ଆସନ୍ତାକାଲି ପାଳନ ହେବ ମହାତ୍ମା ଗାନ୍ଧୀଙ୍କ ଦ୍ଵିତୀୟ ଓଡ଼ିଶା ଆଗମନର ଶତବାର୍ଷିକୀ


ଭୁବନେଶ୍ୱର: ରାଷ୍ଟ୍ରପିତାଙ୍କର ଦ୍ଵିତୀୟ ଓଡ଼ିଶା ଆଗମନ ଶତବାର୍ଷିକୀ ସ୍ମୃତିରେ ଉତ୍କଳ ଗାନ୍ଧୀ ସ୍ମାରକ ନିଧି, ଗାନ୍ଧୀ ଶାନ୍ତି ପ୍ରତିଷ୍ଠାନ, ଉତ୍କଳ ସର୍ବୋଦୟ ମଣ୍ଡଳ ଓ ରାଷ୍ଟ୍ରୀୟ ଯୁବା ସଙ୍ଗଠନ ଆଦି ଗାନ୍ଧୀ ବିଚାରର ସଙ୍ଗଠନମାନଙ୍କ ପକ୍ଷରୁ ଅଗଷ୍ଟ ୧୯ ତାରିଖରେ ଗାନ୍ଧୀ ରହିଥିବା ମଧୁକୋଠୀ ଅଧୁନା ଶୈଳବାଳା ସ୍ଵୟଂଶାସିତ ମହାବିଦ୍ୟାଳୟ ପରିସରରେ ଏକ ସେମିନାର ଆୟୋଜିତ କରାହେଉଛି । ୨୦ ତାରିଖ ସକାଳ ୮ ଘଟିକା ସମୟରେ ଐତିହାସିକ ସ୍ୱରାଜ ଆଶ୍ରମ ପରିସରରେ ସର୍ଵଧର୍ମ ପ୍ରାର୍ଥନା ସଭା ଓ ଚରଖା ପ୍ରଦର୍ଶନୀ ଆୟୋଜିତ କରାହେବ ଓ ସେଠାରୁ ଏକ ଶାନ୍ତି ସଦଭାବନା ପଦଯାତ୍ରା ବାହାରି ମୁନିସିପାଲିଟି ପଡ଼ିଆ ହୋଇ ନେତାଜୀ ସୁବାଷଙ୍କ ବାସଭବନରେ ପହଞ୍ଚିବ। ସନ୍ଧ୍ୟାରେ ସ୍ୱାମୀ ବିଚିତ୍ରାନନ୍ଦ କଲ୍ୟାଣ ଆଶ୍ରମରେ ଏକ ସାଧାରଣ ସଭା ଆୟୋଜିତ ହେବ। ଏହି କାର୍ଯ୍ୟକ୍ରମଗୁଡିକରେ ବହୁସଂଖ୍ୟାରେ ଯୋଗଦାନ କରିବା ପାଇଁ ଜଷ୍ଟିସ ମନୋରଞ୍ଜନ ମହାନ୍ତି, ଡଃ ବିଶ୍ଵଜିତ୍, ମିହିର ପ୍ରତାପ ଦାସ, ବିରୂପାକ୍ଷ ତ୍ରିପାଠୀ, ଜୟନ୍ତ କୁମାର ଦାସ, ବିଜୟ ତ୍ରିପାଠୀ, ହରିହର ସେନ, ପ୍ରଦୀପ୍ତ କିଶୋର ନନ୍ଦ, ସୂର୍ଯ୍ୟ ନାରାୟଣ ନାଥ ମାନସ ପଟ୍ଟନାୟକ ପ୍ରମୁଖ ପ୍ରେସ ବିଜ୍ଞପ୍ତି ଯୋଗେ ଜଣାଇଛନ୍ତି।
ସୂଚନାଯୋଗ୍ୟ, ଉତ୍କଳ ଗୌରବ ମଧୁସୂଦନ ଦାସ ଉତ୍କଳ ଟ୍ୟାନେରୀର ପୁନରୁଦ୍ଧାର ପାଇଁ ସହାୟତା ନିମନ୍ତେ ୫ ଫେବ୍ରୁଆରୀ ୧୯୨୪ରେ ସାବରମତୀ ଆଶ୍ରମରେ ମହାତ୍ମା ଗାନ୍ଧୀଙ୍କୁ ଭେଟି କଟକ ଆସିବା ପାଇଁ ନିମନ୍ତ୍ରଣ କରିଥିଲେ । ମଧୁବାବୁଙ୍କ ନିମନ୍ତ୍ରଣ ରକ୍ଷା କରି ରାଷ୍ଟ୍ରପିତା ମହାତ୍ମା ଗାନ୍ଧୀ ୧୯୨୫ ମସିହା ଅଗଷ୍ଟ ୧୯ ଓ ୨୦ ଦୁଇଦିନିଆ ଗସ୍ତରେ ସଚିବ ମହାଦେବ ଦେଶାଇଙ୍କ ସହ କଟକ ଆସିଥିଲେ । ଗୋ-ସୁରକ୍ଷା ଆନ୍ଦୋଳନର ନେତା ସେଠ ରଙ୍ଗଲାଲ ମୋଦୀ ଓ ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ତଥା ବେଙ୍ଗଲ କେମିକାଲସର ମୁଖ୍ୟ ସତୀଶ ଚନ୍ଦ୍ର ଦାସଗୁପ୍ତ ମଧ୍ୟ ସାଥିରେ ଥିଲେ । କଟକ ଷ୍ଟେସନରେ ଭୋର ୪ ଘଟିକା ୪୬ ମିନିଟରେ ହଜାର ହଜାର ଓଡ଼ିଆଙ୍କ ଗହଣରେ ଉତ୍କଳ ଗୌରବ ମଧୁସୂଦନ, ଉତ୍କଳମଣି ଗୋପବନ୍ଧୁ ଓ ପୁଣ୍ୟାତ୍ମା ଗୋପବନ୍ଧୁ ଚୌଧୁରୀ ସ୍ୱାଗତ କରିଥିଲେ ।
ଉତ୍କଳ ଟ୍ୟାନେରୀ ବୁଲି ଦେଖିବା ସହ ଏହାର ଉନ୍ନତିକରଣ ଦିଗରେ ବିଭିନ୍ନ ଆଲୋଚନା କରିଥିଲେ । ଟ୍ୟାନେରୀ ତରଫରୁ ଜଣେ ଦଳିତ ଯୁବକ ତାଙ୍କ ଉଦ୍ଦେଶ୍ୟରେ ମାନପତ୍ର ପାଠ କରିଥିଲେ । ଏହା ନିକଟରେ ଥିବା କୃଷ୍ଠାଶ୍ରମକୁ ବୁଲି ଯାଇଥିଲେ ଓ ସେହିଦିନ ଠାରୁ ଏହି କୃଷ୍ଠାଶ୍ରମର ନାମ ଗାନ୍ଧୀପଲ୍ଲୀ ହୋଇରହିଛି । ଅପରାହ୍ନରେ କଟକ ମ୍ୟୁନିସିପାଲଟି ପଡ଼ିଆରେ ପ୍ରବଳ ବର୍ଷା ସତ୍ତ୍ୱେ ଏକ ବିଶାଳ ଜନ ସମାବେଶକୁ ଉଦବୋଧନ ଦେଇ ଖଦି ଓ ଚରଖାର ମହତ୍ତ୍ୱ ବାବଦରେ ସେ କହିଥିଲେ ।
୨୦ ତାରିଖ ସକାଳେ ଷ୍ଟୁଆର୍ଟ ବିଦ୍ୟାଳୟ ପରିସରରେ ଗୀର୍ଜାଠାରେ ଧର୍ମ ଆଲୋଚନା କରିଥିଲେ । ଏହା ପରେ ଅପରାହ୍ନରେ ସ୍ୱାମୀ ବିଚିତ୍ରାନନ୍ଦ କଲ୍ୟାଣ ଆଶ୍ରମ ପରିସରରେ ଅନାଥ ଶିଶୁ ଓ ସହରର ମହିଳାମାନଙ୍କୁ ସାକ୍ଷାତ ଆଲୋଚନା କରିଥିଲେ । ସ୍ୱରାଜ ଆଶ୍ରମ ପରିସରରେ ଖଦି ପ୍ରଦର୍ଶନୀ ବୁଲିବା ସହ ସନ୍ଧ୍ୟାରେ ନେତାଜୀ ସୁବାଷଙ୍କ ବାସଭବନରେ ତାଙ୍କ ପିତା ଜାନକୀନାଥ ବୋଷ ଓ ଅନ୍ୟ ବଙ୍ଗାଳୀ ଲୋକମାନଙ୍କୁ ଭେଟି ଦେଶବନ୍ଧୁ ଚିତ୍ତରଞ୍ଜନ ଦାସଙ୍କ ପାଣ୍ଠି ପାଇଁ ଅର୍ଥ ସଂଗ୍ରହ କରି ପୁଣି କଲିକତା ଅଭିମୁଖେ ଫେରି ଯାଇଥିଲେ ।

Leave a Reply

Your email address will not be published. Required fields are marked *