ଗତକାଲି ଅର୍ଥାତ୍ ଜୁଲାଇ ୨୨ ତାରିଖ ଥିଲା ଓଡ଼ିଶାର ମାଟିରେ ନାରୀ ନେତୃତ୍ୱ ତଥା ନାରୀ ସଶକ୍ତିକରଣର ମୂର୍ତ୍ତିମନ୍ତ ପ୍ରତୀକ ମା’ ରମାଦେବୀଙ୍କର ୪୦ତମ ଶ୍ରାଦ୍ଧ ଦିବସ, ଯିଏ ତ୍ୟାଗ, ଦୃଢତା, ସେବା ଓ ଶକ୍ତିର ମୂର୍ତ୍ତିମନ୍ତ ପ୍ରତୀକ। କିନ୍ତୁ ବ୍ୟକ୍ତିଗତ କାରଣ ଓ ସମୟ ଅଭାବରୁ ତାଙ୍କ ଶ୍ରାଦ୍ଧ ଦିବସ ପାଇଁ “ମହିଳା ସୁରକ୍ଷିତ ତ ?” ଲେଖାକୁ ସମ୍ପୂର୍ଣ୍ଣ କରିପାରିନଥିଲି। କିନ୍ତୁ ଆଜି ଏହି ଲେଖା ସମଗ୍ର ମହିଳା ସମାଜ ପାଇଁ ଚିର ନମସ୍ୟ ମା’ ରମାଦେବୀଙ୍କୁ ଉତ୍ସର୍ଗ କରୁଛି। ତାଙ୍କ ଶ୍ରାଦ୍ଧ ଦିବସ ଦେଖିଲେ ଆମକୁ ଏକ ନୂଆ ପ୍ରଶ୍ନ ମୋ ମନକୁ ବାରମ୍ବାର ଆନ୍ଦୋଳିତ କରୁଛି – ଆମ ଦେଶର ନାରୀମାନେ ସେମାନଙ୍କ ଶ୍ରେଷ୍ଠତାକୁ ପ୍ରମାଣିତ କରିପାରୁଛନ୍ତି କି ? କିମ୍ବା ଆଜି ତାଙ୍କ ନିଜ ଜୀବନ ଏବଂ ନ୍ୟାୟ ପାଇଁ ଅନ୍ୟ ଉପରେ ନିର୍ଭର କରିନାହାଁନ୍ତି ତ ? ଜାତିର ଜନକ ମହାତ୍ମା ଗାନ୍ଧୀ କହିଥିଲେ, ସ୍ବାଧୀନତା ସେତେବେଳେ ମିଳିଲା ବୋଲି କୁହାଯିବ ଯେତେବେଳେ ମଧ୍ୟରାତ୍ରରେ ଝିଅଟିଏ ଏକାକି ନିର୍ଭୟରେ ରାସ୍ତାରେ ଯାତାୟାତ କରିପାରିବ। ଅନ୍ୟପକ୍ଷରେ ଆଧ୍ୟାତ୍ମିକ ସନ୍ଥ ସ୍ୱାମୀ ବିବେକାନନ୍ଦ କହିଥିଲେ, ମୋତେ ପାଞ୍ଚଟି ଶକ୍ତିଶାଳୀ ମହିଳା ଦିଅ, ମୁଁ ଦେଶକୁ ପରିବର୍ତ୍ତନ କରିଦେବି। କିନ୍ତୁ ତାହା ଏବେ କେବଳ ମହାତ୍ମାଗାନ୍ଧୀ ଓ ବିବେକାନନ୍ଦଙ୍କ ଯୁକ୍ତି ହୋଇ ରହିଯାଇଛି। ସ୍ଵାଧୀନତା ସଂଗ୍ରାମରେ ଓଡ଼ିଶାର ଇତିହାସକୁ ତନଖି ଦେଖିଲେ ନାରୀମାନଙ୍କର ସ୍ଥାନ ଶୀର୍ଷରେ ରହିଥିଲା। କିନ୍ତୁ ସ୍ଵାଧୀନତା ପାଇବା ପରେ ବିଭିନ୍ନ ସରକାର ସମୟରେ ଓଡ଼ିଶା ମହିଳା ସୁରକ୍ଷା କ୍ଷେତ୍ରରେ ଓଲଟା ପରିସ୍ଥିତି ଦେଇ ଗତି କରୁଛି। ବ୍ୟବସ୍ଥାଗତ ବିଫଳତା ଯୋଗୁଁ ଅପରାଧୀ ପ୍ରୋତ୍ସାହିତ ହେଉଥିବା ବେଳେ ସେମାନଙ୍କୁ ଶାସକୀୟ ପ୍ରୋତ୍ସାହନ ମିଳୁଛି। ଏହା କେବଳ ମନୁବାଦୀ ତଥା ମଧ୍ୟଯୁଗୀୟ ବିଚାରଧାରା ହିଁ ମହିଳାମାନଙ୍କୁ ନ୍ୟୁନ କରି ଦେଖାଯାଉଛି।
ନାରୀ ନିର୍ଯ୍ୟାତନା କ୍ଷେତ୍ରରେ ଅନ୍ୟ ରାଜ୍ୟ ତୁଳନାରେ ଓଡ଼ିଶା ଶୀର୍ଷରେ ରହିଛି କହିଲେ ଅତ୍ୟୁକ୍ତି ହେବ ନାହିଁ। ପ୍ରଥମେ କିଟ୍ ନେପାଳୀ ଛାତ୍ରୀ ଆତ୍ମହତ୍ୟା, ଗୋପାଳପୁରରେ ଗଣଦୁଷ୍କର୍ମ, ପରେ ପରେ ଖୋଦ ମୁଖ୍ୟମନ୍ତ୍ରୀଙ୍କ ଜିଲ୍ଲା କେନ୍ଦୁଝରର ହରିଚନ୍ଦନପୁରରେ ଦୁଷ୍କର୍ମ ଓ ହତ୍ୟା, ଅଧ୍ୟାପକଙ୍କ ନିର୍ଯାତନା ସହି ନପାରି ଆତ୍ମାହୁତି ଦେଇଥିବା ଫକୀର ମୋହନ କଲେଜ ଛାତ୍ରୀ, ଉପ ମୁଖ୍ୟମନ୍ତ୍ରୀ ତଥା ମହିଳା, ଶିଶୁ ବିଭାଗ ଓ ମହିଳା ସଶକ୍ତିକରଣ ମନ୍ତ୍ରୀଙ୍କ ନିଜ ନିର୍ବାଚନ ମଣ୍ଡଳୀରେ ସଂଖ୍ୟାଲଘୁ ସମ୍ପ୍ରଦାୟର ନାବାଳିକା ଝିଅକୁ ଜିଅନ୍ତା ଜାଲିଦେବା ଉଦ୍ୟମ ତଥା ଆଉ ଏଇ ନିକଟରେ ଜଗତସିଂହପୁରରେ ଜଣେ ଝିଅକୁ ଦୁଷ୍କର୍ମ ପରିପ୍ରେକ୍ଷୀରେ ନ୍ୟାୟ ପ୍ରଦାନ ପାଇଁ ଏବେ ବି ସାରା ରାଜ୍ୟର ରାଜନୈତିକ ବାତାବରଣ ଉଷ୍ମ ରହିଛି। ସୌମ୍ୟାଶ୍ରୀଙ୍କୁ କେମିତି ନ୍ୟାୟ ଓ କେଉଁ ପ୍ରକାର ନ୍ୟାୟ ମିଳିବ ବୋଲି ପ୍ରଶ୍ନ ଉଠିଛି। କେବଳ ସୌମ୍ୟାଶ୍ରୀ ନୁହନ୍ତି ପରେ ବଳଙ୍ଗା ଓ ଜଗତସିଂହପୁର ଘଟଣା ପାଇଁ ଏବେ ସାରା ରାଜ୍ୟ ଜଲୁଛି। ମହିଳାଙ୍କ ସୁରକ୍ଷା ପାଇଁ ଏବେ ରାଜନୈତିକ ଦଳଠାରୁ ଆରମ୍ଭ କରି ସାଧାରଣରେ ଉତ୍ତେଜନା ସୃଷ୍ଟି ହୋଇଛି। କିଏ ଇସ୍ତଫା ଦେଲେ ବା କାହାର ବଦଳି ହେଲେ ଅଥବା ବହିଷ୍କାର କରାଗଲେ ସୌମ୍ୟାଶ୍ରୀଙ୍କୁ ନ୍ୟାୟ ମିଳିବ ନାହିଁ। ମାତ୍ର ଜନ ଅକ୍ରୋଶ ବଢ଼ୁଥିବାରୁ ଏଭଳି ପଦକ୍ଷେପ ବି ଜରୁରୀ। ତେବେ ସୌମ୍ୟାଶ୍ରୀ ନ୍ୟାୟ ପାଇବା ନେଇ ବିଭିନ୍ନ ମହଲରେ ତଦନ୍ତ ଓ ଆଇନର କଥା ଉଠୁଛି।ଓଡ଼ିଶାରେ ଏବେ ନାରୀ ଅସୁରକ୍ଷିତ। ଦିନକୁ ଦିନ ମହିଳାଙ୍କ ଉପରେ ଗଣଦୁଷ୍କର୍ମ ଓ ଅତ୍ୟାଚାର ବଢ଼ୁଥିବା ଅଭିଯୋଗ ବଢୁଛି। ଭାରତୀୟ ନ୍ୟାୟ ବ୍ୟବସ୍ଥାରେ ଅଭିଯୁକ୍ତ ଦୋଷୀଙ୍କୁ ଦଣ୍ଡ ବିଧାନର ବ୍ୟବସ୍ଥା ରହିଛି। ସବୁକିଛି ନିର୍ଭର କରୁଛି ପୁଲିସର ତଦନ୍ତ ଓ ଏହାକୁ ଅଦାଲତରେ ପ୍ରମାଣିତ କରିବା ଉପରେ। ଏହା ସହିତ ମହିଳାଙ୍କ ପ୍ରତି ହେଉଥିବା ହିଂସାକୁ ରୋକିବା ପାଇଁ ବ୍ୟବସ୍ଥାଗତ, ରାଷ୍ଟ୍ର ତଥା ସାମାଜିକ ସ୍ତରରେ ପରିବର୍ତ୍ତନ ଆବଶ୍ୟକ। ମହିଳା ହିଂସା ହେବା ପରେ କିମ୍ବା କୌଣସି ଘଟଣା ଘଟିଯିବା ପରେ ରାଜନୈତିକ ଦଳ ଓ ଗଣମାଧ୍ୟମରେ କେବଳ କିଛି ନିର୍ଦ୍ଧିଷ୍ଟ ବିଷୟବସ୍ତୁ ଉପରେ ଚର୍ଚ୍ଚା କରାଯାଉଛି। ହେଲେ ପ୍ରତ୍ୟେକ ଦିନ ଘରେ, ବାହାରେ ନାବାଳିକାଙ୍କ ଠାରୁ ଆରମ୍ଭ କରି ଯୁବତୀ, ବୃଦ୍ଧା ପର୍ଯ୍ୟନ୍ତ ଅତ୍ୟାଚାର ଓ ହିଂସାର ଶିକାର ହେଉଛନ୍ତି। ମହିଳାଙ୍କ ପ୍ରତି ଦୃଷ୍ଟିଭଙ୍ଗୀ ନକାରାତ୍ମକ ରହିଥିବା କାରଣରୁ ମହିଳା ଆଜି ଅସୁରକ୍ଷିତ ମଣୁଛନ୍ତି। ମହିଳାଙ୍କ ପ୍ରତି ଅତ୍ୟାଚାର ଆଜିର ଦିନରେ ରାଜନୈତିକ ପୃଷ୍ଠପୋଷକତା ମଧ୍ୟ ଲାଭ କରୁଛି। ଏଥିପାଇଁ ସରକାର କେଉଁଠି ଆତ୍ମରକ୍ଷା କରୁଛନ୍ତି ତ ଆଉ କେଉଁଠି ଆକ୍ରମଣାତ୍ମକ ମନୋଭାବ ପୋଷଣ କରୁଛନ୍ତି। ରାମ ରାଜ୍ୟର କଥା କହୁଥିବା ଡବଲ ଇଞ୍ଜିନ୍ ସରକାର ଏପର୍ଯ୍ୟନ୍ତ ମହିଳାଙ୍କ ପ୍ରତି ହେଉଥିବା ହିଂସାକୁ ସ୍ୱୀକାର କରିବାକୁ ପ୍ରସ୍ତୁତ ନାହାନ୍ତି। ମହିଳାଙ୍କୁ ସେମାନଙ୍କ ଅଧିକାର, ସମ୍ମାନ ଓ ସୁରକ୍ଷା ଦେଇ ପାରୁନଥିବାରୁ ଶାସନ ବ୍ୟବସ୍ଥାରେ ଥିବା ମନ୍ତ୍ରୀ ଓ ସାଂସଦ ଉତ୍ତରଦାୟୀ ହେବା ଆବଶ୍ୟକ। ସୌମ୍ୟାଶ୍ରୀଙ୍କ ଠାରୁ ଆରମ୍ଭ କରି ନାବାଳିକା ଓ ମହିଳା ନ୍ୟାୟ ନମିଳିବା ହେଉଛି ବ୍ୟବସ୍ଥାଗତ ଭାବେ ଦାୟୀ। ଏଥିପାଇଁ ଗୃହ ବିଭାଗ ଓ ଉଚ୍ଚ ଶିକ୍ଷା ବିଭାଗ ଉତ୍ତରଦାୟୀ ହେବା ଆବଶ୍ୟକ। ରାଜ୍ୟରେ ମହିଳାଙ୍କ ଅଭିଯୋଗ ଉପରେ ଯଥାର୍ଥ ଭାବେ ଧ୍ୟାନ ଦିଆଯାଉନାହିଁ କି ତଦନ୍ତ କରାଯାଉ ନାହିଁ। ଅଭିଯୋଗକାରିଣୀ ଆଇନଗତ ପରାମର୍ଶ ହେଉ କିମ୍ବା ସେମାନଙ୍କୁ ମାନସିକ ଦିଗରୁ କାଉନସେଲିଂ କରାଯିବାର ବ୍ୟବସ୍ଥା ଆବଶ୍ୟକତା ରହିଛି। କେନ୍ଦ୍ର ଓ ରାଜ୍ୟରେ ଡବଲ ଇଞ୍ଜିନ୍ ସରକାରରେ ସମାଜରେ ଜାତିଭେଦ, ଲିଙ୍ଗଭେଦ ପଛରେ ରାଜନୈତିକ ସମର୍ଥନ ରହିଛି। ସରକାରଙ୍କ ରାଜନୈତିକ ବିଚାର ଓ ସାମାଜିକ ଦୃଷ୍ଟିଭଙ୍ଗୀ ଯୋଗୁ ମହିଳାଙ୍କ ପ୍ରତି ହିଂସା କମିବା ପରିବର୍ତ୍ତେ ବୃଦ୍ଧିର କାରଣ ପାଲଟିଛି।
ବର୍ତ୍ତମାନ ସରକାର ମହିଳା ହିଂସାର ପ୍ରତିବାଦକୁ ରୋକିବା ପାଇଁ କରିଥିବା ନୂଆ ଯୋଜନା ‘ଶକ୍ତିଶ୍ରୀ’ ପାଣି ଛିଞ୍ଚିବା ସଦୃଶ। ପ୍ରତିବାଦ, ଜନ ଆନ୍ଦୋଳନ ଓ ଆକ୍ରୋଶକୁ ବନ୍ଦ କରିବା ପାଇଁ ଏହି ଯୋଜନାର ପରିକଳ୍ପନା କରାଯାଇଛି। ଶକ୍ତିଶ୍ରୀରେ ଯେଉଁ ବ୍ୟବସ୍ଥା ସରକାର ବର୍ତ୍ତମାନ କରିଛନ୍ତି, ତାହା ବହୁ ପୂର୍ବରୁ ଓଡ଼ିଶା ହାଇକୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ପୋକସୋ ଆକ୍ଟ (୧୯-ଖ) ରେ ଉଲ୍ଲେଖ କରାଯାଇଛି। ମାତ୍ର ଏଥିପାଇଁ ସରକାର ବିଫଳ ହୋଇଥିବା ନେଇ ସ୍ୱୀକାର କରନ୍ତୁ। ପୂର୍ବ ସରକାରରେ ସରକାର ମହିଳା ଅତ୍ୟାଚାର ପାଇଁ ଉତ୍ତରଦାୟୀ ହୋଇଥିଲେ। ମାତ୍ର ବର୍ତ୍ତମାନର ସରକାର ମହିଳାଙ୍କୁ ନ୍ୟାୟ ଦେବାରେ ବିଫଳ ହୋଇଛି। ମହିଳାଙ୍କ ନିମନ୍ତେ ସ୍ଥାନ ପାଇଁ ରାଷ୍ଟ୍ର ଓ ସମାଜ ବ୍ୟବସ୍ଥା ଗଣମାଧ୍ୟମ ଓ ବିଚାର ବିଭାଗର ଦାୟିତ୍ୱ ରହିଛି। ମହିଳାଙ୍କୁ ସୁରକ୍ଷା, ନ୍ୟାୟ ଓ ସମ୍ମାନ ସହ ମହିଳା ବିରୋଧୀ ଅପରାଧ ତୁରନ୍ତ ରୋକିବାକୁ ଦାବୀ କରାଯାଉଛି। ବ୍ୟବସ୍ଥାଗତ ବିଫଳତା ଯୋଗୁଁ ଅପରାଧୀ ପ୍ରୋତ୍ସାହିତ ହେଉଛନ୍ତି। ଅପରାଧୀଙ୍କୁ ଶାସକୀୟ ପ୍ରୋତ୍ସାହନ ମିଳୁଛି। ଏହା କେବଳ ମନୁବାଦୀ ବିଚାରଧାରାରେ ହିଁ ମହିଳା, ଆଦିବାସୀ, ଦଳିତମାନଙ୍କୁ ଛୋଟ ଦେଖାଇ ନିଜର ପ୍ରତିପତ୍ତିକୁ ପ୍ରତିଷ୍ଠିତ କରାଯାଉଛି। ହିଟଲର ଯେଭଳି ଏକ ନିର୍ଦ୍ଦିଷ୍ଟ ଧର୍ମ ଓ ସମ୍ପ୍ରଦାୟକୁ ଦେଶର ଶତ୍ରୁ ଭାବେ ପ୍ରଚାରିତ କରାଇ ମାନବତା ବିରୋଧୀ ଅତ୍ୟାଚାରକୁ ମହିମା ମଣ୍ଡିତ କରୁଥିଲେ ଠିକ୍ ସେହିଭଳି ଡବଲ ଇଞ୍ଜିନ ସରକାରରେ ଘଟୁଛି। ନ୍ୟାୟମୂର୍ତ୍ତୀ ଜେ. ଏସ୍. ବର୍ମା କମିଶନ ରିପୋର୍ଟ ଭିତ୍ତିରେ ପ୍ରଣୀତ ନିର୍ଭୟା ଆଇନ ପ୍ରଣୀତ ହେଲେ ମଧ୍ୟ ଏ ପର୍ଯ୍ୟନ୍ତ କାର୍ଯ୍ୟରେ ଦେଖାଯାଉ ନାହିଁ। ସଭ୍ୟତାର ବିକାଶ ସହ ଲିଙ୍ଗଭେଦ ଦୂର ହେବା ପରିବର୍ତ୍ତେ ସମୟର ରଥଚକକୁ ପଛକୁ ଗଡାଇ ପୁନରୁତ୍ଥାନବାଦକୁ ଲଦି ଦିଆଯାଇଛି। ସରକାରୀ ଉତ୍ତରଦାୟିତ୍ୱକୁ ଢାଙ୍କିବା ପାଇଁ ଅତୀତର ଅଘଟଣର ଉଦାହରଣ ଦେବା ଏହା ଅଧିକ ଅପରାଧକୁ ପ୍ରୋତ୍ସାହିତ କରୁଛି।
୨୦୦୨ ଗୁଜୁରାଟ ଦଙ୍ଗାରେ ବିଲକିସ ବାନୋ ନାମକ ସଂଖ୍ୟାଲଘୁ ସମ୍ପ୍ରଦାୟର ମହିଳାଙ୍କ ସମ୍ମୁଖରେ ତାଙ୍କ ସନ୍ତାନ ଓ ସମ୍ପର୍କୀୟଙ୍କୁ ଜଘନ୍ୟ ହତ୍ୟା ସହ ବାନୋଙ୍କ ସହ ଗଣ ବଳତ୍କାର ଘଟଣାରେ ତତ୍କାଳୀନ ରାଜ୍ୟ ଶାସକ ଦଳ ବିଜେପି ଗୁଜରାଟରେ ନିରପେକ୍ଷ ବିଚାର ପ୍ରକ୍ରିୟାରେ ବାଧା ଉପୁଯାଇବାରୁ ମହାରାଷ୍ଟ୍ରରେ ଏହାର ବିଚାର କରାଯାଇ ଦୋଷୀମାନଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରଯାଇଥିବା ବେଳେ ଗୁଜୁରାଟର ବିଜେପି ସରକାର ସ୍ବାଧୀନତାର ଅମୃତ ମହୋତ୍ସବ ପାଳନ ଅବସରରେ ଅପରାଧୀମାନେ ନିଜକୁ ସଂସ୍କାରୀ ହିନ୍ଦୁ ବ୍ରାହ୍ମଣ ବୋଲି ଦର୍ଶାଇ ସେମାନଙ୍କୁ ଜେଲରୁ ମୁକୁଳାଇବା ଓ ଆରଏସଏସର ବିଭିନ୍ନ ଛାମୁଆ ସଂଗଠନମାନେ ସରକାରଙ୍କ ସୁପାରିଶରେ ମୁକୁଳିଥିବା ଅପରାଧୀଙ୍କୁ ସମ୍ବର୍ଦ୍ଧନା ଦେବା ଘଟଣାରେ ହସ୍ତକ୍ଷେପ କରି ମାନ୍ୟବର ସୁପ୍ରିମକୋର୍ଟ ସେମାନଙ୍କୁ ପୁନର୍ବାର ଜେଲ ପଠାଇବାରୁ ଆଇନ ପ୍ରତି ଲୋକଙ୍କ ଭରସା ଆଜି ମଧ୍ୟ ଅତ୍ୟୁଟ ରହିଛି।
ଅନ୍ୟପକ୍ଷରେ କଲିକତାର ଡାକ୍ତର ଛାତ୍ରୀ ଘଟଣା ଉପରେ ରାଷ୍ଟ୍ରପତିଙ୍କ ତ୍ୱରିତ ପ୍ରତିକ୍ରିୟା, ଏକ ମହିଳା ମାନବିକତାର ପ୍ରତି ସମ୍ବେଦନଶୀଳତାର ପ୍ରତୀକ ଭାବରେ ଦେଖାଇଥିଲେ, କିନ୍ତୁ ଏହା ଉପରେ ଅନ୍ୟ ଏକ ଗମ୍ଭୀର ପ୍ରଶ୍ନ ଉଠେ — ଯେଉଁଠି ରାଷ୍ଟ୍ରପତିଙ୍କ ନିଜ ଜନ୍ମମାଟି ଓଡ଼ିଶାରେ ପ୍ରତ୍ୟେକ ଦିନ ମହିଳା ଦୁଷ୍କର୍ମ, ହତ୍ୟା ତଥା ମଣିପୁରରେ ଆଦିବାସୀ ମହିଳାଙ୍କୁ ଉଲଗ୍ନ କରି ପ୍ୟାରେଡ଼ କରାଇବା ଘଟଣାରେ ରାଷ୍ଟ୍ରପତିଙ୍କ ମୁହଁରୁ ଏକ ଶବ୍ଦ ମଧ୍ୟ ଆସୁନାହିଁ। ଏହି ନିରବତା କେବଳ ଉଦାସୀନତା ନୁହେଁ, ଏହା ଏକ ରାଜନୈତିକ ମୌନ ଶରଣର ସୂଚକ। ଯେଉଁଠି ମଣିପୁରରେ ଦେଶର ନାଗରିକତା, ମହିଳା ସମ୍ମାନ ଓ ସାମ୍ବିଧାନିକ ନୀତି ଉପରେ ଗଭୀର ଆଘାତ ଲାଗିଛି, ସେଠି ଜଣେ ମହିଳା ରାଷ୍ଟ୍ରପତି ନିର୍ବିକାର ଥିବା ସମସ୍ତ ଦେଶବାସୀଙ୍କୁ ଆଶ୍ଚର୍ଯ୍ୟ ଓ ଚିନ୍ତାରେ ପକାଇ ଦେଉଛି। ମାନବ ଅଧିକାର ଓ ଲିଙ୍ଗ ସମତା ଉପରେ ଅଧିକାର ଥିବା ସାମ୍ବିଧାନିକ ପଦବୀର ଏହି ନିର୍ବିକାର ଭୂମିକା ଏକ ଦୁର୍ଭାଗ୍ୟଜନକ ମୌନ ସାମ୍ରାଜ୍ୟକୁ ପ୍ରମାଣ କରେ।
ଯେଉଁଥିରେ ପ୍ରଶ୍ନ ଉଠୁଛି — ଏହି ମୌନ କେଉଁ ନୀତିକୁ ପ୍ରତିନିଧିତ୍ୱ କରେ ? କି ରାଜ୍ୟ ଓ ଦଳ ଦେଖି ରାଷ୍ଟ୍ରପତିଙ୍କ ମତ ଜଣାଯିବ ? କଲିକତା ଛାତ୍ରୀ ପାଇଁ ସମ୍ବେଦନଶୀଳ ଥିଲେ, କିନ୍ତୁ ଓଡ଼ିଶାର ଗୋପାଳପୁରରେ ଜଣେ ଯୁବତୀଙ୍କୁ ଗଣଦୁଷ୍କର୍ମ, ବଳିଦାନ ଦେଇଥିବା ବାଲେଶ୍ବର ଫକୀର ମୋହନ ବିଶ୍ୱବିଦ୍ୟାଳୟ ଆତ୍ମାହୁତି ଛାତ୍ରୀ ତଥା ଆତ୍ମହତ୍ୟା କରିଥିବା କିଟ୍ ନେପାଳୀ ଛାତ୍ରୀ ପାଇଁ କାହିଁକି ନୁହେଁ ? ପ୍ରଥମେ ଜଣେ ମହିଳା ତଥା ଦେଶର ପ୍ରଥମ ଆଦିବାସୀ ରାଷ୍ଟ୍ରପତି ଭାବେ ମଣିପୁରରେ ଆଦିବାସୀ ମହିଳାଙ୍କୁ ଉଲଗ୍ନ କରି ପ୍ୟାରେଡ଼ କରାଇବା ଘଟଣାରେ ଏତେ ଗଭୀର ନିରବତା କାହିଁକି ? ଏହା ଏକ ମାନବତାର ପ୍ରଶ୍ନ ଏବଂ ଏହି ନିରବତା ଆମ ସମ୍ବିଧାନ, ନ୍ୟାୟ ଓ ଗଣତନ୍ତ୍ର ଉପରେ ଏକ ଅଦୃଶ୍ୟ ଅଭିଯୋଗ। ବିନା ଭେଦଭାବ ଓ ଭୟ ଉପରେ ଯଦି ସର୍ବୋଚ୍ଚ ସାମ୍ବିଧାନିକ ପଦଵୀରେ ବସିଥିବା ବ୍ୟକ୍ତିତ୍ୱମାନେ ମୁହଁ ଖୋଲିପାରିବେ ନାହିଁ, ତେବେ ଆମ ସାମ୍ବିଧାନିକ ଦେଶ ଖରାପ ଦିଗକୁ ଚାଲିଛି ବୋଲି ଆଶଙ୍କା ଜନ୍ମ ନେଉଛି। ମହିଳା ଅଧିକାର ଓ ନ୍ୟାୟ ଉପରେ ଦେଶ ତଥା ରାଜ୍ୟର ନିଷ୍କ୍ରିୟତା ଏବଂ ଶାସନର ଅସମ୍ବେଦନଶୀଳତା ଏକ ଆନ୍ତଃକଳହ ସୃଷ୍ଟି କରୁଛି। ଏହି ଅବସ୍ଥାରେ ମୁଖ୍ୟ ପ୍ରଶ୍ନ ହେଉଛି— ମହିଳା ସୁରକ୍ଷିତ ତ ? ଏହି ପ୍ରଶ୍ନ ଏକ ସ୍ଲୋଗାନ ନୁହେଁ, ଏହା ଏକ ଅସହ୍ୟ ଆତ୍ମଚିତ୍କାର।
ରାଜନୈତିକ ଦଳମାନଙ୍କ ବ୍ୟତୀତ ସାଧାରଣ ଜନତା ମଧ୍ୟ ଏହି ପ୍ରଶ୍ନ ଉଠାଇବା ବେଳେ ଶାସକବର୍ଗ ନିଜ ଦଳରେ ଥିବା ଅପରାଧୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପରିବର୍ତ୍ତେ ଅତୀତର ଶାସକ ଦଳଙ୍କ ଶାସନ କାଳରେ ହୋଇଥିବା ଘଟଣାର ଉଦାହରଣ ଦେଇ ନିଜ ଦଳର ଅପରାଧକୁ ଯୁକ୍ତିସମତ ଦର୍ଶାଇବା କୁଶାସନର ନୂତନ ନମୁନା ସୃଷ୍ଟି କଲାଣି। ଅତୀତର ଦେଖାଯାଇଛି ଅଞ୍ଜନା ମିଶ୍ର ଗଣଦୁଷ୍କର୍ମ ଘଟଣାରେ ଏକକ ସଂଖ୍ୟାଗରିଷ୍ଠ ତତ୍କାଳୀନ କଂଗ୍ରେସ ସରକାରର ମୁଖ୍ୟମନ୍ତ୍ରୀ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କୁ ଇସ୍ତଫା ଦେବାକୁ ପଡିଥିଲା। ଗତ ବିଜେଡ଼ି ସରକାର ଅମଳରେ ଇତିଶ୍ରୀ, ବେବିନା, କୁନ୍ଦୁଲି, ମମିତା ମେହେର ଇତ୍ୟାଦି ଘଟଣାରେ ଅଭିଯୋଗ ଆସିଥିବା ମନ୍ତ୍ରୀମାନେ ପଦ ହରାଇଥିଲେ। ମହିଳାଙ୍କ ପ୍ରତି ଅପରାଧ ନିୟନ୍ତ୍ରଣ କରିବା ପାଇଁ ମାନ୍ୟବର ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶରେ ୧୯୯୭ ମସିହା ଠାରୁ ଭିଶାଖା ମାର୍ଗଦର୍ଶିକା, ପୋକସୋ ଆଇନ, ୨୦୧୩ ନିର୍ଭୟା ଆଇନ ଥିବା ସତ୍ତ୍ୱେ ଏହି ଆଇନକୁ କଡ଼ାକଡ଼ି ଭାବେ କାର୍ଯ୍ୟକାରୀ କରାଯାଉ ନଥିବାରୁ ପ୍ରଶାସନ ପ୍ରତି ଅପରାଧୀମାନଙ୍କର ଭୟ ରହୁନାହିଁ ।
ନିକଟ ଅତୀତରେ କିଟ୍ ବିଶ୍ୱବିଦ୍ୟାଳୟରେ ନେପାଳୀ ଛାତ୍ରୀ ଆତ୍ମହତ୍ୟା ଘଟଣାରେ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ଛାତ୍ରୀଙ୍କ ଗୁହାରୀ ନଶୁଣି ମହିଳା ଅସୁରକ୍ଷାର ବାତାବରଣ ସୃଷ୍ଟି କରିବାରୁ କିଟରେ ଏହି ଘଟଣା ଆତ୍ମହତ୍ୟା ନୁହେଁ, ବରଂ ଏକ ଵ୍ୟଵସ୍ଥାକୃତ ମୃତ୍ୟୁ ଥିଲା। ଏହି ଘଟଣାରେ ବିଶ୍ୱବିଦ୍ୟାଳୟ ଛୁଟି ଘୋଷଣା କରି ହଷ୍ଟେଲ ଖାଲି କରି ପ୍ରତିବାଦର ସ୍ୱରକୁ ଦବାଇଦେବା ପାଇଁ ସମସ୍ତ ପ୍ରକାର ଅପକୌଶଳ କରିଥିଲେ। ସୂଚନାଯୋଗ୍ୟ କିଟର ମୁଖ୍ୟ ଅତ୍ୟନ୍ତ ପ୍ରଭାବଶାଳୀ ବ୍ୟକ୍ତିତ୍ୱ ହୋଇଥିବାରୁ ବର୍ତ୍ତମାନ ଶାସକ ଦଳ ବିଜେପି, ବର୍ତ୍ତମାନର ବିରୋଧ ଦଳ ବିଜେଡ଼ି ଓ କଂଗ୍ରେସ କୋହଳ ମନୋଭାବ ପୋଷଣ କରି ପ୍ରତିବାଦର ସ୍ୱରକୁ ନରମାଇ ଦେଲେ।
ଏହି ପୃଷ୍ଠଭୂମିରେ ବିଚାର ବ୍ୟବସ୍ଥା ସକ୍ରିୟତାର ସହ ଘଟୁଥିବା ଘଟଣାବଳୀରେ ହସ୍ତକ୍ଷେପ କରି ଆଇନର ମହତ୍ତ୍ଵକୁ ପ୍ରତିପାଦିତ କରିବେ ବୋଲି ବୁଦ୍ଧିଜୀବୀ ମହଲରେ ଆଶା ପୋଷଣ ହେଉଅଛି। ହିଟଲର ଯେଭଳି ଏକ ନିର୍ଦ୍ଦିଷ୍ଟ ଧର୍ମ ଓ ସମ୍ପ୍ରଦାୟକୁ ଦେଶର ଶତ୍ରୁ ଭାବେ ପ୍ରଚାରିତ କରାଇ ମାନବତା ବିରୋଧୀ ଅତ୍ୟାଚାରକୁ ମହିମା ମଣ୍ଡିତ କରୁଥିଲେ ଠିକ୍ ସେହିଭଳି ଡବଲ ଇଞ୍ଜିନ ସରକାରରେ ଘଟୁଛି। ରାଜନୈତିକ ଦଳମାନଙ୍କ ବ୍ୟତୀତ ସାଧାରଣ ଜନତା ମଧ୍ୟ ଏହି ପ୍ରଶ୍ନ ଉଠାଇବା ବେଳେ ଶାସକବର୍ଗ ନିଜ ଦଳରେ ଥିବା ଅପରାଧୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପରିବର୍ତ୍ତେ ଅତୀତର ଶାସକ ଦଳଙ୍କ ଶାସନ କାଳରେ ହୋଇଥିବା ଘଟଣାର ଉଦାହରଣ ଦେଇ ନିଜ ଦଳର ଅପରାଧକୁ ଯୁକ୍ତିସମତ ଦର୍ଶାଇବା କୁଶାସନର ନୂତନ ନମୁନା ସୃଷ୍ଟି କଲାଣି।
ଆଗାମୀ ଦିନରେ ମହିଳା ନିର୍ଯ୍ୟାତନା ଉପରେ ସରକାରଙ୍କ ତରଫରୁ କୌଣସି ପଦେକ୍ଷପ ଗ୍ରହଣ କରାନଗଲେ ପରିସ୍ଥିତି କେତେ ଯେ ଗମ୍ଭୀର ହେବ ତାହା ସମୟ ନିର୍ଦ୍ଧାରିତ କରିବ। ମହିଳା ସୁରକ୍ଷା ଏକ ବାଣୀ ନୁହେଁ — ଏହା ଏକ ଅଧିକାର। ଓଡ଼ିଶା ଏହି ଅଧିକାର ଦେବା ଉଦ୍ୟମରେ ବିଫଳ ହେଲେ, ଏହି ଅସଫଳତା ମାତ୍ର ସରକାର ନୁହେଁ, ସମଗ୍ର ସମାଜର ଅବିଶ୍ୱାସ ଓ ପତନ ଚିହ୍ନ ହେବ।
ମାନସ ପଟ୍ଟନାୟକ
ସମ୍ପାଦକ, ଆମ କଥା ଆମ ଭବିଷ୍ୟତ