ଭୁବନେଶ୍ୱର: ସ୍ୱାୟତ୍ତ ଶାସନ ଦିବସ ଅବସରରେ ରାଜ୍ୟ ସରକାରଙ୍କ ଦ୍ୱାରା ଘୋଷଣା କରାଯାଇଥିବା ୧୬ ନୂଆ ଏନଏସି ଓ ୭ଟି ମ୍ୟୁନିସିପାଲିଟିକୁ ନେଇ ବିଜେଡିର ରାଜନୀତି ଆରମ୍ଭ ହୋଇଯାଇଛି। ବିଜେଡି ସରକାରଙ୍କ ଦ୍ୱାରା ଘୋଷିତ ହୋଇଥିବା ୫୭ଟି ଏନଏସି ମଧ୍ୟରୁ ୩୯ଟି ଅଞ୍ଚଳକୁ କାର୍ଯ୍ୟକାରୀ ନକରିବା ଦୁର୍ଭାଗ୍ୟଜନକ ବୋଲି ବିଜୁ ଜନତା ଦଳ କହିଛି । ପୌର ଅଧିନିୟମ ୧୯୫୦ ଅନୁଯାୟୀ, ପ୍ରଥମେ ଘୋଷଣାନାମା ହୋଇଥାଏ ଓ ପରେ ଏହା ଜିଲ୍ଲାପାଳଙ୍କ ଠାରୁ ରିପୋର୍ଟ ଅଣାଯାଇ ଗେଜେଟ ନୋଟିଫିକେସନ କରାଯାଏ । ବିଜେଡି ସରକାରଙ୍କ ଦ୍ୱାରା ଘୋଷଣା ହେବା ସହିତ ଜିଲ୍ଲାପାଳ ମାନଙ୍କ ପାଖକୁ ଆବଶ୍ୟକ ରିପୋର୍ଟ ପାଇଁ ପଠାଯାଇଥିଲା । କିନ୍ତୁ ରାଜ୍ୟରେ ବିଜେପି ସରକାର ଦାୟିତ୍ୱ ନେବା ପରେ ପୂର୍ବରୁ ଘୋଷିତ ହୋଇଥିବା ଅଞ୍ଚଳ ଗୁଡିକ ମଧ୍ୟରୁ କିଛି ଅଞ୍ଚଳକୁ ପୁନଃ ଘୋଷଣା କରୁଛନ୍ତି ଓ କିଛି ନୂତନ ଅଞ୍ଚଳକୁ ଏଥିରେ ସାମିଲ କରିଛନ୍ତି ।
ଶଙ୍ଖ ଭବନ ଠାରେ ଆୟୋଜିତ ସାମ୍ୱାଦିକ ସମ୍ମିଳନୀରେ, ଦଳର ବରିଷ୍ଠ ଉପସଭାପତି ଦେବୀ ପ୍ରସାଦ ମିଶ୍ର, ଉପସଭାପତି ପ୍ରତାପ ଜେନା ଓ ବିଧାୟକ ତଥା ଦଳର ମୁଖ୍ୟ ସଚେତକ ଶ୍ରୀମତୀ ପ୍ରମିଳା ମଲ୍ଲିକ ପାତର ଅନ୍ତର ନୀତି ବିରୋଧରେ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଥିଲେ ।
