ବ୍ରହ୍ମପୁର: ପୁଣି ଥରେ ଏମକେସିଜି ମେଡିକାଲରେ ରାଗିଂ ଅଭିଯୋଗ ହୋଇଛି। ଦ୍ଵିତୀୟ ବର୍ଷ ଏମବିବିଏସ୍ ଛାତ୍ରଙ୍କୁ କିଛି ସିନିୟର୍ ଛାତ୍ର ରାଗିଂ କରୁଥିବା ଅଭିଯୋଗ ହୋଇଛି। ଅଭିଯୋଗ ଅନୁସାରେ, ହଷ୍ଟେଲରେ ପଢ଼ିବାକୁ ଦିଆଯାଉନି। ଜେନେରାଲ ବଡିଂ ମିଟିଂ ନାମରେ ଡାକି ଘଣ୍ଟା ଘଣ୍ଟା ଧରି ଠିଆ କରାଉଛନ୍ତି ସିନିୟର୍। ପ୍ରତିବାଦ କରିଲେ ଆଣ୍ଠେଇ ବସିବାକୁ ବାଧ୍ୟ କରୁଛନ୍ତି।
ଅଗଷ୍ଟ ୧୮ ତାରିଖରେ ଏଭଳି ଜୁନିଅରଙ୍କୁ ଡାକି ମାନସିକ ଓ ଶାରୀରିକ ନିର୍ଯାତନା ଦେଇଥିଲେ। ତା’ପର ଦିନ ବି ସିନିୟର୍ ଡାକିଥିଲେ ଜେନେରାଲ ବଡି ମିଟିଂ ନାମରେ ରାଗିଂ କରିଥିଲେ।
ଏମ୍ବିବିଏସ୍ ୨ୟ ବର୍ଷ ଛାତ୍ରଙ୍କୁ ୧ ନଂ ହଷ୍ଟେଲରେ ନିର୍ଯାତନା ଦିଆଯାଉଥିବା ଅଭିଯୋଗ ହୋଇଛି। ନ୍ୟାସନାଲ ମେଡିକାଲ କମିଶନ (ଏନ୍ଏମ୍ସି) ଆଣ୍ଟି ରାଗିଂ ସେଲ୍ରେ ଏଭଳି ଅଭିଯୋଗ ହେବା ପରେ ଏମ୍କେସିଜି ମେଡିକାଲ କଲେଜ ଓ ହସ୍ପିଟାଲକୁ ଏହାର ତଦନ୍ତ ପାଇଁ ନିର୍ଦ୍ଦେଶ ଦିଆଯାଇଛି। ମଙ୍ଗଳବାର ଅପରାହ୍ନରେ ଡିନ୍ଙ୍କ କାର୍ଯ୍ୟାଳୟରେ ଏନେଇ ତଦନ୍ତ ହେବ ବୋଲି ରେଜିଷ୍ଟ୍ରାର୍ ସଂଗ୍ରାମ ପଣ୍ଡା କହିଛନ୍ତି । ଆଣ୍ଟି ରାଗିଂ ସେଲ୍ କମିଟି ଆଗରେ ଅଭିଯୋଗକାରୀ ଏବଂ ଯେଉଁମାନଙ୍କ ନାମରେ ଅଭିଯୋଗ ହୋଇଛି ସେମାନେ ଉପସ୍ଥିତ ହେବେ। କିଛି ଜୁନିୟର ଛାତ୍ରଙ୍କୁ ଆଣ୍ଠେଇବା ସହ ଅସଭ୍ୟ ଭାଷାରେ ଗାଳିଗୁଲଜ କରୁଛନ୍ତି। ଯାହାର ଫଟୋ ଓ ଭିଡିଓ ଅଭିଯୋଗକାରୀ ଇ-ମେଲ୍ରେ ଏନ୍ଏମ୍ସିକୁ ଦେଇଛନ୍ତି।
ଅଗଷ୍ଟ ୨୨ ତାରିଖରେ ରାଗିଂ ଅଭିଯୋଗ ପାଇବା ପରେ ଏନ୍ଏମ୍ସି ଆଣ୍ଟି ରାଗିଂ ସେଲ୍ ପକ୍ଷରୁ ଏମ୍କେସିଜି ଡିନ୍ଙ୍କୁ ଏହାର ତଦନ୍ତ ପାଇଁ ନିର୍ଦ୍ଦେଶ ହୋଇଛି।
ଏମକେସିଜିରେ ପୁଣି ଥରେ ରାଗିଂ ଅଭିଯୋଗ
