ବାଲେଶ୍ବର ଛାତ୍ରୀଙ୍କ ଆତ୍ମଦାହ ଘଟଣା ଦୁଃଖଦ: ସୁପ୍ରିମକୋର୍ଟ

ଭୁବନେଶ୍ୱର : ବାଲେଶ୍ବର ଫକୀର ମୋହନ କଲେଜ ଛାତ୍ରୀଙ୍କ ଆତ୍ମାହୁତୀ ଘଟଣାକୁ “ଅତ୍ୟନ୍ତ ଦୁଃଖଦ ଓ ଲଜ୍ଜାଜନକ” ବୋଲି କହିଛନ୍ତି ସୁପ୍ରିମକୋର୍ଟ । ଦେଶରେ ଏପରି ଘଟୁଛି, ଯାହା ଦୁର୍ଭାଗ୍ୟଜନକ ଓ ଆମକୁ ଲଜ୍ଜିତ କରୁଛି ବୋଲି ଖଣ୍ଡପୀଠ କହିଛନ୍ତି । ତେବେ ସୁପ୍ରିମ କୋର୍ଟ ମହିଳା ଓକିଲ ସଂଘ ପକ୍ଷରୁ ଏହି ଘଟଣାକୁ ସୁପ୍ରିମକୋର୍ଟଙ୍କ ନଜରକୁ ଅଣାଯାଇଥିଲା । ସୁପ୍ରିମକୋର୍ଟ କହିଛନ୍ତି ଯେ, ଏହା କୌଣସି ପ୍ରତିଦ୍ୱନ୍ଦ୍ୱିତାମୂଳକ ମକଦ୍ଦମା ନୁହେ, ବରଂ ସମାଜର ସବୁଠାରୁ ଅସୁରକ୍ଷିତ ଲୋକଙ୍କୁ ସଶକ୍ତ କରିବା ପାଇଁ କାର୍ଯ୍ୟକାରୀ ପଦକ୍ଷେପ ଆବଶ୍ୟକ ।

ଏହି ଘଟଣାରେ କେନ୍ଦ୍ର ସରକାର ଓ ସମସ୍ତ ପକ୍ଷଙ୍କୁ ଜବାବ ମାଗିଛନ୍ତି ଜଷ୍ଟିସ ସୂର୍ଯ୍ୟ କାନ୍ତ ଓ ଜଷ୍ଟିସ ଜୟମାଲ୍ୟ ବାଗଚୀଙ୍କ ଖଣ୍ଡପୀଠ । ଗ୍ରାମାଞ୍ଚଳରେ ସ୍କୁଲ ଛାତ୍ରୀ, ମହିଳା ଓ ଶିଶୁଙ୍କୁ ସୁରକ୍ଷା କରିବା ପାଇଁ କଣ ପଦକ୍ଷେପ ନିଆଯାଇପାରେ ଜଣାଇବାକୁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ ।

ସୂଚନାଯୋଗ୍ୟ ଯେ ଏଫଏମ୍ କଲେଜର ଦ୍ୱିତୀୟ ବର୍ଷର ଇଣ୍ଟିଗ୍ରେଟେଡ ବିଏଡ୍ ଛାତ୍ରୀ ସୌମ୍ୟାଶ୍ରୀ ବିଶି ଅଧ୍ୟାପକଙ୍କ ବିରୋଧରେ ଯୌନ ଉତ୍ପୀଡ଼ନ ଅଭିଯୋଗ ଆଣିଥିବା ବେଳେ କଲେଜ କର୍ତ୍ତୃପକ୍ଷ କୌଣସି କାର୍ଯ୍ୟାନୁଷ୍ଠାନ ନେଇ ନଥିବାରୁ ଜୁଲାଇ ୧୨ରେ କଲେଜ ଅଧ୍ୟକ୍ଷଙ୍କ କାର୍ଯ୍ୟାଳୟ ବାହାରେ ନିଜକୁ ନିଆଁ ଲଗାଇ ଦେଇଥିଲେ। ୯୫ ପ୍ରତିଶତ ଜଳିବା ଯୋଗୁଁ ସେ ଜୁଲାଇ ୧୪ ରାତିରେ ଏମ୍ସ ଭୁବନେଶ୍ୱରରେ ମୃତ୍ୟୁ ବରଣ କରିଥିଲେ । ଏହାକୁ ନେଇ ଓ କ୍ରାଇମବ୍ରାଞ୍ଚ, ୟୁଜିସି ଭଳି ବିଭିନ୍ନ ସ୍ତରରେ ତଦନ୍ତ ଜାରି ରହିଛି ।

Leave a Reply

Your email address will not be published. Required fields are marked *