ନୂଆଦିଲ୍ଲୀ: ଉତ୍ତରାଖଣ୍ଡ ରୁରକିରେ ସାପ ବିଷର ଅବୈଧ କାରବାର ଅଭିଯୋଗ ଆସିବା ପରେ ବନ ବିଭାଗ ଟିମ୍ ସକ୍ରିୟ ହୋଇ ଉଠିଛି। ଖଞ୍ଜରପୁର ଅଞ୍ଚଳରେ ସାପ ବିଷର ଅବୈଧ କାରବାର ଅଭିଯୋଗ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ବନ ବିଭାଗ ଟିମ୍ ଗୋଦାମରେ ଚଢାଉ କରି ୮୬ ଟି ବିଷାକ୍ତ ସାପ ଉଦ୍ଧାର କରିଛି। ଏଥିରେ କୋବ୍ରା ଏବଂ ରସେଲ ଭାଇପର ପ୍ରଜାତିର ସାପ ଅନ୍ତର୍ଭୁକ୍ତ।
ରୁରକି ସିଭିଲ୍ ଲାଇନ୍ କୋତୱାଲି ଅଞ୍ଚଳର ଖଞ୍ଜରପୁର ଗାଁରେ ଥିବା ଜଙ୍ଗଲରେ ଦୀର୍ଘ ଦିନ ଧରି ଏକ ଭେନମ ସେଣ୍ଟର ଚାଲୁଥିଲା। ଜଣେ ବ୍ୟକ୍ତି ବନ୍ୟପ୍ରାଣୀ ସୁରକ୍ଷା ଆଇନ ଅନୁଯାୟୀ ନିଷିଦ୍ଧ ସାପଗୁଡ଼ିକୁ ନିଜ ପାଖରେ ରଖୁଥିବା ନେଇ ଦିଲ୍ଲୀ ପିପୁଲ୍ସ ଫର୍ ଆନିମଲ୍ସ ଟିମ୍ କୁ ସୂଚନା ମିଳିଥିଲା। ସୂଚନା ପାଇବା ପରେ ଟିମ୍ ଦିଲ୍ଲୀରୁ ରୁରକିରେ ପହଞ୍ଚି ସ୍ଥାନୀୟ ବନ ବିଭାଗ ଟିମ୍ ସହିତ ଉକ୍ତ ସ୍ଥାନରେ ଚଢାଉ କରିଥିଲେ। ଚଢାଉ ବେଳେ ଘଟଣାସ୍ଥଳରୁ ୮୬ ଟି ବିଷାକ୍ତ ସାପ ଉଦ୍ଧାର କରିଯାଇଛି। ସେଠାରେ ୭୦ ଟି କୋବ୍ରା ଏବଂ ୧୬ ଟି ରସେଲ ଭାଇପର ସାପ ଥିଲେ । କିନ୍ତୁ ସାପଗୁଡ଼ିକର ବିଷ ଘଟଣାସ୍ଥଳରୁ ମିଳିନଥିଲା । ଏଥିସହ ସାପ ମାନଙ୍କର ରକ୍ଷଣାବେକ୍ଷଣ ଅବସ୍ଥା ଠିକ୍ ନଥିଲା। ଘଟଣାସ୍ଥଳରେ ସେଣ୍ଟର ମାଲିକଙ୍କୁ ପାଇନଥିଲେ। ଏବେ ବନ୍ୟପ୍ରାଣୀ ଆଇନ ଅନୁଯାୟୀ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।
ସାପ ବିଷର ଅବୈଧ କାରବାର : ୮୬ଟି ବିଷାକ୍ତ ସାପ ଉଦ୍ଧାର
