କଟକ: କଟକର ପୂଜା ମଣ୍ଡପ ପାଇଁ ଏନଓସି ବାଧ୍ୟତାମୂଳକ । ପ୍ରଶାସନର ପୂଜା ପ୍ରସ୍ତୁତି ବୈଠକରେ ଜିଲ୍ଲାପାଳ ଏହି ସୂଚନା ଦେଇଛନ୍ତି । କଟକରେ ମୋଟ ୧୫୭ଟି ପୂଜା ମଣ୍ଡପ ରହିଥିବା ବେଳେ କେବଳ ୧୧୭ଟି ପୂଜାମଣ୍ଡପ ଏନଓସି ପାଇଁ ଆବେଦନ କରିଛନ୍ତି । ବାକି ୪୦ଟି ମଣ୍ଡପ ଏନଓସି ପାଇଁ ଆବେଦନ କରି ନାହାନ୍ତି । ଏଥିପାଇଁ ସେମାନଙ୍କୁ ଶେଷ ସୁଯୋଗ ଦିଆଯିବ ବୋଲି କୁହାଯାଇଛି ।
ଏହା ସହ ରାବଣ ପୋଡି, ମୀନାବଜାର, ଦୋଳି ଓ ସାଂସ୍କୃତିକ କାର୍ଯ୍ୟକ୍ରମ ଆଦି ପାଇଁ କର୍ତ୍ତୃପକ୍ଷଙ୍କଠାରୁ ଅନୁମତିପତ୍ର ହାସଲ କରିବା ଆବଶ୍ୟକ । ଭସାଣୀ ଶୋଭାଯାତ୍ରାରେ ଖଣ୍ଡା, ଲାଠି ଆଦି ବ୍ୟବହାରକୁ ନିଷେଧ କରାଯାଇଛି। ଏଥିସହ ରାବଣ ପୋଡି ନିମନ୍ତେ ୫୦ ମିଟର ଲମ୍ବା ଏକ ଖାଲି ସ୍ଥାନ ଉପଲବ୍ଧ ଥିବା ଜରୁରୀ। ପୂଜା କମିଟି କର୍ମକର୍ତ୍ତା ପୂଜା ପେଣ୍ଡାଲରେ ଅଗ୍ନି ନିର୍ବାପକ ଯନ୍ତ୍ର ଲଗାଇବାକୁ ପରାମର୍ଶ ଦିଆଯାଇଛି ଓ ବିଦ୍ୟୁତ୍ ସଂଯୋଗ ସମ୍ପର୍କିତ ନିଆଯାଇଥିବା ପଦକ୍ଷେପଗୁଡିକ ଯାଂଚ କରିବାକୁ ଜିଲ୍ଲା ଅଗ୍ନିଶମ ଅଧିକାରୀ ଓ ଟିପିସିଓଡିଏଲକୁ ନିର୍ଦ୍ଦେଶ ଦିଆଯାଇଛି । ଏଥିସହ ସର୍ବସାଧାରଣ ଟ୍ରାଫିକ ଯାତାୟତରେ ଯେଭଳି କୌଣସି ବାଧା ନ ଉପୁଜେ ସେସବୁକୁ ଦୃଷ୍ଟିରେ ରଖି ତୋରଣ ନିର୍ମାଣ, ଯାନବାହନ ପାର୍କିଂ ପାଇଁ ସ୍ଥାନ, ଶୌଚାଳୟ, ସିସିଟିଭି ଲଗାଇବା, ଓଆରଏସ୍ ଉପଲବଧ କରାଇବା, ସ୍ୱେଚ୍ଛାସେବୀ ନିୟୋଜିତ କରିବା ଆଦି ଉପରେ ଜିଲ୍ଲାପାଳ ଗୁରୁତ୍ୱ ଦେଇଛନ୍ତି ।
