ଭୁବନେଶ୍ୱର: ବେଆଇନ ମଦ ଏବଂ ନିଶାଦ୍ରବ୍ୟ ବିରୋଧରେ ଅଭିଯାନକୁ ଆହୁରି ତୀବ୍ର କରିବା ପାଇଁ ଅବକାରୀ ବିଭାଗ ରାଜ୍ୟବ୍ୟାପୀ ଚଢାଉ କରିଛି। ଏହି ସମୟରେ ୧.୩୧ କୋଟି ଟଙ୍କାର ସାମଗ୍ରୀ ଜବତ କରାଯାଇଛି।
ରାଜ୍ୟବ୍ୟାପୀ କରାଯାଇଥିବା ଚଢାଉରେ ୧୬୮ ଟି ମାମଲା ପଞ୍ଜିକୃତ ହୋଇଥିବାବେଳେ ୩୦ ଜଣଙ୍କୁ ଗିରଫ କରାଯାଇଥିବା ନେଇ ଏକ ସରକାରୀ ବିଜ୍ଞପ୍ତିରେ କୁହାଯାଇଛି।
ଏନଡିପିଏସ ଆଇନ ଅନୁଯାୟୀ ତିନୋଟି ମାମଲା ପଞ୍ଜିକୃତ ହୋଇଥିବା ବେଳେ ବିଏନଏସ୍ଏସ୍ ଧାରା ୩୫ର ଅନୁଯାୟୀ ୬୫ ଜଣଙ୍କୁ ମୁକ୍ତ କରାଯାଇଥିଲା। ଏନଫୋର୍ସମେଣ୍ଟ ସ୍କ୍ୱାଡ୍ ୧୧,୩୯୯ ଲିଟର ଆଇଡି ମଦ ସହିତ ୧୧୨,୩୬୦ ଲିଟର ଫର୍ମେଣ୍ଟେଡ୍ ୱାଶ୍ ଏବଂ ୮,୪୬୦ ଲିଟର ଗୁଡ଼ ୱାଶ୍ ଜବତ କରିଛି। ଏହା ସହିତ ୨୦୩ ଲିଟର ଆଉଟ୍ ଷ୍ଟିଲ୍ ମଦ, ୫୦ ଲିଟର ସି.ଏସ୍. ମଦ ଏବଂ ୪୬ ବଲ୍କ ଲିଟର ବିୟର ଜବତ କରାଯାଇଛି।
ଜବତ ହୋଇଥିବା ଚୋରା ଦ୍ରବ୍ୟ ମଧ୍ୟରେ ୨୧ କିଲୋଗ୍ରାମ ଗଞ୍ଜେଇ, ୩୮୫ ଗ୍ରାମ ହେରୋଇନ୍ (ବ୍ରାଉନ ସୁଗାର) ଅନ୍ତର୍ଭୁକ୍ତ। ସେହିପରି ଅବୈଧ ମଦ ଏବଂ ଚୋରା ଦ୍ରବ୍ୟ ପରିବହନ ପାଇଁ ବ୍ୟବହୃତ ୧୫ଟି ଯାନକୁ ମଧ୍ୟ ଜବତ କରିଛନ୍ତି।
ବେଆଇନ ମଦ ଓ ନିଶାଦ୍ରବ୍ୟ ବିରୋଧରେ ରାଜ୍ୟବ୍ୟାପୀ ଚଢାଉ
