ମହିଳା ଭୋଟରଙ୍କୁ ଶାଢୀ ବାଣ୍ଟି ଓ ଶିଶୁଙ୍କୁ ପ୍ରଚାରରେ ନିୟୋଜିତ କରି ବିଜେପି ଆଚରଣ ବିଧି ଉଲ୍ଲଂଘନ କରିଛି: ବିଜେଡ଼ି

ଭୁବନେଶ୍ୱର: ନୂଆପଡ଼ା ଉପନିର୍ବାଚନରେ ଶାସକ ବିଜେପି ଦଳ ନିର୍ବାଚନ ପ୍ରଚାରରେ ଶିଶୁମାନଙ୍କୁ ନିୟୋଜିତ କରିବା ଓ ମହିଳା ଭୋଟରଙ୍କୁ ପ୍ରଭାବିତ କରିବା ପାଇଁ ଶାଢୀ ବାଣ୍ଟିବା ଯାହା ନିର୍ବାଚନ ଆଚରଣ ବିଧିର ଖୋଲାଖୋଲି ଉଲ୍ଲଂଘନ କରୁଛି ବୋଲି ବିଜେଡିର ଆଜି ଏକ ପ୍ରତିନିଧି ଦଳ ରାଜ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟି ଅଭିଯୋଗ କରିଛନ୍ତି ।ଦଳର ମୁଖପାତ୍ର ତଥା ଗଣମାଧ୍ୟମ ସଂଯୋଜକ ଡ. ଲେନିନ ମହାନ୍ତିଙ୍କ ନେତୃତ୍ୱରେ ଏକ ପ୍ରତିନିଧି ମଣ୍ଡଳୀ ରାଜ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟିଥିଲେ । ଶିଶୁମାନଙ୍କୁ କିଭଳି ଭାବରେ ନିର୍ବାଚନ ପ୍ରଚାରରେ ନିୟୋଜିତ କରାଯାଇଛି, ତାହା ସଂପର୍କିତ ତଥ୍ୟ ପ୍ରମାଣ ଯଥା ଭିଡିଓ, ଫଟୋ ସହ ଅଭିଯୋଗ ପତ୍ର ପ୍ରଦାନ କରିଥିଲେ । ନୂଆପଡା ବ୍ଲକ ଅନ୍ତର୍ଗତ ଖୁଟାବନ ଭେରା ଗ୍ରାମପଞ୍ଚାୟତରେ ବିଜେପିର ନିର୍ବାଚନ ପ୍ରଚାର ବେଳେ ଶିଶୁମାନଙ୍କୁ ବିଜେପି ପତାକା ଧରି ଜୟ ଢୋଲକିଆଙ୍କ ସପକ୍ଷରେ ନାରା ଦେଉଥିଲେ । ଏହା ଭାରତୀୟ ନିର୍ବାଚନ ଆୟୋଗର ନିର୍ବାଚନ ଆଚରଣ ବିଧିର ଖୋଲା ଉଲ୍ଲଂଘନ କରୁଛି । ନିର୍ବାଚନରେ ଶିଶୁମାନଙ୍କୁ ବ୍ୟବହାର କରିବା ଶିଶୁ ଶ୍ରମିକ ବିରୋଧୀ ଆଇନ-୨୦୧୬ର ଖୋଲା ଉଲ୍ଲଂଘନ କରୁଛି । ମହିଳା ଭୋଟରମାନଙ୍କୁ ପ୍ରଭାବିତ କରିବା ପାଇଁ ଶାଢୀ ଓ ଟଙ୍କା ପ୍ରଶାସନର ସହଯୋଗରେ ବିଜେପିର ମହିଳା କର୍ମକର୍ତ୍ତାମାନେ ଖୋଲାଖୋଲି ବାଣ୍ଟୁଥିବାର ଦୃଶ୍ୟ ଦେଖିବାକୁ ମିଳିଛି । ତେଣୁ ମୁକ୍ତ ଓ ଅବାଧ ନିର୍ବାଚନ ନିମନ୍ତେ ରାଜ୍ୟ ନିର୍ବାଚନ ଅଧିକାରୀ ତୁରନ୍ତ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ବିଜେଡି ପ୍ରତିନିଧି ମଣ୍ଡଳୀ ଦାବି ପତ୍ର ପ୍ରଦାନ କରିଥିଲେ ।ବିଜେଡିର ଏହି ପ୍ରତିନିଧିମଣ୍ଡଳୀରେ ମିହିର ରାୟ, ତୁମ୍ବନାଥ ପଣ୍ଡା, ନାରାୟଣ ଜେନା, ସୋଫିଆ ଆଲାମ, ସଂଗ୍ରାମ ମହାପାତ୍ର, ରୀତାଞ୍ଜଳୀ ପ୍ରଧାନ, ଜ୍ୟୋତ୍ସ୍ନା ପରିଡା, ସିଦ୍ଧାର୍ଥ ସାମଲ, ପ୍ରଦୀପ ପଣ୍ଡା ପ୍ରମୁଖ ସାମିଲ ଥିଲେ ।

Leave a Reply

Your email address will not be published. Required fields are marked *