ ସାମାନ୍ତରା, ବାମପନ୍ଥୀ ନେତା ଜୟନ୍ତ ଦାସ, ଜନସ୍ୱାସ୍ଥ୍ୟ ଅଭିଯାନର ରାଜ୍ୟ ଆବାହକ ଗୌରାଙ୍ଗ ମହାପାତ୍ର, ଲୋହିଆ ଏକାଡ଼େମୀର ସମ୍ପାଦକ ଦେବପ୍ରସାଦ ରାୟ ପ୍ରମୁଖ ଉପସ୍ଥିତ ରହି ଗ୍ରାମବାସୀଙ୍କ ଦାବୀକୁ ସମର୍ଥନ ଓ ସହଯୋଗ ଦିଆଯିବ ବୋଲି ପ୍ରକାଶ କରିଛନ୍ତି।
