ବ୍ରହ୍ମପୁର: ଓଡ଼ିଶାର ମହିଳାମାନଙ୍କୁ ସଶକ୍ତ କରିବା ଦିଗରେ ‘ଦିଶା’ ଆଗେଇ ଚାଲିଛି । ଟାଟା ଷ୍ଟିଲ ଫାଉଣ୍ଡେସନ୍ (ଟିଏସ୍ଏଫ୍) ପକ୍ଷରୁ ବ୍ରହ୍ମପୁରରେ ଦିଶା ସମାବର୍ତ୍ତନ ସମାରୋହ ଅନୁଷ୍ଠିତ ହୋଇଯାଇଛି। ‘ଏନଲାଇଟେଡ୍ ଇକ୍ୱିଟେବଲ୍ ସୋସାଇଟି’ ବିଷୟବସ୍ତୁ ଉପରେ ଅଧାରିତ ଉକ୍ତ କାର୍ଯ୍ୟକ୍ରମରେ ଗଞ୍ଜାମ, କଳିଙ୍ଗନଗର ଏବଂ ସୁକିନ୍ଦା (ଯାଜପୁର), ବ୍ରାହମଣିପାଳ (କେନ୍ଦୁଝର) ଏବଂ ମେରାମଣ୍ଡଳୀ (ଢେଙ୍କାନାଳ)ର ୬୦୦ରୁ ଅଧିକ ମହିଳା ଅଂଶଗ୍ରହଣକାରୀଙ୍କୁ ପ୍ରମାଣପତ୍ର ପ୍ରଦାନ କରାଯିବା ସହ ସମ୍ମାନିତ କରାଯାଇଛି ।
ଏହି ସମାରୋହରେ ଓଡ଼ିଶା ସରକାରଙ୍କ ବାଣିଜ୍ୟ ଏବଂ ପରିବହନ ବିଭାଗ ଏବଂ ଇସ୍ପାତ ଓ ଖଣି ବିଭାଗର ମାନ୍ୟବର କ୍ୟାବିନେଟ ମନ୍ତ୍ରୀ ବିଭୂତି ଭୂଷଣ ଜେନା ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଟାଟା ଷ୍ଟିଲ ଫାଉଣ୍ଡେସନର ପ୍ରୟାସକୁ ପ୍ରଶଂସା କରି କହିଥିଲେ ଯେ, ଏହା ପୂର୍ବରୁ ୪,୯୮୧ ଜଣ ମହିଳା ଲିଡରଙ୍କୁ ସଶକ୍ତ କରାଯାଇଛି। ଯେଉଁମାନେ ପ୍ରାୟ ୧୫,୦୦୦ ଅନ୍ୟ ଲୋକଙ୍କ ସହାୟତା କରୁଛନ୍ତି। ମହିଳାମାନଙ୍କୁ ଏକଦା ଦୁର୍ବଳ ବୋଲି ଧରାଯାଉଥିଲା ଏବଂ କୌଣସି ଗୁରୁତ୍ୱପୂର୍ଣ୍ଣ ନିଷ୍ପତି ନେବାରୁ ବଂଚିତ କରାଯାଉଥିଲା। ଆଜି ସେମାନେ କ୍ଷମତା, ସ୍ଥିରତା ଏବଂ ବ୍ୟକ୍ତିତ୍ୱ ପ୍ରଦର୍ଶନ କରୁଛନ୍ତି।
ଏଠାରେ ଉଲ୍ଲେଖଯୋଗ୍ୟ ଯେ ଅନଗ୍ରସର ସମ୍ପ୍ରଦାୟର ମହିଳାମାନଙ୍କୁ ସେମାନଙ୍କ ଗ୍ରାମରେ ସକ୍ରିୟ ଲିଡର ଏବଂ ପରିବର୍ତ୍ତନ ସୃଷ୍ଟିକାରୀ ହେବାର ସୁଯୋଗ ଦେବାର ଦୃଷ୍ଟିକୋଣ ନେଇ ୨୦୨୧-୨୨ ଆର୍ଥିକ ବର୍ଷରେ ଦିଶା କାର୍ଯ୍ୟକ୍ରମ ଆରମ୍ଭ କରାଯାଇଥିଲା। ୫ ବର୍ଷରେ ୬,୦୦୦ ମହିଳାଙ୍କୁ ଲିଡରରେ ପରିଣତ କରିବାକୁ ଏହା ଲକ୍ଷ୍ୟ ରଖିଛି। ୫୬୪ ଜଣ ମହିଳାଙ୍କୁ ନେଇ ଆରମ୍ଭ ହୋଇଥିବା ଦିଶା କାର୍ଯ୍ୟକ୍ରମ ୨୦୨୪-୨୫ ଆର୍ଥିକବର୍ଷ ମଧ୍ୟରେ ତିନୋଟି ମଡ୍ୟୁଲ୍ ଅଧୀନରେ ୪୯୮୧ ଜଣ ସ୍ୱୟଂ ସହାୟକ ଗୋଷ୍ଠୀର ମହିଳାଙ୍କୁ ପ୍ରଶିକ୍ଷିତ କରିଛି।
