ଭୁବନେଶ୍ୱର: ଓଡ଼ିଶାରେ ଆସନ୍ତା ୮ ତାରିଖ ପର୍ଯ୍ୟନ୍ତ ବର୍ଷା ଜାରି ରହିବ। ଉତ୍ତର-ପୂର୍ବ ଆରବ ସାଗରରୁ ଉତ୍ତର-ପଶ୍ଚିମ ବଙ୍ଗୋପସାଗର ପର୍ଯ୍ୟନ୍ତ ଏକ ଟ୍ରପ୍ ଲାଇନ୍ ପ୍ରଭାବରୁ ରାଜ୍ୟରେ ବର୍ଷା ହେଉଛି। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ଶନିବାର ରାଜ୍ୟର ଅନେକ ସ୍ଥାନରେ ହାଲୁକାରୁ ମଧ୍ୟମ ବର୍ଷା ହେବାର ପୂର୍ବାନୁମାନ କରିଛି।
ଆଞ୍ଚଳିକ ପାଣିପାଗ କେନ୍ଦ୍ରର ସୂଚନା ଅନୁଯାୟୀ, ରବିବାର ଓ ୮ ସେପ୍ଟେମ୍ବରରେ କିଛି ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହିଛି। ଆଗାମୀ ଦୁଇ ଦିନ କିଛି ଅଞ୍ଚଳରେ ବର୍ଷା ଜାରି ରହିବ, କିନ୍ତୁ ଏହାର ପ୍ରଭାବ କମ୍ ହେବ। ଉପକୂଳ ଅଞ୍ଚଳରେ ପାଗ ସୁଧୁରିବ ବୋଲି ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ପକ୍ଷରୁ ସୂଚନା ଦିଆଯାଇଛି। ପୂର୍ବରୁ ଥିବା ନିମ୍ନ ଚାପରେଖା ଯୋଗୁଁ କିଛି ସ୍ଥାନରେ ହାଲୁକା ବର୍ଷା ହେବ। ଏହାର ବିଶେଷ ପ୍ରଭାବ ପଡ଼ିବ ନାହିଁ। ଶନିବାର ଦକ୍ଷିଣ ଓ ଉତ୍ତର ଓଡ଼ିଶାର କିଛି ଅଞ୍ଚଳରେ ବର୍ଷା ହେବ। ନିକଟରେ ବାଲେଶ୍ୱର, ଭଦ୍ରକ ଓ ଜଗତସିଂହପୁରରେ ପ୍ରବଳ ବର୍ଷା ଯୋଗୁଁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା। କିନ୍ତୁ ଆଗାମୀ ଦୁଇ ଦିନର ବର୍ଷା ପରିସ୍ଥିତିକୁ ଆହୁରି ଖରାପ କରିବ ନାହିଁ ବୋଲି ପୂର୍ବାନୁମାନ କରାଯାଇଛି।
ସେହିପରି ଭୁବନେଶ୍ୱରରେ ପାଗରେ କିଛି ପରିବର୍ତ୍ତନ ହୋଇଛି । ଉପକୂଳ ଅଞ୍ଚଳ ପାଇଁ ଆଇଏମଡି କୌଣସି ବର୍ଷା ଚେତାବନୀ ଜାରି କରିନାହିଁ। ଉତ୍ତର ଓଡ଼ିଶାର କିଛି ଆଭ୍ୟନ୍ତରୀଣ ଅଞ୍ଚଳରେ ହଠାତ୍ ବର୍ଷା, ବିଜୁଳି ଓ ଘଡ଼ଘଡ଼ି ହେବାର ସମ୍ଭାବନା ରହିଛି ବୋଲି ବିଭାଗ ସତର୍କ କରିଛି।
ଆସନ୍ତା ୮ ତାରିଖ ଯାଏଁ ଜାରି ରହିବ ବର୍ଷା
