ଭୁବନେଶ୍ଵର: ସକ୍ରିୟ ଘୂର୍ଣ୍ଣିବଳୟ ପ୍ରଭାବରେ ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହୋଇଛି । ଯାହା ଫଳରେ ସାରା ରାଜ୍ୟରେ ମେଘୁଆ ପାଗ ସାଙ୍ଗକୁ ବର୍ଷା ହେଉଥିବା ଜଣାପଡ଼ିଛି । ଏହା ପ୍ରଭାବରେ ପ୍ରବଳ ବର୍ଷା ହେବା ସହ ବଜ୍ରପାତ ହେବ ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଆଗାମୀ ୨୪ ଘଣ୍ଟା ମଧ୍ୟରେ ଆହୁରି ଘନୀଭୂତ ହେବାର ସମ୍ଭାବନା ରହିଥିବାବେଳେ ଏହା ଉତ୍ତର ପଶ୍ଚିମ ଦିଗରେ ଓଡିଶା ମଧ୍ୟ ଦେଇ ଗତି କରିବ ।
ଉପକୂଳ ଜିଲ୍ଲା ଜଗତସିଂହପୁର, କେନ୍ଦ୍ରାପଡ଼ା, କଟକ, ଯାଜପୁର, ଭଦ୍ରକ, ବାଲେଶ୍ୱର, ଖୋର୍ଦ୍ଧା, ପୁରୀ ଓ ଅନ୍ୟ ସଂଲଗ୍ନ ଜିଲ୍ଲାମାନଙ୍କରେ କିଛି କିଛି ଜାଗାରେ ହାଲୁକାରୁ ମଧ୍ୟମ ବର୍ଷା ହେଉଛି । ଆଜି କୋରାପୁଟ ଓ ମାଲକାନଗିରିରେ ପ୍ରବଳରୁ ଅତି ପ୍ରବଳ ବର୍ଷାର ସମ୍ଭାବନା ଥିବାରୁ ଜାରି ହୋଇଛି ଅରେଞ୍ଜ ଆଲର୍ଟ । ସେପଟେ ବିଜୁଳି ଘଡ଼ଘଡ଼ି ସହିତ ପ୍ରବଳ ବର୍ଷା ହେବାର ସମ୍ଭାବନା ଥିବାରୁ କେନ୍ଦ୍ରାପଡ଼ା, ଜଗତସିଂହପୁର, ସୁନ୍ଦରଗଡ଼, ପୁରୀ,କଟକ, ଖୋର୍ଦ୍ଧା ଓ ନୟାଗଡ଼ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରାଯାଇଛି।
