ନୂଆଦିଲ୍ଲୀ: ଉତ୍ତର ଭାରତରେ ସେପ୍ଟେମ୍ବର ମାସରେ ମଧ୍ୟ ମୌସୁମୀର ପ୍ରକୋପ ଦିନକୁ ଦିନକୁ ବଢିବାରେ ଲାଗିଛି । ଜମ୍ମୁ-କଶ୍ମୀର, ହିମାଚଳ ପ୍ରଦେଶ, ପଞ୍ଜାବ ଏବଂ ଦିଲ୍ଲୀ-ଏନସିଆରରେ ପ୍ରବଳ ବର୍ଷା, ବନ୍ୟା ଏବଂ ଭୂସ୍ଖଳନ ଜୀବନକୁ ସମ୍ପୂର୍ଣ୍ଣ ଭାବରେ ବିପର୍ଯ୍ୟସ୍ତ କରିଦେଇଛି । ନଦୀଗୁଡିକରେ ଜଳସ୍ତର ବହୁମାତ୍ରାରେ ବୃଦ୍ଧି ପାଉଛି । ଯାହାଦ୍ୱାରା ରାସ୍ତା ବନ୍ଦ ରହିବା ସହ ଅନେକ ଅଞ୍ଚଳରେ ସ୍କୁଲ ବନ୍ଦ କରାଯାଇଛି ଏବଂ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଉଛି ।
ପାଣିପାଗ ବିଭାଗ ପକ୍ଷରୁ ଅନୁଯାୟୀ ଆଗାମୀ ୪୮ ଘଣ୍ଟା ମଧ୍ୟରେ ପ୍ରବଳ ବର୍ଷା ହେବାର ସତର୍କତା ଜାରି କରିଛି। ଫଳରେ ପରିସ୍ଥିତି ଆହୁରି ବିପଦ ସଙ୍କୁଳ ହେବାର ଆଶଙ୍କା କରାଯାଉଛି । ଦିଲ୍ଲୀରେ ଯମୁନା ନଦୀ ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି, ଯାହା ଫଳରେ ତଳିଆ ଅଞ୍ଚଳରେ ବନ୍ୟା ଆଶଙ୍କା ବୃଦ୍ଧି ପାଇଛି । ହରିୟାଣାର ହାଥିନିକୁଣ୍ଡ ବ୍ୟାରେଜରୁ ୧.୬୩ ଲକ୍ଷ କ୍ୟୁସେକରୁ ଅଧିକ ପାଣି ଛଡ଼ାଯିବାରୁ ଯମୁନାର ଜଳସ୍ତର ଦ୍ରୁତ ଗତିରେ ବୃଦ୍ଧି ପାଉଛି । ଯମୁନା ବଜାର, ବାସୁଦେବ ଘାଟ, ବୁରାରୀ ଏବଂ କଶ୍ମୀର ଗେଟ୍ ଭଳି ଅଞ୍ଚଳରେ ପାଣି ରାସ୍ତା ଏବଂ କଲୋନୀରେ ପ୍ରବେଶ କରିଛି । ଲୁହା ପୋଲକୁ ବନ୍ଦ କରିଦିଆଯାଇଛି ଏବଂ ପ୍ରଶାସନ ପକ୍ଷରୁ ୨୫-୩୦ ଡଙ୍ଗାକୁ ନିୟୋଜିତ କରାଯାଇଛି । ହସ୍ତସାଲ ଏବଂ ଜନକପୁରୀ ଭଳି ଅଞ୍ଚଳରେ ରାସ୍ତା ସମୁଦ୍ରରେ ପରିଣତ ହୋଇଛି ଏବଂ ବର୍ଷା ଯୋଗୁଁ ରାସ୍ତା ଭାଙ୍ଗିଯିବା ଯୋଗୁଁ ଜନକପୁରୀରେ ଏକ ବଡ଼ ଗାତ ସୃଷ୍ଟି ହୋଇଛି ।
ଦିଲ୍ଲୀ-ଗ୍ରେଟର ନୋଏଡା ଏକ୍ସପ୍ରେସୱେରେ ବର୍ଷା ଯୋଗୁଁ ବାରମ୍ବାର ପ୍ରବଳ ଟ୍ରାଫିକ୍ ଜାମ୍ ଦେଖିବାକୁ ମିଳୁଛି । ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତା ପରିସ୍ଥିତିର ସମୀକ୍ଷା ପାଇଁ ରିଲିଫ୍ ଶିବିର ପରିଦର୍ଶନ କରିଛନ୍ତି। ସରକାର ପ୍ରତ୍ୟେକ ପରିସ୍ଥିତିର ମୁକାବିଲା କରିବାକୁ ପ୍ରସ୍ତୁତ ଅଛନ୍ତି। ନୋଏଡା, ଗାଜିଆବାଦ, ଗୌତମ ବୁଦ୍ଧ ନଗର ଏବଂ ବୁଲନ୍ଦସହରରେ ସମସ୍ତ ସ୍କୁଲ ବନ୍ଦ କରିଦିଆଯାଇଛି ଏବଂ ଗୁରୁଗ୍ରାମରେ ଘରୁ କାମ କରିବାକୁ ପରାମର୍ଶ ଦିଆଯାଇଛି।
ବିପଦ ସଙ୍କେତ ଡେଇଁଲା ଯମୁନା ନଦୀ ଜଳସ୍ତର : ଲଗାଣ ବର୍ଷା ନେଇ ସତର୍କତା ଜାରି
