ଦିଲ୍ଲୀରେ ଉତ୍କଳିନୀର ବାର୍ଷିକ ପର୍ବ ପାଳନ

ନୂଆଦିଲ୍ଲୀ : ୧୯୮୦ ମସିହାରେ ଜାତୀୟ ରାଜଧାନୀ କ୍ଷେତ୍ରରେ ପ୍ରତିଷ୍ଠିତ ଓଡ଼ିଆ ନାରୀମାନଙ୍କର ଅଗ୍ରଣୀ ଅନୁଷ୍ଠାନ ଉତ୍କଳିନୀର ୪୫ ତମ ବାର୍ଷିକ ସାଂସ୍କୃତିକ ପର୍ବ ଏଠାରେ ମହା ସମାରୋହରେ ଅନୁଷ୍ଠିତ ହୋଇଯାଇଛି I ଏହି ଅବସରରେ ମୁଖ୍ୟ ଅତିଥି ଭାବେ ପ୍ରଖ୍ୟାତ କଥକ ନୃତ୍ୟଶିଳ୍ପୀ ଶୋଭନା ନାରାୟଣ ଓ ସମ୍ମାନନୀୟ ଅତିଥି ଭାବେ ମହାତ୍ମା ଗାନ୍ଧୀ ଜାତୀୟ ସଂଗ୍ରହାଳୟର ପୂର୍ବତନ ଅଧ୍ୟକ୍ଷା ଓ ଜାତୀୟ ପୁସ୍ତକ ଟ୍ରଷ୍ଟର ପ୍ରାକ୍ତନ ମୁଖ୍ୟ ତଥା ବିଶିଷ୍ଟ ଲେଖିକା ଓ କଳା ସମାଲୋଚକ ବର୍ଷା ଦାସ ଯୋଗ ଦେଇଥିଲେ I ସଭାକୁ ସମ୍ବୋଧନ କରି ଶୋଭନା ନାରାୟଣ , ସେ କିପରି ଓଡ଼ିଶାର କଟକ ସହରରେ ୧୯୬୦ ଦଶକରେ ରହି ଓଡ଼ିଶାର ସମୃଦ୍ଧ ସଂସ୍କୃତିର ଝଲକ ପାଇଥିଲେ ଏବଂ ସେହି ଦିନ ଉତ୍କଳିନୀର କାର୍ଯ୍ୟକ୍ରମରେ ପରିବେଷଣ କରାଯାଇଥିବା କଳାହାଣ୍ଡିର ଘୁମୁରା ନୃତ୍ୟ ଦେଖିଥିଲେ ବୋଲି କହିଥିଲେ I ଚଣ୍ଡାଶୋକକୁ ଧର୍ମାଶୋକରେ ପରିବର୍ତ୍ତନ କରିଥିବା ଓଡ଼ିଶାର ସଂସ୍କୃତିର ମହାନତା ଯୁଗଯୁଗ ଧରି ଇତିହାସରେ ଲିପିବଦ୍ଧ ହୋଇ ରହିଥିବା, ଶ୍ରୀମତୀ ନାରାୟଣ ଉଲ୍ଲେଖ କରିଥିଲେ I ବର୍ଷା ଦାସଙ୍କର ଓଡ଼ିଆ ଅଭିଭାଷଣରେ ସଭାକକ୍ଷ କରତାଳିର ଗୁଞ୍ଜରଣରେ ଭରି ଉଠିଥିଲା। ପ୍ରସିଦ୍ଧ ଚିତ୍ରକାର ଯତୀନ ଦାସଙ୍କୁ ବାହା ହେବା ପରେ ସେ, ତାଙ୍କର ପୁଅ ସିଦ୍ଧାର୍ଥ ଓ ଝିଅ ପ୍ରସିଦ୍ଧ ହିନ୍ଦୀ ଚଳଚ୍ଚିତ୍ରର ଅଭିନେତ୍ରୀ, ନନ୍ଦିତା ଦାସ ଅନର୍ଗଳ ଓଡ଼ିଆ କହିପାରନ୍ତି ବୋଲି କହିଥିଲେ I ସେ ଓଡ଼ିଆ ପଢି ପାରନ୍ତି ଓ ପ୍ରସିଦ୍ଧ ଓଡ଼ିଆ ଲେଖକ ଓ କବି ସୀତାକାନ୍ତ ମହାପାତ୍ରଙ୍କ ଓଡ଼ିଆ ଲେଖାକୁ ତାଙ୍କର ମାତୃଭାଷା ଗୁଜରାଟୀକୁ ଅନୁବାଦ କରିଛନ୍ତି ବୋଲି ଶ୍ରୀମତୀ ଦାସ ଦର୍ଶାଇଥିଲେ I ଓଡ଼ିଶା ପ୍ରତି କୃତଜ୍ଞତା ପ୍ରକାଶ କରି, ଓଡ଼ିଶା ତାଙ୍କୁ ବହୁତ କିଛି ଦେଇଛି ଓ ସେ ଏଠାରୁ ବହୁତ କିଛି ଶିଖିଛନ୍ତି ବୋଲି ପ୍ରକାଶ କରିଥିଲେ I

ଏହି ବାର୍ଷିକ ସାଂସ୍କୃତିକ ପର୍ବରେ ଉତ୍କଳିନୀର ସଦସ୍ୟା ମାନେ ନାରୀ ଶକ୍ତି ବିଷୟବସ୍ତୁ ଉପରେ ଆଧାରିତ ଓଡ଼ିଶାର ହସ୍ତଶିଳ୍ପ ଓ ତାର ସୌନ୍ଦର୍ଯ୍ୟକୁ ମଞ୍ଚ ଉପରେ ପ୍ରଦର୍ଶନ କରି ଉପସ୍ଥିତ ଦର୍ଶକ ମାନଙ୍କୁ ମନ୍ତ୍ରମୁଗ୍ଧ କରିଦେଇଥିଲେ ।କବି ସମ୍ରାଟ ଉପେନ୍ଦ୍ର ଭଞ୍ଜଙ୍କର ବୈଦେହୀଶ ବିଳାଶରେ ବର୍ଣ୍ଣିତ କୈବର୍ତ୍ୟର ଭଗବାନ ରାମଚନ୍ଦ୍ରଙ୍କ ପାଦ ଧୋଇବା ପ୍ରସଙ୍ଗ ଉପରେ ଆଧାରିତ ଓଡ଼ିଶୀ ନୃତ୍ୟ ଦର୍ଶକ ମାନଙ୍କୁ ଅଭିଭୂତ କରିଦେଇଥିଲା l ଶେଷରେ ଓଡ଼ିଆ ନାଟକ ‘ବ୍ରେନ ଗାଆଁ ଡଟ କମ’ ମଞ୍ଚସ୍ଥ କରାଯାଇଥିଲା I

ଏହି ଉତ୍ସବରେ ଉତ୍କଳିନୀର ଅଧ୍ୟକ୍ଷା ସବିତା ସାହୁ ବାର୍ଷିକ ବିବରଣୀ ପାଠ କରିଥିଲେ I ଅନ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ବୃନ୍ଦ ଯଥା ମଧୁମିତା ସାହୁ, ଶୁଭ୍ରଲୀନା ମହାନ୍ତି, ସ୍ନିଗ୍ଧା ଦାସ, ବନ୍ଦନା ମହାନ୍ତି ଏବଂ ଦୀପିକା ମିଶ୍ର ପ୍ରମୁଖ ସମଗ୍ର କାର୍ଯ୍ୟକ୍ରମକୁ ସଫଳତାର ସହିତ ପରିଚାଳନା କରିଥିଲେ I

Leave a Reply

Your email address will not be published. Required fields are marked *