ବଲାଙ୍ଗୀର:ଗନ୍ଧମାର୍ଦ୍ଦନ ପାହାଡ଼ ଅଞ୍ଚଳରେ ପ୍ରବଳ ବର୍ଷା ଯୋଗୁଁ ହରିଶଙ୍କର ମନ୍ଦିର ପାଦଦେଶର ଝରଣାରେ ବନ୍ୟାସ୍ଥିତି ସୃଷ୍ଟି ହୋଇଛି । ବଲାଙ୍ଗୀର ଜିଲ୍ଲା ଖପ୍ରାଖୋଲ ବ୍ଲକ ଅଞ୍ଚଳରେ ଥିବା ଗନ୍ଧମାର୍ଦ୍ଦନ ପାହାଡ଼ରେ ପ୍ରବଳ ବର୍ଷା ହୋଇଥିଲା। ବର୍ଷା ପ୍ରାୟ ଅଧ ଘଣ୍ଟା ପର୍ଯ୍ୟନ୍ତ ଜାରି ରହିଥିଲା । ଫଳରେ ରବିବାର ସନ୍ଧ୍ୟା ସମୟରେ ହଠାତ୍ ଝରଣାରେ ପ୍ରଖର ପାଣି ପ୍ରବାହିତ ହେବା ସହ ମନ୍ଦିର ବେଢ଼ାକୁ ବନ୍ୟା ପାଣି ଛୁଇଁ ଥିଲା ।
ଏପରିକି ଝରଣା ଉଛୁଳି ସନ୍ତରଣାଗରକୁ ପାଣି ଆସିଥିଲା । ସୂଚନାଯୋଗ୍ୟ, ୪ ବର୍ଷ ତଳେ ମଧ୍ୟ ଝରଣା ପାଣି ଉଛୁଳି ସନ୍ତରଣାଗାର ପୂର୍ଣ୍ଣ ହୋଇ ମନ୍ଦିର ପାହାଚ ଡେଇଁ ରାସ୍ତାରେ ପ୍ରବାହିତ ହୋଇଥିଲା। ପାହାଡ଼ ଉପରେ ପ୍ରବଳ ବର୍ଷା ଯୋଗୁଁ ଏଭଳି ସ୍ଥିତି ଦେଖାଦେଇଥିବା ସ୍ଥାନୀୟ ଲୋକେ ପ୍ରକାଶ କରିଛନ୍ତି। ଆସନ୍ତା ୧୩ ତାରିଖ ପର୍ଯ୍ୟନ୍ତ ଓଡ଼ିଶାର ବିଭିନ୍ନ ଜିଲ୍ଲାଗୁଡ଼ିକରେ ପ୍ରବଳରୁ ଅତି ପ୍ରବଳ ବର୍ଷା ଏବଂ ବଜ୍ରପାତ ହେବାର ସମ୍ଭାବନା ରହିଥିବା ନେଇ ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଗଞ୍ଜାମ, ଗଜପତି, ରାୟଗଡ଼ା,କୋରାପୁଟ,ମାଲକାନଗିରି, ନବରଙ୍ଗପୁର, କଳାହାଣ୍ଡି, ବଲାଙ୍ଗିରକୁ ୟେଲୋ ୱାର୍ଣ୍ଣିଂ ଦିଆଯାଇଛି ।
ପ୍ରବଳ ବର୍ଷା ଯୋଗୁଁ ହରିଶଙ୍କର ପୀଠରେ ବନ୍ୟା ପରିସ୍ଥିତି
