ଦିଲ୍ଲୀ ଗସ୍ତ ନେଇ ଏକ୍ସରେ ପ୍ରତିକ୍ରିୟା ରଖିଲେ ନବୀନ

ଭୁବନେଶ୍ବର: ୪ ଦିନିଆ ଦିଲ୍ଲୀ ଗସ୍ତରେ ଯାଇଛନ୍ତି ବିଜେଡି ସଭାପତି ନବୀନ ପଟ୍ଟନାୟକ। ଆସନ୍ତାକାଲି ଉପରାଷ୍ଟ୍ରପତି ନିର୍ବାଚନ ଥିବାବେଳେ ନବୀନଙ୍କ ଦିଲ୍ଲୀ ଗସ୍ତ ନେଇ ଚର୍ଚ୍ଚା ଜୋର ଧରିଥିଲା। ଉପ ରାଷ୍ଟ୍ରପତି ନିର୍ବାଚନ ସହ ତାଙ୍କ ଦିଲ୍ଲୀ ଗସ୍ତର କୌଣସି ସମ୍ପର୍କ ନାହିଁ। ଏହା ତାଙ୍କର ସମ୍ପୂର୍ଣ୍ଣ ବ୍ୟକ୍ତିଗତ। କୌଣସି ରାଜ୍ୟସଭା ସାଂସଦମାନଙ୍କୁ ମଧ୍ଯ ଭେଟିବାର ନାହିଁ ବୋଲି କହିଛନ୍ତି ନବୀନ ପଟ୍ଟନାୟକ। ଗତକାଲି ଏକ୍ସରେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ତାଙ୍କ ପ୍ରତିକ୍ରିୟା ରଖି କହିଛନ୍ତି, ମୁଁ କିଛିଦିନ ପାଇଁ ଦିଲ୍ଲୀ ଆସିଛି, କିଛି ସାମାଜିକ ପ୍ରତିବଦ୍ଧତା ପାଇଁ। ଏହି ମନ୍ତବ୍ୟ ଆସିବା ପରେ ନବୀନଙ୍କ ଦିଲ୍ଲୀ ଗସ୍ତ ସହ ଉପ ରାଷ୍ଟ୍ରପତି ନିର୍ବାଚନ ନେଇ ଚର୍ଚ୍ଚା ଉପରେ ପୂର୍ଣ୍ଣଚ୍ଛେଦ ପଡିଛି । ଆଉ ଗୋଟିଏ ଦିନ ପରେ ପଡ଼ିବ ଉପରାଷ୍ଟ୍ରପତି ନିର୍ବାଚନ ଭୋଟ୍ । ଏବେ ପର୍ଯ୍ୟନ୍ତ ଏହି ନିର୍ବାଚନରେ ବିଜେଡି କାହାକୁ ସମର୍ଥନ ଦେବ, ସେନେଇ କିଛି ବି ସ୍ପଷ୍ଟ ହେଇନି । ଅନ୍ୟପଟେ ନବୀନ ପଟ୍ଟନାୟକ ଦିଲ୍ଲୀ ଗସ୍ତ ପୂର୍ବରୁ ପ୍ରଥମ ବୈଠକ କରିଛନ୍ତି। ନବୀନ ନିବାସରେ ବସିଥିଲା ବିଜେଡି ରାଜନୈତିକ ବ୍ୟାପାର କମିଟିର ଗୁରୁତ୍ବପୂର୍ଣ୍ଣ ବୈଠକ। ନବୀନ ଦଳକୁ ପରିଚାଳନା କରିବା, ଦଳର ରଣନୀତିକୁ ଦିଗ ଦେବା ଓ ନୀତି ନିର୍ଦ୍ଧାରଣ କରିବା ନେଇ ଏହି ବୈଠକରୁ ବଡ଼ ବାର୍ତ୍ତା ଦେଇଛନ୍ତି । ଦଳର ଯୁବ, ଛାତ୍ର ଓ ମହିଳା ସଂଗଠନକୁ ଆହୁରି କିପରି ସୁଦୃଢ କରାଯିବ ଏବଂ ତୃଣମୂଳ ସ୍ତରରେ ଦଳକୁ ମଜବୁତ କରିବା ପାଇଁ ପିଏସି ବୈଠକରେ ବିଜେଡି ସଭାପତି ନବୀନ ପଟ୍ଟନାୟକ ନିର୍ଦ୍ଦେଶ ଦେଇଛନ୍ତି ।

Leave a Reply

Your email address will not be published. Required fields are marked *