“ବୈତରଣୀ ମାଗୁଛି ଜୀବନ”: ବାଲି ମାଫିଆ ବିରୋଧରେ ଆନନ୍ଦପୁରରେ ଗର୍ଜିଲା ବାଲି ସତ୍ୟାଗ୍ରହ

Oplus_131072

ଆନନ୍ଦପୁର: ବାଲି ମାଫିଆଙ୍କ ଅତ୍ୟାଚାର ଓ ଅନିୟନ୍ତ୍ରିତ ଚୋରାଚାଲାଣରୁ ବୈତରଣୀ ନଦୀକୁ ବଞ୍ଚାଇବା ପାଇଁ ଆନନ୍ଦପୁରରେ ଆଜି ଆୟୋଜିତ ହେଲା ବାଲି ସତ୍ୟାଗ୍ରହ। ନଦୀ ହିଁ ସଭ୍ୟତାର ଆଧାର, ନଦୀ ମରିଗଲେ ସଭ୍ୟତା ମଧ୍ୟ ନଷ୍ଟ ହୋଇଯାଏ। ଏହି ବାର୍ତ୍ତାକୁ ନେଇ ଆଜି ଆନନ୍ଦପୁର ବୈତରଣୀ ନଦୀର ରାଜଘାଟ ଘାଟରେ “ବାଲି ସତ୍ୟାଗ୍ରହ” ଆୟୋଜିତ ହୋଇଥିଲା। ଦୁର୍ନୀତି ବିରୋଧୀ ପ୍ରଗତିଶୀଳ ମଞ୍ଚର ଆବାହକ ଯଜ୍ଞପ୍ରସାଦ ସାହୁଙ୍କ ନେତୃତ୍ୱରେ ଏହି ସତ୍ୟାଗ୍ରହ ହୋଇଥିଲା।ସତ୍ୟାଗ୍ରହ ସଭାରେ ଯଜ୍ଞପ୍ରସାଦ ସାହୁ କହିଥିଲେ, “ବାଲି ହିଁ ନଦୀର ପ୍ରାଣ। ବାଲି ସରିଗଲେ ନଦୀ ମରିଯିବ, ଆମ ଜୀବନ ଓ ପରିବେଶ ଅସ୍ତିତ୍ୱ ହୀନ ହେବ।” ତାଙ୍କ ଅନୁସାରେ, ଆନନ୍ଦପୁର ଉପଖଣ୍ଡରେ ବାଲି ଚୋରାଚାଲାଣ ବେପରୁଆ ଭାବରେ ଚାଲିଛି ଏବଂ ପ୍ରଶାସନ ଏଥିରେ ନିୟନ୍ତ୍ରଣ ଆଣିବାରେ ବିଫଳ ହୋଇଛି। ବୈତରଣୀ ସହିତ ଅନ୍ୟାନ୍ୟ ନଦୀନାଳାଙ୍କ ସୁରକ୍ଷା ପାଇଁ ଏହି ଆନ୍ଦୋଳନ ଆରମ୍ଭ କରାଯାଇଛି ବୋଲି ସେ କହିଥିଲେ।ସାମାଜିକ କର୍ମୀ ସତ୍ୟବ୍ରତ ଜେନା କହିଥିଲେ, “ବୈତରଣୀ ଆମ ଜୀବନରେଖା। ବାଲି ଚୋରି ପାଇଁ ଅନେକ ସ୍ଥାନରେ ଗଛଗୁଡ଼ିକୁ ନିଷ୍ଠୁର ଭାବରେ କାଟାଯାଉଛି।” ସେ ଏହାକୁ ଗଭୀର ଚିନ୍ତାର ବିଷୟ ବୋଲି ବ୍ୟାଖ୍ୟା କରିଥିଲେ।ସାମାଜିକ କର୍ମୀ ମଧୁସୂଦନ ରାଉତ କହିଥିଲେ, “ବୈତରଣୀ ଆମ ଆସ୍ଥା ଓ ଆତ୍ମାର ପ୍ରତୀକ। କିନ୍ତୁ କିଛି ମାଫିଆ ଏହି ପବିତ୍ର ନଦୀକୁ କଳା ଟଙ୍କା ପାଇଁ ହତ୍ୟା କରୁଛନ୍ତି।”ଏହି ସତ୍ୟାଗ୍ରହରେ କୈଳାସ ସାମଲ, ନୀଳାଚଳ ବେହେରା, ଜଗବନ୍ଧୁ ଜେନା, ଦୈତାରୀ ମହାକୁଡ଼, ରୋହନ ଜେନା, ପୂର୍ଣ୍ଣଚନ୍ଦ୍ର ଜେନା, ପ୍ରତାପ ଧଳ, ଦାମୋଦର ସାହୁ, ଏକଲବ୍ୟ ଧଳ, ଉତ୍ସବ ଜେନା, କୈଳାସ ଜେନା ଓ ଶୁଭକାନ୍ତ ଜେନା ସମେତ ଅନେକ ସାମାଜିକ କର୍ମୀ ଓ ନଦୀପ୍ରେମୀମାନେ ଯୋଗଦେଇଥିଲେ।ସଭାରେ ନଦୀ ସୁରକ୍ଷା, ବାଲି ଚୋରାଚାଲାଣ ରୋକ, ଓ ପରିବେଶ ସଚେତନତା ବୃଦ୍ଧି ପାଇଁ ସମିତି ଗଠନ କରାଯିବା ନିଷ୍ପତ୍ତି ନିଆଯାଇଥିଲା।

Leave a Reply

Your email address will not be published. Required fields are marked *