ଆମ ସମ୍ପର୍କରେ

କଥା ଆମ ସମୟର…

ଆମ କଥା ଆମ ଭବିଷ୍ୟତ

ଲୋକତନ୍ତ୍ରର ଚତୁର୍ଥ ସ୍ତମ୍ଭ ଭାବେ ଗଣମାଧ୍ୟମ ଆଜି ସମ୍ପୂର୍ଣ୍ଣ ଭାବରେ ପୁଞ୍ଜିପତି ଓ ରାଜନୈତିକ ଶକ୍ତିଙ୍କ ନିୟନ୍ତ୍ରଣର ଜାଲରେ ଆବଦ୍ଧ, ଯାହା ଏହାର ସ୍ୱାଧୀନତା ଓ ନିରପେକ୍ଷତାକୁ ଗଭୀର ଭାବେ ଆଘାତ ପହଞ୍ଚାଇଛି। ବୃହତ ବ୍ୟବସାୟୀ ଗୋଷ୍ଠୀଙ୍କ ଦ୍ୱାରା ଗଣମାଧ୍ୟମ ସଂସ୍ଥାଗୁଡ଼ିକର ଅଧିଗ୍ରହଣ, ବିଜ୍ଞାପନ ଆୟ ଉପରେ ଅତି ମାତ୍ରାରେ ନିର୍ଭରଶୀଳତା ଏବଂ ରାଜନୈତିକ ହସ୍ତକ୍ଷେପ ସମ୍ବାଦ ପ୍ରକାଶନକୁ ଅବକ୍ଷୟମୁଖୀ କରିଛି। ଏହି ପରିବେଶରେ ମୌଳିକ ଓ ଜନମଙ୍ଗଳକାରୀ ବିଷୟଗୁଡ଼ିକ ଅବହେଳିତ ହୋଇ କର୍ପୋରେଟ୍ ଏଜେଣ୍ଡା ଓ ମୁନାଫାକୁ ଅଗ୍ରାଧିକାର ଦିଆଯାଉଛି। ଯେତେବେଳେ ୨୦୨୦ ମସିହାରେ କୋଭିଡ ମହାମାରୀର ଅନିଶ୍ଚିତତା ଓ ଅସ୍ତବ୍ୟସ୍ତ ସମୟରେ ଗଣମାଧ୍ୟମର ସ୍ୱର କ୍ଷୀଣ ହୋଇପଡ଼ିଥିଲା, ଠିକ୍ ସେହି ମୁହୂର୍ତ୍ତରେ ସମଭାବାପନ୍ନ ବନ୍ଧୁମାନଙ୍କୁ ନେଇ ମୁକ୍ତ ଚିନ୍ତନ, ପ୍ରଗତିଶୀଳ ବିଚାର, ଅଭିବ୍ୟକ୍ତିର ସ୍ୱାଧୀନତା ଚେତା ବ୍ୟକ୍ତିବିଶେଷଙ୍କର ମଞ୍ଚ ଭାବେ “ଆମ କଥା ଆମ ଭବିଷ୍ୟତ” ଏକ ଆଲୋକବର୍ତ୍ତିକା ଭାବେ ଆରମ୍ଭ ହୋଇଥିଲା। ଫେସବୁକ ଲାଇଭ୍ ମାଧ୍ୟମରେ ଆରମ୍ଭ ହୋଇଥିବା ଏହି ମଞ୍ଚ ଶିକ୍ଷା, ସ୍ୱାସ୍ଥ୍ୟ, ରୋଜଗାର ଏବଂ ଜନସାଧାରଣର ମୌଳିକ ସମସ୍ୟାକୁ ଆଲୋଚନାର କେନ୍ଦ୍ରବିନ୍ଦୁ କରିବା ସହ, ଜାତିର ଜନକ ମହାତ୍ମା ଗାନ୍ଧୀଙ୍କ ଅହିଂସା, ସତ୍ୟ, ସ୍ୱାବଲମ୍ବନ ଓ ସମାଜ ସେବାର ଆଦର୍ଶକୁ ପ୍ରୋତ୍ସାହିତ କରିଛି।

ଏହି ପରିପ୍ରେକ୍ଷୀରେ କୋଭିଡ ମହାମାରୀର କାଳ ସ୍ପର୍ଶରେ ଜନ୍ମ ନେଇଥିବା “ଆମ କଥା ଆମ ଭବିଷ୍ୟତ” ଏକ ଲୋକପକ୍ଷର ମଞ୍ଚ, ଯାହା ଗାନ୍ଧୀଜୀଙ୍କ ସାମ୍ବାଦିକତା ଦୃଷ୍ଟିକୋଣର ଏକ ଜୀବନ୍ତ ଓ ପ୍ରେରଣାଦାୟକ ଉଦାହରଣ। ମହାତ୍ମା ଗାନ୍ଧୀ ସାମ୍ବାଦିକତାକୁ କେବଳ ଖବର ପ୍ରସାରଣର ମାଧ୍ୟମ ଭାବରେ ନୁହେଁ, ବରଂ ଏହାକୁ ଜନମଙ୍ଗଳ, ସତ୍ୟ ପ୍ରତି ନିଷ୍ଠା ଓ ନୈତିକ ଜାଗରଣର ଉପକରଣ ଭାବେ ଦେଖୁଥିଲେ। ସେ ତାଙ୍କର ପତ୍ରିକା ‘ଇଣ୍ଡିଆନ ଓପିନିଅନ’, ‘ହରିଜନ’ ଓ ‘ୟଙ୍ଗ ଇଣ୍ଡିଆ’ ମାଧ୍ୟମରେ ଶେଷ ଧାଡିରେ ଥିବା ମଣିଷଙ୍କ ଦୁଃଖ, ଅନ୍ୟାୟ ଓ ଦାୟିତ୍ୱବୋଧକୁ ସାମ୍ବାଦିକତା ଭାଷାରେ ସ୍ପଷ୍ଟ ଭାବରେ ଉପସ୍ଥାପନ କରିଥିଲେ। “ଆମ କଥା ଆମ ଭବିଷ୍ୟତ” ମହାତ୍ମା ଗାନ୍ଧୀଙ୍କ ଅହିଂସା, ସତ୍ୟ, ସ୍ୱାବଲମ୍ବନ ଓ ସମାଜସେବା ଆଦର୍ଶକୁ ଆଧାର କରି, ସାମ୍ପ୍ରତିକ ଗୁରୁତ୍ୱପୂର୍ଣ୍ଣ ସମସ୍ୟା — ଯାହାକୁ ମୁଖ୍ୟଧାରାର ଗଣମାଧ୍ୟମ ଅଣଦେଖା କରେ—ତାହାକୁ ଉଜାଗର କରିଥିଲା। ଏହି ମଞ୍ଚ ଦ୍ୱାରା ଲୁକାୟିତ ଓ ଅଣଦେଖା ପ୍ରସଙ୍ଗଗୁଡ଼ିକୁ ଉନ୍ମୋଚିତ କରାଯାଇଛି—ଯେପରି, କୃଷକ, ଶ୍ରମିକଙ୍କ ଦୁର୍ଦ୍ଦଶା, ସ୍ୱାସ୍ଥ୍ୟ ସେବାର ଭିତ୍ତିଭୂମି, ଶିକ୍ଷା, ରୋଜଗାର, ଶିଶୁ ଶ୍ରମ ଓ ପରିବେଶ ସଙ୍କଟ। ଫେସବୁକ ଲାଇଭରେ ୫୦୦ରୁ ଅଧିକ ଏପିସୋଡ଼ ମାଧ୍ୟମରେ, “ଆମ କଥା ଆମ ଭବିଷ୍ୟତ” ସମାଜ ପରିବର୍ତ୍ତନରେ ନିୟୋଜିତ ବ୍ୟକ୍ତିବିଶେଷ, ସାମାଜିକ କର୍ମୀ ଓ ଚିନ୍ତକମାନଙ୍କୁ ଏକ ମଞ୍ଚ ପ୍ରଦାନ କରିଛି, ଯେଉଁଠାରେ ସେମାନେ ନିଜର ମତ ଓ ଅଭିଜ୍ଞତା ବାଣ୍ଟିଛନ୍ତି। ଏହି ଆଲୋଚନା ଓଡ଼ିଶା ତଥା ଭାରତର ଜନଗଣଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ସହ, ସମାଧାନମୂଳକ ପଦକ୍ଷେପକୁ ପ୍ରେରଣା ଦେଇଛି।

ଆଜି ଦେଶର ସମ୍ପୂର୍ଣ୍ଣ ଗଣମାଧ୍ୟମ ଲୋକଙ୍କ ସବୁଠାରୁ ବଡ଼ ଶତ୍ରୁ ଭାବେ ଉଭା ହୋଇଛି। ଠିକ୍ ସେହି ସମୟରେ ଲୋକ ପକ୍ଷର ସ୍ୱର ହେବାର ସମୟ ଉପନ୍ନିତ। ଗଣମାଧ୍ୟମର ଅର୍ଥ ହେଉଛି—ଲୋକଙ୍କ ସ୍ୱର। ଏହାର କାମ ହେଉଛି ସତ୍ୟକୁ କହିବା, ଅନ୍ୟାୟକୁ ପ୍ରଶ୍ନ କରିବା ଓ ଜନସାଧାରଣଙ୍କ ଅଧିକାର ଓ ଆଶା-ଅଭିଲାଷାକୁ ସାମ୍ନାକୁ ଆଣିବା। ଦୁଃଖର ବିଷୟ ହେଉଛି—ଆଜି ଦେଶର ଗଣମାଧ୍ୟମଗୁଡ଼ିକ ଏହି ଦାୟିତ୍ୱକୁ ଛାଡ଼ି ଶାସନ ଓ ପୂଞ୍ଜିଶକ୍ତିର ଗୋଲାମ ହୋଇଯାଇଛନ୍ତି। ଏହା ଫଳରେ ଜଣସାଧାରଣଙ୍କର ସ୍ୱର ଚୁପ୍‌ ହୋଇଯାଇଛି। ଶ୍ରମିକ, ଚାଷୀ, ଦଳିତ, ଆଦିବାସୀ, ଯୁବ-ଛାତ୍ର, ମହିଳା, ଅନ୍ୟାୟର ଶିକାର ହୋଇଥିବା ଲୋକମାନେ ଆଜି ମୁଖ୍ୟସ୍ରୋତର ଗଣମାଧ୍ୟମରେ ଅଦୃଶ୍ୟ। ତାଙ୍କର କଥା ଦେଖାଯାଏ ନାହିଁ, ଶୁଣାଯାଏ ନାହିଁ। ତାଙ୍କ ପ୍ରତି ସହାନୁଭୂତି ନୁହେଁ, ବରଂ ଉପେକ୍ଷା କରାଯାଏ। ଏହି ସ୍ଥିତି ଲୋକତନ୍ତ୍ର ପାଇଁ ବଡ଼ ସଙ୍କଟ। ଏହି ଦୁର୍ଦ୍ଦିନରେ ଆବଶ୍ୟକ ହେଉଛି ଲୋକପକ୍ଷର ଏକ ସ୍ୱତନ୍ତ୍ର ଓ ନିରପେକ୍ଷ ସ୍ୱର—ଏମିତି ଏକ ମାଧ୍ୟମ, ଯେଉଁଠି ଅଦୃଶ୍ୟ ମୁହଁଗୁଡିକୁ ଦେଖାଯିବ, ଲୁକାୟିତ କଥାଗୁଡ଼ିକୁ ଶୁଣାଯିବ। ଏହି ମୁହୂର୍ତ୍ତର ଆବଶ୍ୟକତା ହେଉଛି—ଲୋକ ପକ୍ଷର ସ୍ୱର। ଏକ ସ୍ୱର ଯାହା ଅନ୍ୟାୟକୁ ଚିହ୍ନିବ, ଗରିବ ଓ ଉପେକ୍ଷିତଙ୍କ ଦୁଃଖକୁ କହିବ ଓ ନୂଆ ଆଶା ଦେଖାଇବ। ସେତେବେଳେ ଆମ କଥା ଆମ ଭବିଷ୍ୟତ ଏକ ସାଧାରଣ ମଞ୍ଚ ଥିଲା, ଏବେ ଏହା ଏକ ପୂର୍ଣ୍ଣାଙ୍ଗ ଡିଜିଟାଲ ସଂସ୍କରଣର ରୂପ ନେଇଛି। ଯାହା ଦେଶ ତଥା ରାଜ୍ୟର ଜନସାଧାରଣଙ୍କ ସମସ୍ୟା ଉପରେ ଗଭୀର ବିମର୍ଶ କରିବା ମାଧ୍ୟମରେ ଉଦ୍ୟମ କରିବ। “ଆମ କଥା ଆମ ଭବିଷ୍ୟତ” ଶେଷ ଧାଡ଼ିରେ ଥିବା ମଣିଷର ସ୍ୱର ହୋଇ, ସରକାରଙ୍କୁ ବିଭିନ୍ନ ପ୍ରସଙ୍ଗରେ ପ୍ରଶ୍ନ ପଚାରିବା ସହ, ଜନତାଙ୍କ ସମସ୍ୟାର ସମାଧାନ ବାହାର କରିବ।

ଏହି ଡିଜିଟାଲ ସଂସ୍କରଣର ସଫଳ ରୂପାୟନ ପାଇଁ ଆସନ୍ତୁ, ଏକାଠି ମିଶି ଆମେ ଗାନ୍ଧୀଜୀଙ୍କ ସତ୍ୟନିଷ୍ଠ, ସମାଧାନମୁଖୀ ଓ ସମାଜ ପରିବର୍ତ୍ତନକାରୀ ଓ ଭବିଷ୍ୟତ ଗଢ଼ିବା ଆଦର୍ଶରେ ଅନୁପ୍ରାଣିତ ହୋଇ ଏକ ସମୃଦ୍ଧ, ସମାବେଶୀ ଓ ସଶକ୍ତ ଭବିଷ୍ୟତ ଗଢ଼ିବା, ଯେଉଁଠାରେ “ଆମ କଥା ଆମ ଭବିଷ୍ୟତ” ଆମର ଶକ୍ତି, ପରିଚୟ ଓ ଗର୍ବର ପ୍ରତୀକ ହେବା ସହ ଗଣମାଧ୍ୟମକୁ ଗଣ ରୂପକ ଇଞ୍ଜିନ ସହ ଯୋଡିବ ଓ “ଆମ କଥା ଆମ ଭବିଷ୍ୟତ” ଏହାର ସିପାହୀ ସାଜିବ। ଜୟ ଭାରତ ! ଜୟ ଜଗତ୍ !

ମାନସ ପଟ୍ଟନାୟକ
ସମ୍ପାଦକ