ବାୟୁସେନାରୁ ମିଗ୍-୨୧ର ବିଦାୟ

ନୂଆଦିଲ୍ଲୀ: ଆଜିଠୁ ଆକାଶରେ ଉଡ଼ିବନି ଭାରତୀୟ ବାୟୁସେନାର ପୁରୁଣା ସାଥୀ ମିଗ୍-୨୧। ଏହି ଯୁଦ୍ଧ ବିମାନ ବିଦାୟ ନେଉଛି। ୬ ଦଶକ ପରେ ଚଣ୍ଡିଗଡ ଏୟାରବେସରେ ଅବସର ନେଉଛି ଭାରତୀୟ ସେନାର ଏହି ଘାତକ ଯୁଦ୍ଧବିମାନ। ଭାରତର ବାୟୁ ପ୍ରତିରକ୍ଷାର “ସର୍ବାଧିକ ଶକ୍ତିଶାଳୀ” ଉପାଦାନ ଭାବରେ ବିବେଚିତ ମିଗ୍-୨୧ ପାଇଁ ପ୍ରାୟ ଛଅ ଦଶନ୍ଧିର ସେବାର ଅନ୍ତ ଘଟାଇଛି। ଏହି ଅବସରରେ ଆଜି ଚଣ୍ଡିଗଡ଼ର ଭାରତୀୟ ବାୟୁସେନା ଘାଟିରେ ଏକ ଉତ୍ସବୀୟ ଫ୍ଲାଏପାଷ୍ଟ ଏବଂ ଡିକମିଶନ ସମାରୋହ ଅନୁଷ୍ଠିତ ହେବ। ଯେଉଁଥିରେ ବରିଷ୍ଠ ସାମରିକ ଅଧିକାରୀ ଏବଂ ପିଢ଼ି ପରେ ପିଢ଼ି ବିମାନ ଉଡ଼ାଇଥିବା ଅଭିଜ୍ଞ ପାଇଲଟମାନେ ଯୋଗଦେବେ। ଭବ୍ୟ ବିଦାୟ ଦେବାକୁ ଏଥିପାଇଁ ପ୍ରସ୍ତୁତିକୁ ଜୋରଦାର କରାଯାଇଛି।୧୯୬୩ ମସିହାରେ ସାମିଲ ହୋଇଥିବା ମିଗ୍-୨୧ ଭାରତର ପ୍ରଥମ ସୁପରସୋନିକ୍ ଲଢ଼ୁଆ ବିମାନ ଥିଲା, ଯାହା ଏହାର ପ୍ରଥମ ସ୍କ୍ୱାର୍ଡନ – ଚଣ୍ଡିଗଡ଼-ଭିତ୍ତିକ ୨୮ ସ୍କ୍ୱାର୍ଡନ – “ପ୍ରଥମ ସୁପରସୋନିକ୍ସ” ଡାକନାମ ଅର୍ଜନ କରିଥିଲା। ବର୍ଷ ବର୍ଷ ଧରି, ଭାରତ ବିଭିନ୍ନ ପ୍ରକାରର ୭୦୦ରୁ ଅଧିକ ମିଗ୍-୨୧ ବିମାନକୁ ସାମିଲ କରିଛି। ଯାହା ମଧ୍ୟରୁ ଅନେକ ହିନ୍ଦୁସ୍ତାନ ଏରୋନଟିକ୍ସ ଲିମିଟେଡ୍ ଦ୍ୱାରା ଘରୋଇ ଭାବରେ ନିର୍ମିତ ହୋଇଥିଲା। ଦୀର୍ଘବର୍ଷ ଧରି ଭାରତୀୟ ସେନାର ପରାକ୍ରମର ପ୍ରତୀକ ଥିଲା ମିଗ୍-୨୧ ।ଏହି ଯୁଦ୍ଧ ବିମାନ ପାଇଁ ସେନା ସବୁବେଳେ ଶତ୍ରୁପକ୍ଷକୁ ମାତ୍ ଦେବାରରେ ସଫଳ ହୋଇଛି । ୧୯୬୫ ଭାରତ-ପାକିସ୍ତାନରୁ ଯୁଦ୍ଧରୁ ଅପରେସନ ସିନ୍ଦୂର ପର୍ଯ୍ୟନ୍ତ ସବୁଠି ପରାକ୍ରମ ଦେଖାଇଛି ଏହି ବିମାନ । ଏବେ ଶେଷଥର ପାଇଁ ଉଡାଣ ଭରିବ ମିଗ୍-୨୧ । ସବୁ ପ୍ରକାର ପରିସ୍ଥିତିରେ ସେନାର ସୁରକ୍ଷାକବଚ ସାଜିଛି ମିଗ୍-୨୧। କାର୍ଗିଲ ଯୁଦ୍ଧ ସମୟରେ ଅନୁପ୍ରବେଶକାରୀ ଆତଙ୍କବାଦୀଙ୍କୁ ଖୋଜି ଖୋଜି ମାରିଥିଲା ଏହି ବିମାନ। ବାଲାକୋଟ ଏୟାରଷ୍ଟ୍ରାଇକ ସମୟରେ ପାକିସ୍ତାନର ଏଫ-୧୬ ଲଢୁଆ ବିମାନକୁ ନଷ୍ଟ କରିଥିଲା। ଏହାକୁ ଉଡ଼ାଇଥିବା ସମସ୍ତ ପାଇଲଟଙ୍କୁ ନିମନ୍ତ୍ରଣ ଦିଆଯାଇଛି।ବାୟୁସେନାର ୧ ହଜାର ପାଇଲଟ ଏହାର ସାକ୍ଷୀ ସାଜିବେ।

Leave a Reply

Your email address will not be published. Required fields are marked *