ଅତାବିରା: ବରଗଡ଼ ପ୍ରାଥମିକ କୃଷି ସମବାୟ ସମିତି ଲିମିଟେଡ୍ (ପ୍ୟାକ୍ସ)ର ପୂର୍ବତନ ସହକାରୀ ସମ୍ପାଦକ ସନ୍ତୋଷ କୁମାର ପଣ୍ଡା ତାଙ୍କ ଉପରେ ହୋଇଥିବା ଅନ୍ୟାୟ ଓ ସମିତିରେ ହୋଇଥିବା ଦୁର୍ନୀତି ପ୍ରତିବାଦରେ ଧର୍ମପତ୍ନୀ ତରଙ୍ଗିଣୀ ପଣ୍ଡାଙ୍କ ସହ ବୁଧବାର ପୂର୍ବାହ୍ନ ୧୧ଟାରୁ ଧାରଣାରେ ବସିଛନ୍ତି।ପ୍ରାପ୍ତ ସୂଚନା ଅନୁସାରେ, ସନ୍ତୋଷ ପଣ୍ଡା ୧୯୬୯ ଜୁନ୍ ୧୬ରୁ ୨୦୧୧ ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ୪୨ ବର୍ଷ ଧରି ସହକାରୀ ସମ୍ପାଦକ ଭାବେ କାର୍ଯ୍ୟ କରିଥିଲେ। ସେ ଅଭିଯୋଗ କରିଛନ୍ତି ଯେ, ୧୯୭୪ ରୁ ଆଜି ପର୍ଯ୍ୟନ୍ତ ବିଭିନ୍ନ ସମୟରେ ସମିତି ତାଙ୍କ ସହ ଅନ୍ୟାୟ କରି, ବେଆଇନ ଭାବେ ପାରିବାରିକ, ସାମାଜିକ ଓ ଆର୍ଥିକ ଚାପ ସୃଷ୍ଟି କରି ନିର୍ଯାତନା ଦେଇଆସିଛି।ଏହା ସମ୍ପର୍କରେ ଶ୍ରମ ଅଦାଲତ ଓ ପରେ ଓଡ଼ିଶା ଉଚ୍ଚ ନ୍ୟାୟାଳୟରେ ମୋକଦ୍ଦମା ହୋଇଥିଲା (ମୋକଦ୍ଦମା ନଂ–୧୦୬୬/୧୯୭୭), ଯାହାରେ ୧୫/୯/୧୯୮୧ ରେ ରାୟ ଦେଇ ୨୦/୫/୧୯୮୨ ରେ ପଣ୍ଡାଙ୍କୁ ପୁନଃ ଲରମ୍ଭା ପ୍ୟାକ୍ସରେ ନିଯୁକ୍ତି ଓ ବକେୟା ଦରମା ପ୍ରଦାନ କରିବା ନିର୍ଦ୍ଦେଶ ଦିଆଯାଇଥିଲା। କିନ୍ତୁ ସେହି ରାୟ ପରେମଧ୍ୟ ସମିତି ପକ୍ଷରୁ ବକେୟା ଦରମା ଏବଂ ନୂତନ ବେତନ ସ୍କେଲ ଅନୁସାରେ ପରିଶୋଧନ ହୋଇନାହିଁ ବୋଲି ସେ ଅଭିଯୋଗ କରିଛନ୍ତି।ଏହା ପାଇଁ ସେ ଗତ ସେପ୍ଟେମ୍ବର ୧ରେ ଲରମ୍ଭା ପ୍ୟାକ୍ସ ସଭାପତିଙ୍କୁ ସହିତ ଭୁବନେଶ୍ୱର ସମବାୟ ସମିତି ନିବନ୍ଧକ, କମିଶନର, ଅଡିଟର ଜେନେରାଲ ଅଫ୍ କୋଅପରେଟିଭ୍ ସୋସାଇଟି ଓଡ଼ିଶା ଇତ୍ୟାଦି ଅଧିକାରୀଙ୍କୁ ୭ ଦଫା ଦାବି ସମ୍ବଳିତ ଏକ ସ୍ମାରକପତ୍ର ଦେଇଥିଲେ। କିନ୍ତୁ କୌଣସି ପଦକ୍ଷେପ ନ ହେବାରୁ ସେ ପୁନଃ ସେପ୍ଟେମ୍ବର ୩୦ରେ ଏକ ଅନ୍ୟ ପତ୍ର ମାଧ୍ୟମରେ ସମସ୍ତ ଅଧିକାରୀ ଓ ମାଧ୍ୟମ ପ୍ରତିନିଧିଙ୍କୁ ଜଣାଇ ୨୨ ଅକ୍ଟୋବରରୁ ଧାରଣା ଆରମ୍ଭ କରିବେ ବୋଲି ସୂଚନା ଦେଇଥିଲେ।ଏହି ଅଭିଯୋଗ ଉପରେ ଉତ୍ତରାଞ୍ଚଳ ରାଜସ୍ବ କମିଶନର, ସମ୍ବଲପୁର ଡିଭିଜନ ପତ୍ର ସଂଖ୍ୟା ୧୧୬୮୯/୯.୧୦.୨୫ ଅନୁସାରେ ବରଗଡ଼ ଜିଲାପାଳଙ୍କୁ ବିଧିବଦ୍ଧ ତଦନ୍ତ କରିବାକୁ ନିର୍ଦ୍ଦେଶ ଜାରି କରିଛନ୍ତି।ଇତିମଧ୍ୟରେ, ଲରମ୍ଭା ପ୍ୟାକ୍ସ ସଦସ୍ୟମାନେ ଏକ ବୈଠକ ଆହ୍ୱାନ କରି ଏହି ବିଷୟରେ ଆଲୋଚନା କରିଥିବା ସୂଚନା ମିଳିଛି।
ପ୍ୟାକ୍ସରେ ଅନ୍ୟାୟ ଓ ଦୁର୍ନୀତି ଅଭିଯୋଗ: ନ୍ୟାୟ ଦାବିରେ ଧାରଣାରେ ବସିଲେ ଦମ୍ପତି
Oplus_131072
