୧,୦୯୦ ଜଣଙ୍କୁ ସାହସିକତା ଏବଂ ସେବା ପଦକ: ଓଡ଼ିଶାରୁ ୨ ଜଣଙ୍କୁ ରାଷ୍ଟ୍ରପତି ପଦକ, ୯ ଜଣଙ୍କୁ ସାହସିକତା ପଦକ

ଭୁବନେଶ୍ବର : ସ୍ୱାଧୀନତା ଦିବସ ୨୦୨୫ ଉପଲକ୍ଷେ ମୋଟ୍‌ ୧୦୯୦ ଜଣ ପୁଲିସ, ଗୃହରକ୍ଷୀ ଓ ବେସାମରିକ ପ୍ରତିରକ୍ଷା ଏବଂ ସଂସ୍କାର ସେବା କର୍ମୀଙ୍କୁ ସାହସିକତା ଓ ସେବା ପଦକ ପ୍ରଦାନ କରାଯାଇଛି।
ଦେଶର ୨୩୩ ଜଣ କର୍ମୀଙ୍କୁ ସାହସିକତା ପଦକ, ୯୯ ଜଣଙ୍କୁ ବିଶିଷ୍ଟ ସେବା ପାଇଁ ରାଷ୍ଟ୍ରପତି ପଦକ ଏବଂ ୭୫୮ ଜଣଙ୍କୁ ପ୍ରଶଂସନୀୟ ସେବା ପଦକ ପ୍ରଦାନ କରାଯାଇଛି ।
ଓଡ଼ିଶାର ମୋଟ୍‌ ୯ ଜଣଙ୍କୁ ସାହସିକତା ପଦକ ପ୍ରଦାନ କରାଯାଇଛି। ସେହିପରି ୨ ଜଣଙ୍କୁ ବିଶିଷ୍ଟ ସେବା ପାଇଁ ରାଷ୍ଟ୍ରପତି ପଦକ ଏବଂ ୧୧ ଜଣଙ୍କୁ ପ୍ରଶଂସନୀୟ ସେବା ପଦକ ମିଳିଛି । ଓଡ଼ିଶାର ୨ ଜଣ ଅଗ୍ନିଶମ କର୍ମଚାରୀଙ୍କୁ ପ୍ରଶଂସନୀୟ ସେବା ପଦକ ମିଳିଛି । ସେହିପରି ରାଜ୍ୟର ବେସାମରିକ ପ୍ରତିରକ୍ଷା ଏବଂ ଗୃହରକ୍ଷୀ ବିଭାଗର ୨ ଜଣ କର୍ମୀ ମଧ୍ୟ ପ୍ରଶଂସନୀୟ ସେବା ପଦକ ପାଇଛନ୍ତି । ସଂସ୍କାର ସେବା କ୍ଷେତ୍ରରେ ଜଣଙ୍କୁ ବିଶିଷ୍ଟ ସେବା ପାଇଁ ରାଷ୍ଟ୍ରପତି ପଦକ ଏବଂ ୨ ଜଣଙ୍କୁ ପ୍ରଶଂସନୀୟ ସେବା ପଦକ ମିଳିଛି।
ସାହସିକତା ପଦକ ପାଇଥିବା କର୍ମୀମାନେ ହେଲେ ପୁଲିସ ଏସଆଇ ଅମରେଶ ଚନ୍ଦ୍ର ନରେନ୍ଦ୍ର, କନେଷ୍ଟବଳ ଜିତେନ୍ଦ୍ର କୁମାର ନାୟକ, ଓଏପିଏଫ କର୍ମୀ ଅର୍ଜୁନ ମଲ୍ଲିକ ଓ ଯୁଦ୍ଧିଷ୍ଠିର ମଲ୍ଲିକ, ହାବିଲଦାର ଅଶ୍ୱିନୀ କୁମାର ବାଗ ଏବଂ କମାଣ୍ଡୋ ଡମ୍ବରୁଧର ଭୋଇ, ନବୀନ କୁମାର ସାହୁ, ପ୍ରଦୀପ ଶ୍ରେଷ୍ଠ ଓ ଅଭିମନ୍ୟୁ ମାଝୀ। ସେହିପରି ଓଡ଼ିଶା ପୁଲିସର ଅତିରିକ୍ତ ଅଧିକ୍ଷକ ରବୀନ୍ଦ୍ର କୁମାର ପଣ୍ଡା ଏବଂ କମାଣ୍ଡାଣ୍ଟ ନରେଶ କୁମାର ପଟେଲ ବିଶିଷ୍ଟ ସେବା ପାଇଁ ରାଷ୍ଟ୍ରପତି ପଦକ ପାଇବାକୁ ମନୋନିତ ହୋଇଛନ୍ତି ।
୧୧ ଜଣଙ୍କୁ ସ୍ୱାଧୀନତା ଦିବସ ଉପଲକ୍ଷେ ପ୍ରଶଂସନୀୟ ସେବା ପଦକ ପାଇଁ ମନୋନିତ କରାଯାଇଛି। ସେମାନେ ହେଲେ ସହାୟକ ମହାନିରୀକ୍ଷକ (ଏଆଇଜି) ମହେଶ୍ୱର ସେଠୀ, ଅତିରିକ୍ତ ଏସପି ପ୍ରଦୀପ କୁମାର ପ୍ରଧାନ, ଅତିରିକ୍ତ ଏସପି ଦେବେନ୍ଦ୍ର ନାରାୟଣ ଦାଶ, ଡିଏସପି ଆଶୀଷ କୁମାର ରାଉତ, ଇନ୍ସପେକ୍ଟର ଏ ଶ୍ରୀନିବାସ ଦୋରା, ଡିଏସପି ହେମାମାଳିନୀ ନାୟକ, କମାଣ୍ଡାଣ୍ଟ ସୂର୍ଯ୍ୟନାରାୟଣ ମଲ୍ଲିକ, ଇନ୍ସପେକ୍ଟର ସନ୍ତୋଷ କୁମାର ମିର୍ଦ୍ଧା, ଏଏସଆଇ ଅରୁଣ କୁମାର ସାମନ୍ତ, ଏଏସଆଇ ଅରବିନ୍ଦ ଦାସ ଏବଂ କନେଷ୍ଟବଳ ଚିନ୍ମୟୀ ରାଉତ।

୨୩୩ଟି ସାହସିକତା ପଦକ ପାଇଥିବା କର୍ମୀଙ୍କ ମଧ୍ୟରୁ ବାମପନ୍ଥୀ ଉଗ୍ରବାଦ ପ୍ରଭାବିତ ଅଞ୍ଚଳର ୫୪ ଜଣ, ଜମ୍ମୁ ଏବଂ କାଶ୍ମୀର ଅଞ୍ଚଳର ୧୫୨ ଜଣ, ଉତ୍ତର-ପୂର୍ବାଞ୍ଚଳର ୩ ଜଣ ଏବଂ ଅନ୍ୟାନ୍ୟ ଅଞ୍ଚଳର ୨୪ ଜଣ କର୍ମଚାରୀଙ୍କୁ ସେମାନଙ୍କ ସାହସିକ କାର୍ଯ୍ୟ ପାଇଁ ସମ୍ମାନିତ କରାଯାଇଛି।

ବିଶିଷ୍ଟ ସେବା ପାଇଁ ରାଷ୍ଟ୍ରପତି ପଦକ ପାଇଥିବା ୯୯ ଜଣ କର୍ମୀଙ୍କ ମଧ୍ୟରୁ ୮୯ ଜଣ ପୁଲିସ, ୫ ଜଣ ଅଗ୍ନିଶମ, ୩ ଜଣ ବେସାମରିକ ସେବା ଓ ଗୃହରକ୍ଷୀ ଏବଂ ୨ ଜଣ ସଂସ୍କାର ସେବା କର୍ମଚାରୀ ରହିଛନ୍ତି । ସେହିପରି ପ୍ରଶଂସନୀୟ ସେବା ପଦକ ପାଇଥିବା ୭୫୮ ଜଣଙ୍କ ମଧ୍ୟରେ ୬୩୫ ଜଣ ପୁଲିସ କର୍ମୀ, ୫୧ ଜଣ ଅଗ୍ନିଶମ କର୍ମୀ, ୪୧ ଜଣ ବେସାମରିକ ସେବା ଓ ଗୃହରକ୍ଷୀ କର୍ମୀ ଏବଂ ୩୧ ଜଣ ସଂସ୍କାର ସେବା କର୍ମୀ ଅଛନ୍ତି ।

Leave a Reply

Your email address will not be published. Required fields are marked *