ନୂଆଦିଲ୍ଲୀ: ପାକିସ୍ତାନର ଆତଙ୍କବାଦୀ ସଂଗଠନ ଜୈଶ-ଏ-ମହମ୍ମଦର ତିନି ଜଣ ଆତଙ୍କବାଦୀ ନେପାଳ ଦେଇ ବିହାରରେ ପ୍ରବେଶ କରିଥିବା ନେଇ ବିହାର ପୁଲିସ୍ ମୁଖ୍ୟାଳୟ ଏକ ବଡ଼ ସତର୍କ ସୂଚନା ଜାରି କରିଛି । ଏମାନଙ୍କ ମଧ୍ୟରେ ହସନେନ୍ ଅଲି (ରାୱଲପିଣ୍ଡିର ବାସିନ୍ଦା), ଆଦିଲ୍ ହୁସେନ୍ (ଉମରକୋଟର ବାସିନ୍ଦା) ଏବଂ ମହମ୍ମଦ ଉସମାନ (ବାହୱଲପୁରର ବାସିନ୍ଦା) ରହିଛନ୍ତି ।
ଏହି ତିନି ଆତଙ୍କବାଦୀଙ୍କ ଉପରେ ପୁରସ୍କାର ଘୋଷଣା କରାଯାଇଛି । ଏହି ସନ୍ଦିଗ୍ଧ ବାବଦରେ ଜଣାଇଲେ ବ୍ୟକ୍ତିଙ୍କୁ ୫୦,୦୦୦ ଟଙ୍କା ପୁରସ୍କାର ରାଶି ଦିଆଯିବ । ପୁଲିସ୍ ତିନି ଆତଙ୍କବାଦୀଙ୍କ ନାମ ଏବଂ ଫଟୋଗ୍ରାଫ ସାର୍ବଜନୀନ କରିଛି । ସେମାନଙ୍କ ପାସପୋର୍ଟ ସମ୍ପର୍କିତ ସୂଚନା ମଧ୍ୟ ସେୟାର କରାଯାଇଛି । ଏହି ଆତଙ୍କବାଦୀମାନେ ଅଗଷ୍ଟ ଦ୍ୱିତୀୟ ସପ୍ତାହରେ କାଠମାଣ୍ଡୁରେ ପହଞ୍ଚିଥିଲେ ଏବଂ ତୃତୀୟ ସପ୍ତାହରେ ନେପାଳ ସୀମାରୁ ବିହାରରେ ପ୍ରବେଶ କରିଥିଲେ । ମୋତିହାରୀ ପୁଲିସର ଏକ୍ସ ହ୍ୟାଣ୍ଡେଲରେ ଏହି ତିନି ଆତଙ୍କବାଦୀଙ୍କ ଫଟୋ ଜାରି କରାଯାଇଛି । ଯଦି କେହି ଏମାନଙ୍କ ସମ୍ପର୍କରେ ସୂଚନା ପାଆନ୍ତି, ତେବେ ନିକଟସ୍ଥ ପୁଲିସ ଷ୍ଟେସନକୁ ଜଣାନ୍ତୁ ନଚେତ୍ 112 କୁ ଡାଏଲ୍ କରନ୍ତୁ । ସୂଚନାଦାତାଙ୍କ ପରିଚୟ ଗୁପ୍ତ ରଖାଯିବ। ଯୋଗାଯୋଗ ପାଇଁ ମୋବାଇଲ୍ ନମ୍ବର ୯୪୩୧୮୨୨୯୮୮ ଏବଂ ୯୦୩୧୮୨୭୧୦୦ ଦିଆଯାଇଛି । ପୁଲିସ ମୁଖ୍ୟାଳୟ ସମସ୍ତ ଜିଲ୍ଲାକୁ ସତର୍କ କରିଛି । ବିଶେଷକରି ସୀମାନ୍ତ ଜିଲ୍ଲା ସୀତାମାଢ଼ି, ମଧୁବନୀ, ପଶ୍ଚିମ ଚମ୍ପାରଣ, ଆରାରିଆ, କିଶନଗଞ୍ଜ ଏବଂ ସୁପୌଲରେ ସତର୍କତା ବୃଦ୍ଧି କରାଯାଇଛି । ଭାଗଲପୁର ଏବଂ ଅନ୍ୟାନ୍ୟ ଜିଲ୍ଲାଗୁଡ଼ିକରେ ମଧ୍ୟ ଆଲର୍ଟ ଜାରି କରାଯାଇଛି । ବର୍ତ୍ତମାନ ସମସ୍ତ ସୁରକ୍ଷା ଏଜେନ୍ସି ତିନି ଜଣ ଆତଙ୍କବାଦୀଙ୍କୁ ଖୋଜିବାରେ ନିୟୋଜିତ ଅଛନ୍ତି । ରେଳଷ୍ଟେସନ, ବସ୍ ଷ୍ଟାଣ୍ଡ, ହୋଟେଲ, ଧର୍ମଶାଳା ଏବଂ ଜନଗହଳିପୂର୍ଣ୍ଣ ଅଞ୍ଚଳରେ ଯାଞ୍ଚ ପ୍ରକ୍ରିୟାକୁ ଜୋରଦାର କରାଯାଇଛି । ରେଳ ଏବଂ ବିମାନବନ୍ଦର ସୁରକ୍ଷା ଏଜେନ୍ସିଗୁଡ଼ିକୁ ମଧ୍ୟ ସଜାଗ ରଖାଯାଇଛି ।
ବିହାରରେ ପଶିଲେ ୩ ଆତଙ୍କବାଦୀ, ରାଜ୍ୟରେ ହାଇଆଲର୍ଟ ଜାରି
